କନକ ବ୍ୟୁରୋ : ଉପରାଷ୍ଟ୍ରପତି ପଦ ପାଇଁ ଏନ୍‌ଡିଏ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରିଛି । ଏବେ ବିରୋଧୀ ଦଳର ପ୍ରାର୍ଥୀଙ୍କ ପାଳି । ଏନଡିଏର ପ୍ରାର୍ଥୀ ଘୋଷଣା ପରେ 'ଇଣ୍ଡିଆ' ମେଣ୍ଟର ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, 'ଇଣ୍ଡିଆ' ମେଣ୍ଟ ରାଜ୍ୟସଭା ସାଂସଦ ତିରୁଚି ଶିବାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିପାରେ । ତିରୁଚି ଶିବା ମଧ୍ୟ ତାମିଲନାଡୁର, ଯେଉଁଠାରୁ ଏନଡିଏ ନିଜ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ଘୋଷଣା କରିଛି । ଯଦି ଏପରି ହୁଏ, ତେବେ ଏହା ନିଶ୍ଚିତ ଯେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ଦକ୍ଷିଣ ଭାରତରୁ ହେବେ ।

Advertisment

ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାର ଅଛି । ଏନଡିଏ ଦ୍ୱାରା ସିପି ରାଧାକ୍ରିଷ୍ଣନଙ୍କ ନାମ ଆଗକୁ ବଢାଇବା ପଛରେ ଏହି ନିର୍ବାଚନକୁ ଏକ ବଡ଼ କାରଣ ବୋଲି କୁହାଯାଉଛି । ବିଜେପି ସିପି ରାଧାକ୍ରିଷ୍ଣନଙ୍କୁ ତାମିଲନାଡୁ ବିଧାନସଭା ନିର୍ବାଚନରେ ବ୍ୟବହାର କରିବ । ଏଭଳି ସ୍ଥିତିରେ ବିରୋଧୀ ଶିବିର ମଧ୍ୟ ତାମିଲନାଡୁର ଜଣେ ବରିଷ୍ଠ ନେତାଙ୍କ ଉପରେ ବାଜି ଲଗାଇପାରେ । ତିରୁଚି ଶିବା ଦୀର୍ଘ ସମୟ ଧରି ଦିଲ୍ଲୀ ରାଜନୀତିରେ ସକ୍ରିୟ ଅଛନ୍ତି ।

ଦିଲ୍ଲୀରେ ‘ଡିଏମ୍‌କେ’ର ଚାଣକ୍ୟ ତିରୁଚି ଶିବା

ଦିଲ୍ଲୀରେ ‘ଡିଏମ୍‌କେ’ର ଋଣନୀତି ସେ ହିଁ ସ୍ଥିର କରନ୍ତି । ସଂସଦରେ ଦଳର କ'ଣ ଆଭିମୁଖ୍ୟ ରହିବ, ତାହା ମଧ୍ୟ ସେ ହିଁ ନିଷ୍ପତ୍ତି ନିଅନ୍ତି । ତିରୁଚି ଶିବା ଦୀର୍ଘ ସମୟ ଧରି ରାଜ୍ୟ ଏବଂ କେନ୍ଦ୍ର ଉଭୟ ସ୍ତରରେ ଦଳର ରଣନୈତିକ ଚେହେରା ରହିଆସିଛନ୍ତି । କେନ୍ଦ୍ର ଓ ରାଜ୍ୟ ସ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସମିତି ବିଷୟରେ ସେ ଭୂମିକା ତୁଲାଇଛନ୍ତି । ତିରୁଚି ଶିବାଙ୍କୁ ପ୍ରାର୍ଥୀ ଭାବରେ ବାଛିବା ଦ୍ୱାରା ବିରୋଧୀଙ୍କୁ ଆଞ୍ଚଳିକ ରାଜନୀତିର ଜଟିଳତା ସହ ମୁକାବିଲା କରିବାରେ ସାହାଯ୍ୟ ମିଳିପାରେ ।

ତିରୁଚି ଶିବା ସାମାଜିକ ନ୍ୟାୟ, ରାଜ୍ୟମାନଙ୍କର ସ୍ୱାର୍ଥ ଏବଂ ସଂଘୀୟ ବ୍ୟବସ୍ଥା ଉପରେ ବହୁତ କାମ କରିଛନ୍ତି । ଯଦି 'ଇଣ୍ଡିଆ' ମେଣ୍ଟ ତିରୁଚି ଶିବାଙ୍କ ନାମ ଘୋଷଣା କରେ, ତେବେ ଏହା ଏକ ସ୍ପଷ୍ଟ ସନ୍ଦେଶ ଦେବ ଯେ ବିରୋଧୀ ତାମିଲନାଡୁ ରାଜନୀତିକୁ ସହଜରେ ଛାଡ଼ିବାକୁ ଚାହୁନାହାନ୍ତି । ଏଭଳି ପରିସ୍ଥିତିରେ ଉପରାଷ୍ଟ୍ରପତି ନିର୍ବାଚନ ଆସନ୍ତା ବର୍ଷ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନର ସେମିଫାଇନାଲ୍ ହୋଇପାରେ ।