କନକ ବ୍ୟରୋ: ଭୁଶୁଡୁଛି ଶିକ୍ଷା ବ୍ୟବସ୍ଥା । ଶହ ଶହ ସ୍କୁଲ୍‌ରେ ନାହାନ୍ତି ପ୍ରଧାନ ଶିକ୍ଷକ। ପାଠ ପଢ଼ାଇବାକୁ ବି ଶିକ୍ଷକ ମରୁଡ଼ି। ଉପାନ୍ତରୁ ଉପକୂଳ, ସବୁଠି ସମଦଶା। ଶିକ୍ଷା ବ୍ୟବସ୍ଥାରେ ସୁଧାର ଲାଗି ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ବଦଳି ପାରୁନି ଚିତ୍ର ।

Advertisment

ସାରା ରାଜ୍ୟରେ ଏମିତି ଚାଲିଛି ପାଠପଢ଼ା। କେଉଁଠି ପ୍ରଧାନ ଶିକ୍ଷକ ନାହାନ୍ତି ତ କେଉଁଠି ନାହାନ୍ତି ସହକାରୀ ଶିକ୍ଷକ। କଳା, ବିଜ୍ଞାନ ଶିକ୍ଷକଙ୍କ ଅଭାବ ବି ପୂରଣ ହୋଇ ପାରୁନି। ଖାଲି ସେତିକି ନୁହେଁ, ପିଲାଙ୍କୁ ଓଡ଼ିଆ, ହିନ୍ଦୀ ଓ ସଂସ୍କୃତ ପଢ଼ାଇବାକୁ ବି ଶିକ୍ଷକଙ୍କ ମରୁଡ଼ି । ୫୮୪ ସଂସ୍କୃତ, ୫୮୭ ହିନ୍ଦୀ ଓ ୨୧୯ ଉର୍ଦ୍ଦୁ ଶିକ୍ଷକ ପଦ ଫାଙ୍କା ପଡ଼ିଥିବା ରିପୋର୍ଟ କହୁଛି । ତେଣୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିଲାବେଳେ ପିଲାଙ୍କ ଭବିଷ୍ୟତ କେମିତି ଗଢ଼ା ହେଉଛି, ତାହା ସହଜରେ ବୁଝା ପଡ଼ୁଛି । 

ପ୍ରତିବର୍ଷ ଅବସର ନେଉଛନ୍ତି ଶିକ୍ଷକ । ହେଲେ ସେହି ଅନୁସାରେ ପୂରଣ ହେଉନି ପଦ। ଏବେ ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ପ୍ରଧାନଶିକ୍ଷକ ନିଯୁକ୍ତି ଉପରେ ଅନ୍ତରୀଣ ରହିତାଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ହେଲେ ଆଇ.ଏ. ନମ୍ବର ୧୩୯୯୩/୨୦୨୪ରେ ଏହି ରହିତାଦେଶ ହଟାଇବାକୁ ଆଗ୍ରହ ଦେଖାଉ ନାହାନ୍ତି ରାଜ୍ୟ ସରକାର । ଫଳରେ କାମଚଳା ପ୍ରଧାନ ଶିକ୍ଷକଙ୍କ କାନ୍ଧରେ ରାଜ୍ୟର ୨, ୧୫୮ ହାଇସ୍କୁଲର ଭାଗ୍ୟ ଝୁଲୁଛି । ତେବେ ନୂଆ ସରକାର କହିଛନ୍ତି, ଶିକ୍ଷାକୁ ଗୁରୁତ୍ବ ମିଳୁଛି, ଶିକ୍ଷକ ନିଯୁକ୍ତି ବଢ଼ିଛି ।

ବିନା ଭିତ୍ତିଭୂମିରେ ଚାଲିଛି ଭବିଷ୍ୟତ ଗଢ଼ା । ଯିଏ ପାଠ ପଢ଼ୁଛି, ସିଏ ପଢ଼େଇ ପାରୁନି । ଆଉ ଯିଏ ଏବେ ପଢ଼ି ପାରୁନି, ସେ ଆଗକୁ କାହାକୁ ପଢ଼ାଇବ, ତାହା ଏବେ ଆଲୋଚନାର ବିଷୟ ହୋଇଛି ।