କନକ ବ୍ୟୁରୋ : ଝିମିଟି ଖେଳରୁ ମହାଭାରତ। ଛେଳି ଗଛ ଖାଇବାକୁ କେନ୍ଦ୍ର କରି ବିବାଦ, ପ୍ରଥମେ ବଚସା ଓ ପରେ ହତ୍ୟା। ଜଗତସିଂହପୁର ଜିଲ୍ଲା ବାଲିକୁଦା ନିକଟସ୍ଥ ସଂଗ୍ରାମପୁର ଗାଁରୁ ଆସିଛି ଏଭଳି ଦୁଃଖଦ ଖବର। ଗୋଟିଏ ଛେଳି ପାଖ ଘରର ଗଛ ଖାଇଦେଲା। ଏ ନେଇ ପ୍ରଥମେ ଦୁଇ ପରିବାର ଭିତରେ ବଚସା ହେଲା କିନ୍ତୁ ପରେ ଗାଁ ମଝିରେ କାଳନ୍ଦୀ ଭୋଇ ନାମକ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦିଆଗଲା ବୋଲି ଅଭିଯୋଗ ହୋଇଛି ।
ଛେଳି ପାଇଁ ମାରିଦେଲେ । କଥାଟି ଶୁଣିଲା ବେଳକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ସେତିକି ଚର୍ଚ୍ଚା ସାଉଁଟିଛି। ଛେଳି ଗଛ ଖାଇଲା , ଦୁଇ ପରିବାର ଭିତରେ କଳି ହେଲା। ଏତିକିରେ ସରିନଥିଲା, ଶେଷରେ ଜଣଙ୍କର ଜୀବନ ଗଲା। ଏମିତି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ନିକଟସ୍ଥ ସଂଗ୍ରାମପୁର ଗାଁରେ। ଗାଁର କାଳନ୍ଦୀ ଭୋଇଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି କାଳନ୍ଦୀଙ୍କ ଝିଅ। ଅଭିଯୋଗ ଅନୁସାରେ କିଛିଦିନ ତଳେ ପଡ଼ୋଶୀ ଘରର ଛେଳି କାଳନ୍ଦୀ ଭୋଇ ବାଡ଼ିରେ ପଶି ଯିବାରୁ କାଳନ୍ଦୀ ଗାଳିଗୁଲଜ କରିଥିଲେ। ଉଭୟ ପରିବାର ଭିତରେ ବଚସା ହୋଇଥିଲା। ଗାଁକୁ ପୋଲିସ ବି ଆସିଥିଲା। କିନ୍ତୁ କିଛି ସମୟ ରହି ଚାଲିଯାଇଥିଲା। ଏହାର କିଛି ସମୟପରେ ଗାଁର ଏକ କୁକୁଡା ଫାର୍ମ ହାଉସ ପାଖରେ କାଳନ୍ଦୀର ଚିତ୍କାର ଶୁଭିଥିଲା। କାଳନ୍ଦୀଙ୍କ ଚିତ୍କାର ଶୁଣି ଫାର୍ମ ହାଉସ ପାଖରେ କାଳନ୍ଦୀଙ୍କ ଝିଅ ଯିବା ସମୟରେ ଦେଖିଥିଲେ ଯେ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅବଚେତନ ଅବସ୍ଥାରେ ପଡିରହିଥିଲେ କାଳନ୍ଦୀ। ସେହି ଗାଁର କୁକୁଡ଼ା ଫାର୍ମ ମାଲିକ ରାଜ କିଶୋର ମହାନ୍ତି ଓ ନିରାକାର ମହାନ୍ତି କାଳନ୍ଦୀକୁ ହତ୍ୟା କରିଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି।
ଏହି ଘଟଣାକୁ ୩ ଦିନ ବିତିଯାଇଥିଲେ ବି ଦୋଷି ଧରାପଡିନାହିଁ। ଅଭିଯୋଗ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ପୋଲିସ ଡାକି ପଚରାଉଚୁରା କରିଛି। ତେବେ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ପୋଲିସ ସୂଚନା ଦେଇଛି । କିଭଳି ପରିସ୍ଥିତିରେ କାଳନ୍ଦୀ ଭୋଙ୍କର ମୃତ୍ୟୁ ହେଲା ତାର ସଠିକ ତଦନ୍ତ ପାଇଁ ଦାବି ଜୋର ଉଠିଲାଣି। କାଳନ୍ଦୀଙ୍କ ପରିବାର ପକ୍ଷରୁ ବାଲିକୁଦା ଥାନାରେ ଅଭିଯୋଗ ହୋଇଥିବା ବେଳେ ମାମଲା ପ୍ରତ୍ୟାହାର କରିବା ପାଇଁ ବିଭିନ୍ନ ମହଲରୁ ଚାପ ପଡୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
Follow Us