କନକବ୍ୟୁରୋ ଝୋଟରେ ପ୍ରସ୍ତୁତ ସାମଗ୍ରୀ ମହିଳାଙ୍କୁ ଦେଇଛି ରୋଜଗାର । ଧର୍ମଶାଳା ବ୍ଲକ ନୀଳାଦେଇପୁର ଗାଁର ମହିଳା ମାନେ ଘର କାମରେ ସୀମିତ ରହୁଥିଲେ । ମାତ୍ର ଜିଲ୍ଳା ଶିଳ୍ପ କେନ୍ଦ୍ର ଏମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି । ୨୦୨୧ରେ ଗାଁର କିଛି ମହିଳା ମିଶି ଆରମ୍ଭ କରିଥିଲେ ମା ଦୂର୍ଗା ଝୋଟ ଉତ୍ପାଦିକା ଗୋଷ୍ଠୀ ।

Advertisment

ପରେ ଏମାନଙ୍କ ସଂଖ୍ୟା ବଢି ପଚାଶରେ ପହଂଚିଛି । ଗାଁ ଗହଳିର ଚାଷୀଙ୍କଠାରୁ ଝୋଟ ସଂଗ୍ରହ କରି ତାକୁ ଫିନିସିଂ କରି ସୁତୁଲିରେ ପରିଣତ କରିବା ପରେ ପ୍ରସ୍ତୁତ କରୁଛନ୍ତି ଝୋଟର ସୁନ୍ଦର ସୁନ୍ଦର କଳାକୃତୀ ।

ଝୋଟରେ ମନିପର୍ସ, ୱାଟର ବଟଲ କଭର, ଫାଇଲ, ବ୍ୟାଗ, ଆସନ, କାର୍ପେଟ, ପାପୋଛ, ଚପଲ, ଓ ରଙ୍ଗବେରଙ୍ଗର ବିଭିନ୍ନ ଘରକରଣା ସାମଗ୍ରୀ ଉତ୍ପାଦନ କରୁଛନ୍ତି । ଏହାକୁ ସ୍ଥାନୀୟ ବଜାରରେ ବିକ୍ରୀକରି ଦୁଇପଇସା ରୋଜଗାର କରୁଛନ୍ତି । 

ମହିଳାଙ୍କ ହାତ ତିଆରି ଝୋଟେରେ ପ୍ରସ୍ତୁତ ସାମଗ୍ରୀର ଯଥେଷ୍ଟ ବଜାର ଚାହିଦା ରହିଛି । ମହିଳାମାନେ ନିଜର ଅବସର ସମୟରେ ଝୋଟରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ମାସକୁ ତିନିରୁ ପାଂଚ ହଜାର ଟଙ୍କା ରୋଜଗାର କରି ଆର୍ଥିକ ସ୍ଥିତି ସୁଦୃଢ କରିପାରିଛନ୍ତି  ।

ଜିଲ୍ଳାର ଜାରକା, ଛତିଆ, ଯାଜପୁରରୋଡ, ଯାଜପୁର ଟାଉନ ପ୍ରଭୃତି ସ୍ଥାନରେ ଆୟୋଜିତ ହସ୍ତଶିଳ୍ପ ମେଳାରେ ନିଜର ପ୍ରସ୍ତୁତ ସାମଗ୍ରୀକୁ ବିକ୍ରୀ କରି ଦୁଇପଇସା ରୋଜଗାର କରିବାରେ ସଫଳ ହେଉଛନ୍ତି ।

ତେବେ ସାମଗ୍ରୀ ପ୍ରସ୍ତୁତ କରିବା,ଏହାକୁ ସଂରକ୍ଷିତ କରି ରଖିବା ପାଇଁ ସ୍ଥାୟୀ ଗୃହଟିଏ ନଥିବାରୁ ଏମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଥବା ଅଭିଯୋଗ କରିଛନ୍ତି  । ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ବିଭାଗ ଏହି ମହିଳା ଝୋଟ କାରିଗରମାନଙ୍କୁ ଅଧିକ ପ୍ରେତ୍ସାହନ ଦେଲେ ସେମାନଙ୍କର ଉନ୍ନତି ହେବା ସହ ଅର୍ଥନୈତିକ ପ୍ରଗତି ସୁଦୃଢ ହୋଇପାରିବ ।