କନକ ବ୍ୟୁରୋ : ମାତ୍ର ୧୩ ଶହ ଟଙ୍କା ପାଇଁ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ । କୋରାପୁଟ ଲକ୍ଷ୍ମୀପୁର ବ୍ଲକର ପିପଳପଦର ଗାଁରେ ଏହି  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ୧୩୦୦ ଟଙ୍କା  ଓ ଚାଷ କାମରେ ବ୍ୟବହୃତ ହେଉଥିବା ଘାଗଡ଼ା ଚୋରି କରି ନେଇଥିବା ଅଭିଯୋଗ କରି ଜଣେ ବୃଦ୍ଧଙ୍କୁ ମାରିଦେଲେ ବୋଲି ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ପିପଳପଦର ଗାଁର ଲାଲୁ ମାଣ୍ଡିଙ୍ଗା । ମଙ୍ଗଳବାର ସନ୍ଧ୍ୟାରେ ପିପଳପଦର ଗାଁରେ ଜୟ ମାଣ୍ଡିଙ୍ଗା ନାମକ ବ୍ୟକ୍ତି ସେହି ଗାଁର ବୃଦ୍ଧ ଲାଲୁଙ୍କୁ ଟଙ୍କା ଚୋରି କରିଥିବା ଅଭିଯୋଗ କରି ମାଡ଼ ମାରିବାରୁ ଗୁରୁତର ଅବସ୍ଥାରେ ଲାଲୁଙ୍କ ଦୁଇ ପୁଅ ଦୁଖିନା ମାଣ୍ଡିଙ୍ଗା ଓ ଜେଟୁ ମାଣ୍ଡିଙ୍ଗା ଲକ୍ଷ୍ମୀପୁର ଡାକ୍ତରଖାନା ଏକ ଅଟୋ ଯୋଗେ ଆଣି ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଲାଲୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ରେଫର କରିଥିଲେ । ସେଠାରେ ଆମ୍ବୁଲାନ୍ସ ପାଇଁ ଦୀର୍ଘ ୫ ଘଣ୍ଟା ଅପେକ୍ଷା ପରେ ମଧ୍ୟ ଆସିନଥିଲା ।