କନକ ବ୍ୟୁରୋ : ୫-ଜି ଯୁଗରେ ଅନୁଗୁଳ ଜିଲ୍ଲାର ୧୦୦ରୁ ଅଧିକ ଗାଁରେ ନାହିଁ ନେଟ୍ୱର୍କ ବ୍ୟବସ୍ଥା । ସରକାରଙ୍କ ସମସ୍ତ ଅନଲାଇନ୍ ଯୋଜନା ଠୁ ଆରମ୍ଭ କରି ଆମ୍ବୁଲାନ୍ସ ବ୍ୟବସ୍ଥା ଓ ଅନଲାଇନ୍ ଶିକ୍ଷା ଏହି ଗାଁର ଲୋକଙ୍କ ପାଇଁ ଅପହଞ୍ଚ । ସରକାର ବଦଳିଛି ସତ କିନ୍ତୁ ବଦଳନି ଏହି ଶହେ ଗାଁ ଲୋକଙ୍କ ମୋବାଇଲ ନେଟ୍ୱର୍କ ବ୍ୟବସ୍ଥା। । ଅସୁରକ୍ଷିତ ଭାବେ ଗଛ ଉପରେ ନେଟ୍ୱର୍କ ଖୋଜା । ଯେଉଁଠି ଟିକିଏ ନେଟ୍ୱର୍କ ଆସୁଛି ସେଇଠି ବସି ମୋବାଇଲ ବ୍ୟବହାର କରୁଛନ୍ତି ଗାଁ ଯୁବକ । ଆଜିର ୫-ଜି ଯୁଗରେ ବି ଲୋକ କେମିତି ନେଟ୍ୱର୍କ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ତାହା ଏହି ଚିତ୍ର ବୟାନ କରୁଛି । ଅନୁଗୁଳ ଜିଲ୍ଲା ସାତକୋଶିଆର ୧୦୦ରୁ ଅଧିକ ଗାଁରେ ନାହିଁ ନେଟ୍ୱର୍କ ।
ନେଟ୍ୱର୍କ ସୁବିଧା ନଥିବାରୁ ସରକାରଙ୍କ ସମସ୍ତ ଅନଲାଇନ୍ ସେବାରୁ ବଞ୍ଚିତ ଗାଁ ଲୋକ । ଅନଲାଇନ୍ ଶିକ୍ଷାଦାନ ଏଠି ସଂପୂର୍ଣ୍ଣ ବିଫଳ । ସରକାରଙ୍କ ଫାଇଭ୍-ଟି କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍ ଅଛି । ହେଲେ ଇଣ୍ଟରନେଟ୍ ସୁବିଧା ନାହିଁ, ତେଣୁ ପିଲାଙ୍କ କାମରେ ଲାଗୁନାହିଁ । ଅନଲାଇନ୍ କାମ ପାଇଁ୨୦ କି.ମି ଦୂର ଯିବାକୁ ପଡ଼ୁଛି । ସ୍ଥିତି ଏପରି ଯେ ଗାଁରେ ମୋବାଇଲ ଲାଗୁନଥିବାରୁ ସାତକୋଶିଆର ଗାଁ ଗୁଡିକୁ ଝିଅ ବାହା ଦେବାକୁ କେହି ରାଜି ହେଉନାହାଁନ୍ତି । ନେଟ୍ୱର୍କ ସେବା ଯୋଗାଇ ଦେବା ପାଇଁ ବାରମ୍ବାର ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ନେତା-ମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ଲୋକେ । ହେଲେ କେହି କିଛି କରୁନାହାନ୍ତି, କି ଏବାବଦରେ କୌଣସି ସରକାରୀ ଅଧିକାରୀ ମୁହଁ ଖୋଲୁ ନାହାନ୍ତି ।