କନକ ବ୍ୟୁରୋ: ସୁଭଦ୍ରା ଟଙ୍କା ଅପେକ୍ଷାରେ ଲକ୍ଷ ଲକ୍ଷ ମହିଳା । ମୋବାଇଲ ମେସେଜକୁ ଆବେଦନକାରୀଙ୍କ ଅପେକ୍ଷା । ଯାଂଚ କରିବାକୁ ବ୍ୟାଙ୍କରେ ଧାଡ଼ି । ସୁଭଦ୍ରା ଟଙ୍କା ପାଇଥିବା ହିତାଧିକାରୀ ଯେତିକି ଖୁସି, ୧ ଟଙ୍କା ମେସେଜ ପରେ ବି ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିନଥିବା ହିତାଧିକାରୀ ସେତିକି ଦ୍ୱନ୍ଦ୍ୱରେ ରହିଛନ୍ତି। ସୁଭଦ୍ରା ଯୋଜନାରେ ୨୫ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ଯିବା ପରେ ଆବେଦନକାରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।  ଖାତାକୁ ଟଙ୍କା ଆସିଛି କି ନାହିଁ ବ୍ୟାଙ୍କରେ ଯାଂଚ ପାଇଁ ପ୍ରବଳ ଗହଳି ଓ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଛି । 

ଆବେଦନକାରୀଙ୍କ ଦ୍ୱନ୍ଦ୍ୱ ଭିତରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କହିଛନ୍ତି, ୯୭ ହଜାର ହିତାଧିକାରୀଙ୍କ ଟଙ୍କା ଟେକ୍ନିକାଲ ସମସ୍ୟା ପାଇଁ ଅଟକିଥିଲା। ଅନ୍ୟପଟେ ଆକାଉଣ୍ଟରେ ତ୍ରୁଟି ପାଇଁ ୨ ହଜାର ହିତାଧିକାରୀଙ୍କ ଟଙ୍କା ଫେରି ଆସିଛି।  ତେବେ ବୁଧବାର ସକାଳ ସୁଦ୍ଧା ଆକାଉଣ୍ଟରେ ଟଙ୍କା ପହଞ୍ଚିଯାଇଛି । 

ମଙ୍ଗଳବାର ୨୫ ଲକ୍ଷ ଲୋକଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲାବେଳେ ଆହୁରି ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରିଛନ୍ତି । କେବେ ସୁଭଦ୍ରାର ପ୍ରଥମ କିସ୍ତି ପାଇବେ ? ସେ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି। କିନ୍ତୁ ଏନେଇ କାହା ପାଖରେ ସ୍ପଷ୍ଟ ଉତ୍ତର ନଥିବାରୁ ଆଶଙ୍କାରେ ପଡିଛନ୍ତି। ତେବେ ମାର୍ଚ୍ଚ ୮ ଭିତରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ମିଳିବ ବୋଲି କୁହାଯାଉଛି ।