କନକ ବ୍ୟୁରୋ : ଶିକ୍ଷାର ମାନ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ହାତକୁ ନିଆଯାଉଛି । ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷକ ନିଯୁକ୍ତି କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ଏସବୁ ଏକପ୍ରକାର ପ୍ରହସନ ପରି ମନେ ହେଉଛି । ଖାଲି ନାମକୁ ମାତ୍ର ଯୋଜନା ପ୍ରକୃତ ସ୍ଥିତି କିଛି ଭିନ୍ନ ।
ହାତ ମାରିଲେ ଛାଡ଼ୁଛି ପ୍ଲାଷ୍ଟର । କାନ୍ଥ ଫାଟିଗଲାଣି । ଅବସ୍ଥା ଏମିତି ଯେ କେତେବେଳେ କୋଠା ଭୁଶୁଡ଼ି ପଡ଼ିବ ତା'ର ଠିକଣା ନାହିଁ । ଏହି ବିପଦସଙ୍କୁଳ କୋଠାରେ ବସି ପଢ଼ୁଛନ୍ତି ୧୨୦ ଛାତ୍ରଛାତ୍ରୀ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବାସିଚକୁରାଇ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ପିଲାଙ୍କ ଉପରେ ପଡ଼ୁଥିବା ଅଭିଯୋଗ ଆସୁଛି । ଆଉ ଏକଥା ଜଣାଇବା ପରେ ୨ ବର୍ଷ ତଳୁ ଖାଲି ରଙ୍ଗ ମାରି ଚୁପ୍ ବସିଛି ଶିକ୍ଷା ବିଭାଗ ।
କେନ୍ଦ୍ରାପଡ଼ା ଆଳି ବ୍ଲକର ସଂସିଧା ପଞ୍ଚାୟତର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ଯାଏଁ ୫୪ ପିଲା ପାଠ ପଢ଼ୁଛନ୍ତି । ଏମାନଙ୍କୁ ପଢ଼ାଇବାକୁ ଅଛନ୍ତି ଜଣେ ମାତ୍ର ଶିକ୍ଷକ ଅଚ୍ୟୁତାନନ୍ଦ ମିଶ୍ର । ତେଣୁ ସବୁ ପିଲାଙ୍କୁ ଗୋଟିଏ ଘରେ ବସାଇ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି ଶିକ୍ଷକ ।
ବିଦ୍ୟାଳୟରେ ଶୌଚାଳୟ କି ପିଇବା ପାଣିର ବ୍ୟବସ୍ଥା ନାହିଁ । ନଳକୂପ ଅଚଳ ହୋଇଯାଇଛି । ଅଭିଯୋଗ ପରେ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଆଳି ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ ।
କିଏ ସୁଧାରିବ ଶିକ୍ଷାର ଚିତ୍ର ? କେତେ ଖବର ବାଜିଲେ ଚେତିବ ପ୍ରଶାସନ ? ଏସବୁ ପ୍ରଶ୍ନର ଉତ୍ତରକୁ ଅପେକ୍ଷା ।