କନକ ବ୍ୟୁରୋ: ଛାତ ନଥିବା ଘର, ଭାତ ପାଉନଥିବା ହାତ । ଦୁଃଖକୁ ଦୁଇଗୁଣା କଲା ଭଳି ଦୟନୀୟ ଅବସ୍ଥାରେ କଟୁଛି ଅସହାୟ ନାବାଳକଙ୍କ ଜୀବନ । କାରଣ ପୂର୍ବରୁ ଚାଲିଯାଇଥିଲେ ବାପା ଓ ବଡ଼ ଭଉଣୀ ଆଉ ୫ ଦିନ ତଳେ ଚାଲିଗଲେ ମା । ଗ୍ରାମବାସୀ ଓ ସ୍ଵେଚ୍ଛାସେବୀ ସଂଗଠନ ସହାୟତାରେ ମା’ଙ୍କ ଶେଷକୃତ୍ୟ ସିନା ହେଲା କିନ୍ତୁ ଭଙ୍ଗା ଦଦରା ଭଡ଼ା ଘରେ ବିତୁଛି ଜୀବନ ନାବାଳକଙ୍କ ଜୀବନ । ଗଞ୍ଜାମ ପୋଇରାଶି ପଞ୍ଚାୟତ ବଡ଼ଚକଡ଼ା ଗାଁର ସିଦ୍ଧାନ୍ତ ମହାପାତ୍ର । ଯୁକ୍ତଦୁଇ ଛାତ୍ର ସିଦ୍ଧାନ୍ତ ଗତ କିଛିବର୍ଷ ମଧ୍ୟରେ ବାପା ଓ ଭଉଣୀଙ୍କୁ ହରାଇବା ପରେ ଜୀବନରେ ମାଆ ଏକମାତ୍ର ସାହାରା ପାଲଟିଥିଲେ । ଭଲ ପାଠ ପଢ଼ି ଚାକିରି କରି ଭବିଷ୍ୟତରେ ରୋଗୀଣା ମାଆର ସାହାରା ହେବେ ବୋଲି ସିଦ୍ଧାନ୍ତ ଶପଥ କରିଥିଲେ । ହେଲେ ଦଇବ ପୁଣି ଦାଉ ସାଧିଲା । ମାଆ ଭାଗ୍ୟଲତା ଦୀର୍ଘଦିନ ଧରି ଅସୁସ୍ଥତା ପରେ ଆରପାରିକୁ ଚାଲିଗଲେ । ଏବେ ମାଆଙ୍କ ମୃତ୍ୟୁ ପରେ ସିଦ୍ଧାନ୍ତ ପୂରା ବେସାହାରା ହୋଇଯାଇଛନ୍ତି । 

Advertisment

ବିଡ଼ମ୍ବନାର ବିଷୟ ହେଲା କି ସିଦ୍ଧାନ୍ତଙ୍କୁ ୭ ବର୍ଷ ବୟସ ହୋଇଥିବା ବେଳେ ବାପା ମହେଶ୍ଵର ମହାପାତ୍ରଙ୍କ ଅକାଳ ମୃତ୍ୟୁ ଘଟିଥିଲା । ୧୨ ବର୍ଷ ବୟସ ହୋଇଥିବା ବେଳେ ବଡ଼ଭଉଣୀ ଅଞ୍ଜଳି ଆରପାରିକୁ ଚାଲିଯାଇଥିଲେ । ମାଆ ଭାଗ୍ୟଲତା ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ହୋଇଯାଇଥିଲେ । ତଥାପି ସିଦ୍ଧାନ୍ତ ସଂଘର୍ଷ ଜାରି ରଖିଥିଲେ । ଗୋଟିଏ ପଟେ ପାଠ ପଢ଼ିବା ସହ ଅନ୍ୟପଟେ ମା’ଙ୍କ ସେବା କରୁଥିଲେ । ମାଆଙ୍କୁ ମିଳୁଥିବା ଏକହଜାର ଟଙ୍କା ଭତ୍ତା ଓ ୩୫ କିଲୋ ଚାଉଳ ଏକମାତ୍ର ସାହାରା ପାଲଟିଥିଲା । ସିଦ୍ଧାନ୍ତଙ୍କୁ ଏବେ ୧୭ ବର୍ଷ ହୋଇଥିବା ବେଳେ ମା’ ଆଖିବୁଜି ଦେଇଛନ୍ତି । ନା ସାହାରା ନା କୌଣସି ରାହା । ଯାହା ଫଳରେ ପ୍ରଶାସନ ତାଙ୍କ ପ୍ରତିପୋଷଣ ଦାୟିତ୍ଵ ନେବାକୁ ଆଗେଇ ଆସୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପକ୍ଷରେ ସ୍ବେଚ୍ଛାସେବୀ ସଂଗଠନ ତାଙ୍କୁ ସହାୟତାର ହାତ ବଢ଼ାଇଛି । ସତରେ ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ତାହା ଗରିବଙ୍କ ପାଖରେ ପହଞ୍ଚୁ ନଥିବା ସିଦ୍ଧାନ୍ତ ହେଉଛନ୍ତି ଜ୍ୱଳନ୍ତ ଉଦାହରଣ । ଆଉ ଏବେ ଖବର ଦେଖିବା ପରେ ସିଦ୍ଧାନ୍ତଙ୍କ ପାଖରେ ସରକାରୀ ସହାୟତା ପହଞ୍ଚିବ ବୋଲି ଆଶା କରିବା ।