କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଆଜି ୫ଟି ବଡ଼ ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ  ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କୃଷକ କଲ୍ୟାଣକୁ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ଖରିଫ୍ ଋତୁ ପୂର୍ବରୁ ଧାନ ଉପରେ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ୨ ଲକ୍ଷ ୭ ହଜାର କୋଟିର ବଜେଟକୁ ମଞ୍ଜୁରୀ ମିଳିଛି । ଏହାସହ କୃଷକଙ୍କୁ ସ୍ୱଳ୍ପ ସୁଧହାରରେ ଋଣ ଯୋଗାଇବାକୁ ସରକାର ସୁଧ ସହାୟତା ଯୋଜନା ଘୋଷଣା କରିଛନ୍ତି । କେବଳ ଧାନ ନୁହେଁ କେନ୍ଦ୍ର ସରକାର ମାଣ୍ଡିଆ କୁଇଣ୍ଟାଲ ଉପରେ ୫୯୬ ଟଙ୍କା, ହରଡ଼ ଡାଲି କୁଇଣ୍ଟାଲ ଉପରେ ୪୫୦ ଟଙ୍କା ମଧ୍ୟ ବୃଦ୍ଧି କରିଛନ୍ତି । 

Advertisment

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି କି, ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୬୯ ଟଙ୍କା ବୃଦ୍ଧି କରିଛନ୍ତି । ଗତବର୍ଷ ଧାନର ସହାୟକ ମୂଲ୍ୟ ୨୩ ଶହ ଟଙ୍କା ଥିବା ବେଳେ ଏଥର ଚାଷୀ କୁଇଣ୍ଟାଲ ପ୍ରତି ୨୩୬୯ ଟଙ୍କାରେ ମଣ୍ଡିରେ ବିକ୍ରି କରିପାରିବେ । ଏହାସହ ବିଭିନ୍ନ ରାଜ୍ୟର ସରକାରମାନେ ଚାଷୀଙ୍କୁ ସହାୟତା ମୂଲ୍ୟ ବାଦ୍ ବୋନସ୍ ମଧ୍ୟ ପ୍ରଦାନ କରୁଛନ୍ତି । ତାହା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରିଥାଏ । ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ସହାୟକ ମୂଲ୍ୟ ବାଦ୍ ଚାଷୀଙ୍କୁ ଗତବର୍ଷ କୁଇଣ୍ଟାଲ ପ୍ରତି ୮ଶହ ଟଙ୍କା ବୋନସ୍ ପ୍ରଦାନ କରିଥିଲେ । ଚଳିତ ବର୍ଷ ସେହି ବୋନସ୍ ଯଦି ଜାରି ରହେ ତେବେ ରାଜ୍ୟର କୃଷକମାନେ ଧାନ କୁଇଣ୍ଟାଲ ୩୧୬୯ ଟଙ୍କାରେ ବିକ୍ରି କରିବେ । 

କେବଳ ସେତିକି ନୁହେଁ ଚାଷକାମ ପାଇଁ ଚାଷୀଭାଇ ନେଉଥିବା ଋଣ ଉପରେ ସୁଧହାର କମ୍ କରିବାକୁ କେନ୍ଦ୍ର ସରକାର ସୁଧ ସହାୟତା ଯୋଜନା ଲାଗୁ କରିଛନ୍ତି । ଏଥିପାଇଁ କେନ୍ଦ୍ର ବଜେଟରୁ ୧୫ ହଜାର ୬୪୨ ଟଙ୍କା ଖର୍ଚ୍ଚ କରାଯିବ । କେବଳ କିଷାନ କ୍ରେଡିଟ୍ କାର୍ଡ ପାଇଥିବା ଚାଷୀମାନେ ଏହି ଯୋଜନାର ଲାଭ ଉଠାଇପାରିବେ ।