କନକ ବ୍ୟୁରୋ : ଟେବୁଲ ଉପରେ ୫୦୦,୨୦୦, ୧୦୦ ଟଙ୍କିଆ ନୋଟ୍ ବିଡା । ୪ରୁ ୫ ଜଣ ବ୍ୟକ୍ତି ଗଣିବାରେ ପୂରା ବ୍ୟସ୍ତ। ଏ କୌଣସି ବ୍ୟାଙ୍କର ଲକର ରୁମ ନୁହେଁ। ବରଂ ରାୟଗଡା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘର । ଆଉ ଟଙ୍କା ଗଣୁଥିବା ବ୍ୟକ୍ତି ହେଉଛନ୍ତି ଭିଜିଲାନ୍ସ ବିଭାଗର ଅଧିକାରୀ। ଗତକାଲି ଠିକଦାରଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଥିଲେ ପୂର୍ଣ୍ଣଚନ୍ଦ୍ର। ଏହାପରେ ବାସଭବନରେ ଆରମ୍ଭ ହୋଇଥିଲା ରେଡ। ସକାଳୁ ରାତି ପର୍ୟ୍ୟନ୍ତ ଚାଲିଲା ରେଡ୍। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୂର୍ଣ୍ଣଚନ୍ଦ୍ରଙ୍କ ଘରୁ ଯାହା ମିଳିଲା ତାହା ଦେଖି ଭିଜିଲାନ୍ସ ଅଧିକାରୀ ମଧ୍ୟ ତାଜୁବ ହୋଇଯାଇଥିଲେ। ଚଢାଉ ବେଳେ, 
-    ବାସଭବନରୁ ନଗଦ ୧୪ ଲକ୍ଷ ୮୦ ହଜାର ଟଙ୍କା, ୨୫ ଭରି ସୁନା ଜବତ
-    ଟିକିରିରୁ ୧ କୋଟି ମୂଲ୍ୟର କୋଠା, ସ୍ତ୍ରୀଙ୍କ ନାଁରେ ୪ଟି ପ୍ଲଟ, ୪ ଚକିଆ ଦାମୀ ଗାଡି ଜବତ
 କେବଳ ରାୟଗଡା ନୁହେଁ ଛତ୍ରପୁରର ବିଇଓ ସୀତାରାମ ପାତ୍ର ମଧ୍ୟ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି। ବିଇଓଙ୍କ ବାସଭବନରୁ ପ୍ରାୟ ନଗଦ ୬ ଲକ୍ଷ ଟଙ୍କା ଜବତ ହୋଇଛି। ଏଥିସହ ମୋଟ ୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। 
  ମୋହନ ସରକାରରେ ସକ୍ରିୟ ଭିଜିଲାନ୍ସ । 
  ଦୁର୍ନୀତିଖୋର ବାବୁଙ୍କ ବଢ଼ୁଛି ବିପି
ବିଜେଡି ସରକାର ବଦଳି ବିଜେପି ସରକାର ଆସିବା ପରେ ଲଗାତାର ଭାବେ ଦୁର୍ନୀତିଖୋର ଅଧିକାରୀଙ୍କୁ ଧରୁଛି ଭିଜିଲାନ୍ସ। ଏହା ଭିତରେ ଭିଜିଲାନ୍ସ ଏମିତି କିଛି କୁବେର ବାବୁଙ୍କୁ ଧରିଛି, ଯେଉଁମାନଙ୍କର ସମ୍ପତ୍ତି ଉଭା ଯେତିକି ପୋତା ସେତିକି। ପ୍ରଶ୍ନ ଉଠୁଛି, 
-    ପୂର୍ବରୁ ଭିଜିଲାନ୍ସ ସ୍କାନରରେ କାହିଁକି ଆସୁନଥିଲେ ଏହି କୁବେରବାବୁ?
-    କିଏ ଏମାନଙ୍କୁ ଦେଉଥିଲା ସୁରକ୍ଷା?
-    ସୁରକ୍ଷାଦାତାଙ୍କୁ ମିଳୁଥିଲା କି କଳା ଟଙ୍କାର ଭାଗ?

Advertisment

ପୂର୍ବ ସରକାର ସ୍ବଚ୍ଛ ଶାସନର ନାରା ଦେଉଥିବା ବେଳେ ଏବେ ପ୍ରତିଦିନ ଭିଜିଲାନ୍ସ ଜାଲରେ ପଡୁଛନ୍ତି ଦୁର୍ନୀତିଖୋର ବାବୁ। ଯାହା ପୂର୍ବ ସରକାରକୁ ଘେରିବାକୁ ଶାସକ ବିଜେପି ପାଇଁ ସୁଯୋଗ ଆଣି ଦେଇଛି।