କନକ ବ୍ୟୁରୋ: ପ୍ରକୃତି ତାଣ୍ଡବ ରଚିବା ପରେ ଧ୍ବଂସ ହୋଇଛି ଉତ୍ତରକାଶୀର ଧରାଲି ଗାଁ । ମାତ୍ର ୨୪ ସେକେଣ୍ଡର ପ୍ରଳୟରେ ମାଟିରେ ମିଶିଛି ସମ୍ପୂର୍ଣ୍ଣ ଗାଁ । ଏବେ ସାମ୍ନାକୁ ଆସିଛି ଧ୍ବଂସଲୀଳା ପରେ ଧରାଲି ଗାଁର ଚିତ୍ର । ଆଖି ଯୁଆଡ଼େ ବୁଲୁଛି ସେଠି କେବଳ ବଡ଼ ପଥରଖଣ୍ଡ, ମାଟି ଅତଡ଼ା । ହେଲେ ଥରେ କେବେ ଚିନ୍ତା କରିଛନ୍ତି କାହିଁକି ଏମିତି ଘଟିଲା । କାହିଁକି ପ୍ରକୃତିର କୋପକୁ ବାରମ୍ବାର ସାମ୍‌ନା କରୁଛି ଉତ୍ତରାଖଣ୍ଡ । ଏଇ କାରଣ ଖୋଜୁ ଖୋଜୁ ଧରିଲା ଗାଁକୁ ନେଇ ସାମ୍‌ନାରୁ ଆସିଛି ଏକ ବଡ଼ କାହାଣୀ ।

Advertisment

ସେଦିନ ଥିଲା ଅଗଷ୍ଟ ୫, ମଙ୍ଗଳବାର । ସମସ୍ତେ ନିଜନିଜ କାମରେ ବ୍ୟସ୍ତ ଥିଲେ । କିଏ ପରିବାର ସହ ଘରେ ଟିଭି ଦେଖୁଥିଲେ । ତ ଆଉ କିଏ ଅଫିସ୍‌ ବାହାରୁଥିଲେ । ହଠାତ୍‌ ବଦଳିଗଲା ପାଗ । ଉତ୍ତରକାଶୀର ଧରାଲିରେ ଆରମ୍ଭ ହୋଇଯାଇଥିଲା ବାଦଲଫଟା ବର୍ଷା । ଆଉ ତା’ ପରେ ଯାହା ଘଟିଲା ତାହା ସମସ୍ତଙ୍କ କଳ୍ପନା ବାହାରେ । ପାହାଡ଼ ଉପରୁ ଖସି ଆସିଲା ଆତଙ୍କ । ବାଦଲଫଟା ବର୍ଷା ସାଙ୍ଗକୁ ଆକସ୍ମିକ ଭୂସ୍ଖଳନ ଏବଂ ବନ୍ୟା ଧରାଲି ଗାଁକୁ ମାଟିରେ ମିଶାଇଦେଇଛି । କିଛି ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୬୬ଜଣ ଏବେ ବି ନିଖୋଜ, ପ୍ରାୟ ୧୩୦୦ ଲୋକଙ୍କୁ  ସ୍ଥାନାନ୍ତର କରାଯାଇଛି । ଏବେ ବି ମାଟି ତଳୁ ଖୋଜା ଚାଲିଛି ଜୀବନ ।

ଧରାଲୀ ଗାଁ । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଯେମିତି ଖୁନ୍ଦି ହୋଇ ରହିଥିଲା ଏହି ଗାଁରେ । ଖୀରଗଙ୍ଗା ଏବଂ ଭାଗୀରଥି ନଦୀର ସଙ୍ଗମସ୍ଥଳ ନିକଟରେ ରହିଛି । ଗାଁର ଅନେକ କାହାଣୀ ଏବେ ସାମ୍‌ନାକୁ ଆସୁଛି। ସ୍ଥାନୀୟ ଲୋକେ କୁହନ୍ତି ବନ୍ୟା ଓ ଭୂସ୍ଖଳନ ଏହି ଗାଁ ପାଇଁ ନୂଆ ନୁହେଁ । ନଦୀପଠାରେ ଗଢ଼ିଉଠିଛି ଧରାଲି ଗାଁ । ଗାଁଟି ନଦୀ ଠାରୁ ମାତ୍ର ୨୦୦ ମିଟର ଦୂରରେ । ଯାହା ଭାଗିରଥୀ ନଦୀର ଏକ ସମ୍ବେଦନଶୀଳ ସ୍ଥାନ। ଯେଉଁଥିପାଇଁ ଗାଁ ଉପରେ ରହିଛି ସତର୍କର ଘଣ୍ଟି । ୨୦୨୪ ଜୁଲାଇ ୩୧ରେ ଧରାଲି ଗାଁରେ ବଡ଼ ଭୂସ୍ଖଳନ ଘଟିଥିଲା । ସେ ସମୟରେ ୧୦ଜଣଙ୍କ ମୃତ୍ୟୁ ହୋଇଥିଲା । ଠିକ୍ ବର୍ଷକ ପରେ ଆଉ ଏକ ବିପର୍ଯ୍ୟୟ ।

ଗାଁଟି ସମ୍ବେଦନଶୀଳ ସ୍ଥାନରେ ଅଛି । ତା’ ସତ୍ତ୍ବେ ବି ଜନବସତି ଖାଲି ନକରିବା ଏହା ମଣିଷର ଅଜ୍ଞତା ନା ହେୟ ମନୋଭାବ? ନଦୀ ଅବବାହିକାରେ ଗଢ଼ିଉଠିଥିବା ହୋଟେଲ୍‌, ବଡ଼ବଡ଼ ଅଟ୍ଟାଳିକା, ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ବିପର୍ଯ୍ୟୟ ପଛର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । ଏହାସହ ଉତ୍ତରାଖଣ୍ଡର ‘ଚାରିଧାମ ପ୍ରକଳ୍ପ’ ନିର୍ମାଣକୁ ମଧ୍ୟ କେତେକାଂଶରେ ଦାୟୀ କରାଯାଉଛି।  ଏହି ପ୍ରକଳ୍ପ ଦ୍ବାରା ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀକୁ ସଂଯୋଗୀକରଣ ଲକ୍ଷ୍ୟ ରଖାଯାଇଛି । ଯାହା ଉତ୍ତରାଖଣ୍ଡର ଉତ୍ତରାକାଶୀରେ ଥିବା ଧରାଲି ପରି ଅନେକ ଗାଁ ପାଇଁ ବିପଦ ବୋଲି ଚର୍ଚ୍ଚା ହେଉଛି ।

ଧରାଲୀର ଏହି ଭୂସ୍ଖଳନ ସରକାରଙ୍କ ବିଫଳତାକୁ ପଦାରେ ପକାଇଦେଇଛି । ପ୍ରାରମ୍ଭିକ ସତର୍କତା ସତ୍ତ୍ବେ କାହିଁକି ଏହି ଜାଗାକୁ ଖାଲି କରାଗଲାନାହିଁ? ଲୋକଙ୍କୁ ସତର୍କ କଲେ ନାହିଁ କାହିଁକି? ବିପର୍ଯ୍ୟୟ ପ୍ରସ୍ତୁତିରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ଉତ୍ତରାଖଣ୍ଡ ସରକାର । ଆଉ ଏହା ପରେ ବି ଯଦି ନଚେତନ୍ତି, ଆଗକୁ ଆହୁରି ଅନେକ ବିପର୍ଯ୍ୟୟର ସାମନା କରିବାକୁ ପଡ଼ିପାରେ ।