କନକ ବ୍ୟୁରୋ : ମଣିଷ ହାଟ..ଯେଉଁଠି ବିକ୍ରି ହୁଅନ୍ତି ଶ୍ରମିକ । ଆଉ ମୂଲଚାଲ୍‌ କରି କିଣି ନିଅନ୍ତି ସାହୁକାର,କଥାଟି ଅଡୁଆ ଲାଗୁଛି ନା । ପନିପରିବା ହାଟ ଭଳି ମଣିଷ ହାଟ ରହିଛି କୋରାପୁଟ ଜିଲ୍ଲା ଜୟପୁର ସହରରେ  । ବଡ଼ି ଭୋରୁ ଉଠି ନିତ୍ୟକ୍ରମ ସାରି ଗାଡ଼ି ଭଡ଼ା କରି ଜୟପୁରର ମଣିଷ ହାଟକୁ ବାହାରି ପଡ଼ନ୍ତି ଶ୍ରମିକ । କୋଡ଼ି କୋଦାଳ ଧରି ଘଣ୍ଟାଘଣ୍ଟା ଅପେକ୍ଷା କରନ୍ତି । ସାହୁକାରମାନେ ଆସିବେ ମୂଲଚାଲ୍‌ କରି ଦିନକ ପାଇଁ କିଣି ନେବେ । ଶ୍ରମିକଙ୍କ ପାଇଁ ସରକାର ପାରିଶ୍ରମିକ ଧାର୍ଯ୍ୟ କରିଛନ୍ତି । ହେଲେ ମଣିଷ ହାଟରେ ଶ୍ରମର ମୂଲ ଧାର୍ଯ୍ୟ କରନ୍ତି ସାହୁକାର । ଯିଏ ରାଜି ହେଲା ସିଏ କାମ ପାଇଲା, ସଞ୍ଜରେ ତା'ଘରେ ଚୂଲି ଜଳିଲା, ଆଉ ଯାହାକୁ କାମ ନମିଳିଲା ସିଏ ପେଟେ ଭୋକ ନେଇ ଘରକୁ ଫେରିଲା । 

Advertisment

ଶ୍ରମ ଓ ଭୋକର ଭିଡ଼ରେ ସକାଳ କେଇ ଘଣ୍ଟା ବେଶ ଗହଳଚହଳ ହୋଇପଡ଼େ ଜୟପୁରର ମା' ଜଗତଜନନୀ ଛକ । କୋରାପୁଟ ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳି, କୋଟପାଡ଼, ଜୟପୁର ଓ କୋରାପୁଟରୁ ଆସୁଥିବା ହଜାର ହଜାର ଶ୍ରମିକ ଏଇଠି ନିଇତି ବିକ୍ରି ହୁଅନ୍ତି । ଏମାନଙ୍କ ଶ୍ରମଦାନରେ ଗଢ଼ି ଉଠେ ଅଟ୍ଟାଳିକା, ସଜେଇ ହୁଏ ସହର । ହେଲେ ନିଜେ ରୁହନ୍ତି ଭଙ୍ଗା କୁଡ଼ିଆରେ । ସରକାରୀ ସୁବିଧା କହିଲେ, କେବଳ କେଇ କିଲୋ ଚାଉଳ । ଶ୍ରମିକଙ୍କ ସମ୍ମାନ ପାଇଁ ସରକାର କରିଥିବା ବିଧି ବ୍ୟବସ୍ଥା ସବୁ କାଜଗ କଲମରେ ସୀମିତ ବୋଲି କୁହନ୍ତି ନିର୍ମାଣ ଶ୍ରମିକ ସଂଗଠନର ସଭାପତି ।