କନକ ବ୍ୟୁରୋ: ରାଜ୍ୟରେ ଏ ଯାଏଁ ନିଯୁକ୍ତି ହୋଇପାରିନାହାନ୍ତି ଲୋକାୟୁକ୍ତ । ଫଳରେ ଶହ ଶହ ମାମଲା ବିଚାର ନ ହୋଇ ପଡିରହିଛି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ନୂଆ ସରକାର ଆସିବା ପରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ରାଜ୍ୟରେ ଗତ ମାର୍ଚ୍ଚ ମାସରୁ ଅଚଳ ହୋଇପଡିଛି ଲୋକାୟୁକ୍ତ । ସାଢେ ୬ ମାସ ହେଲା ଲୋକାୟୁକ୍ତ କାର୍ଯ୍ୟାଳୟ କାମ କରୁନି । ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ ସିଂଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୦ରେ ସରିଛି । ଲୋକୟୁକ୍ତ ସଦସ୍ୟ ଜଷ୍ଟିସ ବି.କେ. ନାୟକଙ୍କ କାର୍ଯ୍ୟକାଳ ମଧ୍ୟ ମାର୍ଚ୍ଚ ୩୧ରୁ ଶେଷ ହୋଇଯାଇଛି। ସେହିପରି ଅଗଷ୍ଟ ୮ରେ ଲୋକାୟୁକ୍ତ ସଦସ୍ୟ ଆର.ପି. ଶର୍ମାଙ୍କ କାର୍ଯ୍ୟକାଳ ସରିଛି । ହେଲେ ଏ ଯାଏଁ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନିଯୁକ୍ତି ହୋଇପାରୁନି । ଶହ ଶହ ଦୁର୍ନୀତି ମାମଲା ବିଚାର ନହୋଇ ପଡିରହିଛି । ସୂଚନା ଅନୁସାରେ
୮୦୭ଟି ମାମଲା ବିଚାର ହୋଇପାରିନି
ମାସ ମାସ ଧରି ଲୋକାୟୁକ୍ତରେ ପଡିରହିଛି ଅନେକ ମାମଲା
ନିୟମ ଅନୁସାରେ ଲୋକାୟୁକ୍ତଙ୍କ କାର୍ଯ୍ୟକାଳ ସରିବାର ୩ ମାସ ପୂର୍ବରୁ ସର୍ଚ୍ଚ କମିଟି ହୋଇଥାଏ
ଏହି କମିଟି ଲୋକାୟୁକ୍ତ ଓ ସଦସ୍ୟଙ୍କ ନିଯୁକ୍ତି ନେଇ ସରକାରଙ୍କୁ ସୁପାରିଶ କରିଥାଏ
ହେଲେ ତତକାଳୀନ ବିଜେଡି ସରକାରଙ୍କ ତ୍ରୁଟି ଯୋଗୁଁ ଲୋକାୟୁକ୍ତରେ ଏହି ଅଚଳାବସ୍ଥା ଦେଖାଦେଇଛି । ଆଉ ଲୋକାୟୁକ୍ତ ନିଯୁକ୍ତି ନେଇ ଦୋଷ ଲଦାଲଦି ହୋଇଛନ୍ତି ଉଭୟ ବିଜେଡି ଓ ବିଜେପି।
ନୂଆ ସରକାର ଆସିବାର ପ୍ରାୟ ୩ ମାସ ହେଲାଣି । ହେଲେ ଏଯାଏଁ ଲୋକାୟୁକ୍ତ ନିଯୁକ୍ତ ହୋଇନାହାନ୍ତି । ମିଳିଥିବା ସୂଚନା ଅନୁସାରେ, ନୂଆ ସରକାର ସର୍ଚ୍ଚ କମିଟି କରିସାରିଛନ୍ତି । ଖୁବଶୀଘ୍ର ବୈଠକ ବସିବାକୁ ଯାଉଛି । ସର୍ଚ୍ଚ କମିଟିରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ବିରୋଧୀ ଦଳ ନେତା, ହାଇକୋର୍ଟ ମୁଖ୍ୟ ବିଚାରପତି ରହିଥାନ୍ତି।
ଲୋକାୟୁକ୍ତ ବାବାଦରେ ରାଜ୍ୟ ରାଜକୋଷରୁ ବାର୍ଷିକ ୮ରୁ ୯ କୋଟି ଟଙ୍କା ବ୍ୟୟ ହୋଇଥାଏ । ହେଲେ ସେଭଳି କିଛି ଆଖିଦୃଶିଆ ରାୟ ବା ବଡ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ଲୋକାୟୁକ୍ତ ।