କନକ ବ୍ୟୁରୋ: ବାତ୍ୟା ପରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଛି ବନ୍ୟା । ବାତ୍ୟା ଦାନା ଚାଷୀଙ୍କ ମୁହଁରୁ ଛଡ଼ାଇବାକୁ ବସିଛି ଦାନା, ନୀଳଗିରିରେ ଚଳିତ ବର୍ଷ ମୋଟ ୧୦ ହଜାର ୨୪୦ ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଇଛି । ବାତ୍ୟା ଯିବା ପରେ ହେକ୍ଟର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ଘେରାରେ ରହିଛି, ବର୍ଷା ପାଣି ସହ ଉପର ମୁଣ୍ଡରୁ ପାଣି ଆସିବା ପରେ ଅଞ୍ଚଳରେ ଏବେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ବନ୍ୟା ପାଣିରେ ସିଙ୍ଗି ରି, ବଡକାଳିଆ ପଦା, ବେଗୁନିଆ, କରଞ୍ଜିଆ, ଆଦି ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷ ଜମି ଜଳ ଘେରାରେ ରହି ନଷ୍ଟ ହେବାକୁ ବସିଛି, ଧାର କରଜ କରି ଧାନ ଚାଷ କରିଥିବା ଚାଷୀକୁଳ ଏବେ ଚିନ୍ତାରେ ରହିଛି।
ବାତ୍ୟା ଦାନା ଚାଷୀଙ୍କ ମୁହଁରୁ ଛଡାଇନେଇଛି ଦାନା । ବାତ୍ୟା ଯିବା ପରେ କପ୍ତିପଦା ଉପଖଣ୍ଡ ର ଖୁଣ୍ଟା, ଉଦଳା, ଗୋପବନ୍ଧୁ ନଗର ଓ କପ୍ତିପଦା ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷ ଜମି ଏବେ ନଷ୍ଟ ହେବାକୁ ବସିଛି । ବର୍ଷା ପାଣି ସହ ପବନରେ ସବୁ ଅଞ୍ଚଳରେ ଏବେ ଏବେ ଧାନଗଛ ଗୁଡ଼ିକ ବିଲରେ ପାଣିରେ ପଡ଼ିଛି । ବର୍ଷା ପାଣିରେ ବଡବିଶୋଳ, ପେଡାଗଡି , ଜଡିଦା ଓ ଜଇଦା ଆଦି ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହେବାକୁ ବସିଛି, ବିଭିନ୍ନ ବ୍ୟାଙ୍କ ରୁ କରଜ କରି କରି ଧାନ ଚାଷ କରିଥିବା ଚାଷୀକୁଳ ଏବେ ଭଗବାନଙ୍କୁ ଭରସା କରି ଚିନ୍ତାରେ ରହିଛି ।
ସେହିପରି କେନ୍ଦୁଝର ଜିଲ୍ଲାରେ ୩୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଆନନ୍ଦପୁର ଉପଖଣ୍ଡରେ ଏହାର ପ୍ରଭାବ ପଡିଛି। ଏବେ ଶିବନାରାୟଣପୁର ଗ୍ରାମରେ ଏକର ଏକର ଚାଷ ଜମି ପାଣିରେ ଭାଷୁଥିବା ବେଳେ ଧାନ ଅମଳ ହେବା ଅସମ୍ଭବ ହୋଇପଡିଛି। ଗ୍ରାମରେ ୭୦୦ରୁ ଅଧିକ ପରିବାର ବାସ କରୁଥିବା ବେଳେ ୮୦ଭାଗ ଲୋକ ଚାଷ ଉପରେ ହିଁ ନିର୍ଭର କରିଥାନ୍ତି। କିନ୍ତୁ ଚଳିତ ବାତ୍ୟାରେ ଗ୍ରାମର ୯୦ ଭାଗ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ଏ ଅଞ୍ଚଳରେ ବିଳମ୍ବରେ ଚାଷ ହୋଇଥିବାରୁ ଏବେ ଧାନଗଛ ଗୁଡିକ ଫୁଲଖେଳାଉ ଥିଲା। ଏ ସମୟରେ ଧାନଗଛ ଗୁଡିକ ଭାଙ୍ଗିପତି ପାଣିରେ ଲୋଟୁ ଥିବାରୁ ଏଥିରୁ ଧାନ ଫଳ ବାହାରି ପାରିବ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି।
ବାତ୍ୟା ପବନରେ ବିଲରେ ପାଣି ଯୋଗୁଁ ବିଲରେ ଗଜା ହୋଇଛି ଅମଳ ହେବାକୁ ଥିବା ଧାନ । ବାତ୍ୟା ଦାନା ସିନା ଚାଲିଯାଇଛି ହେଲେ ଚାଷିଙ୍କ ମନରେ ଦୁଖ ଦେଇଯାଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁ କେନ୍ଦ୍ରାପଡା ମହାକାଳପଡା ବ୍ଲକ କାକଟପୁର ଗ୍ରାମରେ ପ୍ରାୟ ୩୦୦ ଏକରରୁ ଉର୍ଦ୍ଧ ଜମିରେ ଅମଳକ୍ଷମ ପାରିଜାତ ଧାନ ଫସଲ ଗଜା ହୋଇ ନଷ୍ଟ ହୋଇଯାଇଛି। କାକଟପୁର ଗ୍ରାମର ପ୍ରାୟ ୧୨୦ରୁ ଉର୍ଦ୍ଧ ଚାଷି ୩ ମାସିଆ ପାରିଜାତ ଧାନ ଚାଷ କରିଥିଲେ। ଏବେ ଅମଳ ସମୟ ହୋଇଥିବାରୁ ଜମିରେ ପାଚିଲା ଧାନ ଫସଲ ରହିଥିଲା। ହେଲେ ଠିକ ସମୟରେ ଦାନା ପ୍ରଭାବରେ ବର୍ଷା ପବନ ଯୋଗୁ ଧାନ ସବୁ ପଡିଯାଇ ପାଣିରେ ବୁଡି ଗଜା ହୋଇଯାଇଛି। ଏମିତି ପନିପରିବା ଫସଲ ମଧ୍ୟ ପଚିଶଢି ନଷ୍ଟ ହୋଇଯାଇଛି। ଧାର କରଜ କରି ଚାଷ କରିଥିବା ଚାଷି ଏବେ ପରିବାର କିପରି ଚଳାଇବ ଓ ଋଣ କିପରି ସୁଝିବ ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଛି।