କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଏଚପିଭି (HPV) ଟୀକାକରଣ ଅଭିଯାନର ଶୁଭାରମ୍ଭ କରିବେ । ଜରାୟୁ କର୍କଟ ବା ଗର୍ଭାଶୟ ଗ୍ରୀବା କର୍କଟକୁ ନିୟନ୍ତ୍ରଣ କରିବା ସହ ମାନବ ପାପିଲୋମା ଭୂତାଣୁ (HPV) ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ମହିଳା ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ଦେଶବ୍ୟାପୀ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ରାଜ୍ୟସ୍ତରରେ ଏହି ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Advertisment

ଅଧିକ ପଢ଼ନ୍ତୁ : କନ୍ଧମାଳରେ ବଡ଼ ଅପରେସନ: ୩୦ କୋଟିର ଗଞ୍ଜେଇ ଜବତ, ୭୪ ଗିରଫ

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩ ଲକ୍ଷ ୩୬ ହଜାର କିଶୋରୀ ବାଳିକାଙ୍କୁ ଏହି ଟୀକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ବିଶେଷକରି ୧୪ରୁ ୧୫ ବର୍ଷ ବୟସର କିଶୋରୀମାନଙ୍କୁ ଲକ୍ଷ୍ୟ କରି ଏହି ଅଭିଯାନ ଚାଲିବ । ଆଗାମୀ ୩ ମାସ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଟୀକା ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛି । ପ୍ରଥମ ମାସରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟୀକାକରଣ କାର୍ଯ୍ୟକ୍ରମ ଚାଲିବ ।

ଦ୍ୱିତୀୟ ଓ ତୃତୀୟ ମାସରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଏହା ଉପଲବ୍ଧ ହେବ । ଚିକିତ୍ସକମାନଙ୍କ କହିବା ଅନୁଯାୟୀ, HPV ଏକ ସାଧାରଣ ଭୂତାଣୁ ହେଲେ ମଧ୍ୟ ଦୀର୍ଘ ସମୟ ଧରି ଶରୀରରେ ରହିଲେ ଗର୍ଭାଶୟ ଗ୍ରୀବା କର୍କଟର କାରଣ ହୋଇପାରେ । ଏହି ଟୀକା ସୁରକ୍ଷିତ ଓ ପ୍ରଭାବଶାଳୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।