କନକ ବ୍ୟୁରୋ : ଆଧୁନିକ ଏବଂ ପରମ୍ପରାର ସନ୍ତୁଳନକୁ ନେଇ ଆଗକୁ ବଢ଼ି ଚାଲିଥିବା ଦେଶ ହେଉଛି ଭାରତ । ଯେଉଁଠି ୧୨ ଜ୍ୟୋର୍ତିଲିଙ୍ଗ ଏବଂ ଚାରିଧାମର ଯେତିକି ମାନ୍ୟତା ଏବଂ ଆସ୍ଥା ରହିଛି ସେଇଠି ମେଟ୍ରୋ ସୁବିଧା , ବଡ଼ ବଡ଼ ସ୍ମାରକ ଏବଂ ଇନଫ୍ରାଷ୍ଟ୍ରକ୍ଚରକୁ ମଧ୍ୟ ସେତିକି ବାଃ ବାଃ ଶୁଣିବାକୁ ମିଳୁଛି । ଏହି ସ୍ମାରକ ହିଁ ଦେଶର ମହାନତା ଏବଂ ବିବିଧତାର ପ୍ରତିକ । ଆଉ ଏମିତି ହିଁ ଏକ ପ୍ରତିକ ହେଉଛି ସିଟି ଅଫ୍ ଜଏ ବୋଲାଉଥିବା ସହରର ହାୱଡା ବ୍ରିଜ୍ । ଯାହା କିଛି ବର୍ଷ ପୂର୍ବରୁ ଖୁର୍ବ ଚର୍ଚ୍ଚାରେ ରହିଥିଲା । ୧୯୪୩ ମସିହାରେ ତିଆରି ହୋଇଥିବା କୋଲକାତାର ହାୱଡା ବ୍ରିଜ୍ ଯାହା ଭାରତର ସ୍ବାଧୀନତା ସଂଗ୍ରାମରେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା । ଯେଉଁଥିପାଇଁ ଇତିହାସରେ ମଧ୍ୟ ଏହାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ବ୍ରିଜଟି ବିନା କୌଣସି ନଟ୍-ବୋଲ୍ଟରେ ତିଆରି ହୋଇଛି । ଏତେ ବଡ଼ ବ୍ରିଜ୍ ଯେଉଁଠି ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଗାଡ଼ି,ମଟର ଯା’ଆସ କରନ୍ତି ସେଥିରେ କୌଣସି ନଟ୍ , ବୋଲ୍ଟ ଲାଗିନି ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ନା’.. ପାଠକବନ୍ଧୁ ହଁ ଅଜବ ଲାଗୁଥିଲେ ବି କଥାଟି ଶତ ପ୍ରତିଶତ ସତ । ଶକ୍ତିଶାଳୀ ଏବଂ ସ୍ଥାୟୀ ସଂରଚନା ସାଙ୍ଗକୁ ବ୍ରିଜ୍ ନିର୍ମାଣ କରିଥିବା ଶ୍ରମିକଙ୍କ ଦୂରଦର୍ଶିତାର ପ୍ରମାଣ କେତେ ଉଚ୍ଚକୋଟିର ଥିଲା ତାହା ଏହି ପୋଲକୁ ଦେଖିଲେ ଜଣାପଡ଼େ ।  

Advertisment
chepa
chepa Photograph: (google)

୧୯୪୩ ରେ ହିଁ ଯେତେବେଳେ ଜାପାନର ବାୟୁସେନା ୧୩୧ ଟି ବୋମା ପଶ୍ଚିମବଙ୍ଗ ଉପରେ ପକାଇଥିଲା ଏଥିରୁ ୨,୩ ଟି ବୋମା ହାୱଡା ବ୍ରିଜ୍ ଉପରେ ମଧ୍ୟ ପଡ଼ିଥିଲା କିନ୍ତୁ ବ୍ରିଜ୍ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା । ଏମିତି କି ଅନେକ ଭୂମିକମ୍ପ ଆସିଗଲାଣି କିନ୍ତୁ ବ୍ରିଜର କୌଣସି କ୍ଷତି କରିପାରିନାହିଁ । ହେଲେ ୨୦୧୩ରେ ଇଞ୍ଜିନିୟରମାନେ ଏଥିରେ ଅସୁବିଧା ଲକ୍ଷ୍ୟ କରିଥିଲେ ଯାହା ପଛରେ ମୁଖ୍ୟ ଖଳନାୟକ ଥିଲା ଗୁଟଖା ଏବଂ ପାନ ଛେପ । ଶକ୍ତିଶାଳୀ ହାୱଡ଼ା ବ୍ରିଜକୁ ରୁଗଣ କରୁଛି ପାନ ଛେପ । ବ୍ରିଜ୍ ଉପରେ ଚାଲୁଥିବା ଲୋକ ଗୁଟଖା ଖାଇ ସାଇଟରେ ଛେପ ପକାନ୍ତି । ଆଉ ଛେପ ବ୍ରିଜ୍ ପାଇଁ ବିଷ ପାଲଟି ଯାଇଛି । ଯେଉଁଥିପାଇଁ ଏହାକୁ ଦିନରେ ୨ ଥର ବନ୍ଦ ମଧ୍ୟ କରାଯାଏ । ଛତିଶଗଡ଼ କ୍ୟାଡରର IAS ଅଫିସର ଅବନିଶ ଶରଣ ମଧ୍ୟ ଏହାକୁ ନେଇ ଟ୍ବିଟ୍ କରି କହିଥିଲେ ଯେ ୭୭ ବର୍ଷର ହାୱଡ଼ା ବ୍ରିଜକୁ ଗୁଟଖା ଖାଉଥିବା ଲୋକ ଆକ୍ରମଣ କରୁଛନ୍ତି । ଏନେଇ କୋଲକାତା ପୋର୍ଟ ଟ୍ରଷ୍ଟ୍ ବ୍ରିଜକୁ ବଞ୍ଚାଇବା ପାଇଁ ଷ୍ଟିଲ୍ ଉପରେ ଫାଇବର୍ ଗ୍ଲାସ୍ ଲଗାଇ ଘୋଡ଼ାଇ ରଖିଛି । ଯାହାଦ୍ବାରା ଛେପ ଷ୍ଟିଲ୍ ଭିତରକୁ ଯିବ ନାହିଁ ଏବଂ ଜଙ୍ଗ୍ ଲାଗିବାର ଭୟ ମଧ୍ୟ ରହିବ ନାହିଁ । ଏକ ରିପୋର୍ଟରେ ଟ୍ରଷ୍ଟ୍ କହିଛି ଯେ ବ୍ରିଜର ଖମ୍ବ ଏବଂ ହ୍ୟାଙ୍ଗରର ସୁରକ୍ଷା କରୁଥିବା ଷ୍ଟିଲ୍ ହୁଡ୍ ର ଶକ୍ତି ଗତ ୪ ବର୍ଷ ଭିତରେ ୫୦ % କମିଯାଇଛି । ଅଧା ଚୋବାଇଥିବା ପାନମସଲା,ପାନପତ୍ର,ଚୂନ,ସୁପାରୀ ଏବଂ ତମାଖୁ ଆଦିର ରାସାୟନିକ ପଦାର୍ଥ ଷ୍ଟିଲକୁ ରୁଗଣ କରୁଛି । ଏହାଛଡ଼ା ଖରା,ବର୍ଷାର ମଧ୍ୟ ପ୍ରଭାବ ରହୁଛି । ଯେଉଁଥିପାଇଁ ବ୍ରିଜ୍ ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଛି ।

ତେବେ ଖାଲି ହାୱଡ଼ା ବ୍ରିଜ୍ କାହିଁକି ଟ୍ରେନ୍ , ବସଷ୍ଟାଣ୍ଡ୍ , ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନରେ ମଧ୍ୟ ପାନଛେପରେ କୃତ୍ରିମ କଳାକୃତି ଦେଖିବାକୁ ମିଳୁଛି । ଗୁଟଖା ଖାଉଥିବା ଲୋକଙ୍କ ପାଟିରୁ ତ ଛେପ ବାହାରି ଯାଉଛି କିନ୍ତୁ ସଫା , ସୁନ୍ଦର ଦେଖାଯାଉଥିବା ସ୍ଥାନଟି ମଳିନ ପଡ଼ିଯାଉଛି । ଆଉ ବର୍ଷେ କି ୨ ବର୍ଷ ସମୟ ବିତିଗଲେ ଉକ୍ତ ସ୍ଥାନଟି ହୋଇଯାଉଛି ସାର୍ବଜନୀନ ପିକଦାନ । ମାଇକ୍ ଲଗାଇ ସଚେତନ କରାନ୍ତୁ ଅବା ଘର ଘର ବୁଲି ବୁଝାନ୍ତୁ ଯେଉଁ ପର୍ଯ୍ୟନ୍ତ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ନ ଆସିଛି ସେ ପର୍ଯ୍ୟନ୍ତ କେହି କିଛି କରିପାରିବେ ନାହିଁ । କେବଳ ଘରେ ଝାଡ଼ୁ ମାରିଦେଲେ ସହର ସୁନ୍ଦର ହୁଏନି ଘର ବାହାରେ ମଧ୍ୟ ସଚେତନ ନାଗରିକ ହେବାର କର୍ତ୍ତବ୍ୟ ପାଳନ କରିବାକୁ ପଡ଼ିବ ।