କନକ ବ୍ୟୁରୋ: ରାତି ତମାମ ବନ ବିଭାଗର ପ୍ରୟାସ ପରେ ଧରାପଡ଼ିଲା ବଉଳା କୁମ୍ଭୀର । ୭ଫୁଟ ୬ଇଞ୍ଚ ଲମ୍ବର ଏହି କୁମ୍ଭୀରକୁ ଧରିବା ପରେ ବନବିଭାଗ ପକ୍ଷରୁ ଭିତରକନିକାରେ ଛଡ଼ାଯାଇଥିବା ଜଣାପଡିଛି । ଭୋଗରାଇ ବ୍ଲକ ବିଚିତ୍ରପୁର ବେଳାଭୂମିରେ କୁମ୍ଭୀର ଠାବ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ନେଇ ଭୟଭୀତ ହୋଇପଡ଼ିଥିଲେ । ଗତକାଲି ମଧ୍ୟାହ୍ନରୁ ବନବିଭାଗ କୁମ୍ଭୀରଟିକୁ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ରାତି ୧ଟାରେ କୁମ୍ଭୀରଟି ବନବିଭାଗ ହାତରେ ଧରାପଡ଼ିଥିଲା। ଏହାପରେ କୁମ୍ଭୀରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଭିତରକନିକା ମଧ୍ୟରେ ଛଡ଼ାଯାଇଥିବା ଜଣାପଡିଛି। 

Advertisment

ସେହିପରି କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର । ନଦୀରେ ଗାଧୋଇଥିବାବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡା ମହାକାଳପଡା ବ୍ଲକ ଲୁଣିମାଠିଆ ଗାଁରୁ ଆସିଛି ଅଭାବନୀୟ ଖବର । ଗାଁର ଦୀପୁ ଆହାଡି ନାମକ ଯୁବକ ଗତକାଲି ସନ୍ଧ୍ୟାରେ ନଦୀରେ ଗାଧୋଉଥିବାବେଳେ ହଠାତ୍ କୁମ୍ଭୀର ଆକ୍ରମଣ କରିଥିଲା । ତେବେ କୌଶଳ କ୍ରମେ କୁମ୍ଭୀର କବଳରୁ ଖସି ଆସିଥିଲେ ଦିପୁ । ତାଙ୍କୁ ଗୁରୁତର ଅବସ୍ଥାରେ ମହାକାଳପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦିପୁଙ୍କର ବାମ ଜଙ୍ଘରେ ଗଭୀର ଆଘାତ ଲାଗିଛି । ଜୀବନ ବଞ୍ଚାଇବାକୁ ଯାଇ କୁମ୍ଭୀର ଆଖିରେ ଆଙ୍ଗୁଠି ଗେଞ୍ଜିଦେବାରୁ କୁମ୍ଭୀର ଛାଡି ଦେଇଥିଲା ବୋଲି କହିଛନ୍ତି ଦୀପୁ ।