କନକ ବ୍ୟୁରୋ: ୧୪୪ ବର୍ଷ ପରେ ଏଥର ମହାକୁମ୍ଭ ପଡ଼ିଛି । ଦୁର୍ଲଭ ଯୋଗ ଥିବାରୁ କୋଟି କୋଟି ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇ ହୋଇଛନ୍ତି କୃତ୍ୟକୃତ୍ୟ । ଉତ୍ତରପ୍ରଦେଶ ସହ ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ, ସାଧୁ ଓ ସନ୍ଥଙ୍କ ଭିଡ଼ ଜମିଛି ପ୍ରୟାଗରାଜରେ । କେବଳ ଦେଶ ନୁହେଁ ବରଂ ବିଦେଶରୁ ବି ଶ୍ରଦ୍ଧାଳୁମାନେ ଆସି ସଙ୍ଗମରେ ବୁଡ଼ ପକାଇଥିବା କଣାପଡ଼ିଛି । କୁହାଯାଉଛି କି, ସାଢେ ତିନି କୋଟି ଶ୍ରଦ୍ଧାଳୁ ବିଶ୍ବାସର ବୁଡ଼ ପକାଇଛନ୍ତି କୁମ୍ଭମେଳାରେ । ହେଲେ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ କେମିତି ଗଣାଯାଉଛି ସେନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । କାରଣ ଲୋକ ଗଣିବା କିଛି ସହଜ କଥା ନୁହେଁ । 

Advertisment

ପୌଷ ପୂର୍ଣ୍ଣିମାରେ ଦେଢ କୋଟି ଶ୍ରଦ୍ଧାଳୁ ପକାଇଛନ୍ତି ବୁଡ଼
ବୁଡ଼ ପକାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ନଜର ରଖିଛି ଟିମ୍‌

କୁମ୍ଭମେଳାରେ କେତେ ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନଥାଏ । କିନ୍ତୁ କେତେ ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି ସେମାନଙ୍କ ଉପରେ ନଜର ରଖିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ପ୍ରସ୍ତୁତ କରିଛନ୍ତି ଯୋଗୀ ସରକାର । ଯେଉଁମାନେ ପ୍ରତି ସେକେଣ୍ଡରେ କେତେ ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି ତାହା ଉପରେ ନଜର ରଖିଛନ୍ତି । ସୂଚନା ଅନୁସାରେ, ପ୍ରତି ମୁହୂର୍ତ୍ତରେ କେତେ ସଂଖ୍ୟାରେ ଲୋକେ ବୁଡ ପକାଉଛନ୍ତି ତାହାକୁ ଗଣାଯାଉଛି । ସେହି ଆଧାରରେ ପ୍ରତି ଘଂଟାରେ ଏବଂ ୪୮ ଘଂଟାରେ କେତେ ବୁଡ଼ ପକାଇଲେ ଗଣାଯାଉଛି ।

ଡ୍ରୋନ ବି ଗଣୁଛି ଲୋକ

ପ୍ରୟାଗରାଜରେ ଏବେ ଅସମ୍ଭାଳ ଭିଡ଼ । ଯେହେତୁ ୧୪୪ ବର୍ଷ ପରେ ମହାକୁମ୍ଭ ଯୋଗ ପଡୁଛି ତେଣୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ହେବା ସୁନିଶ୍ଚିତ । ଦିନେ କି ଦୁଇଦିନ ନୁହେଁ ବରଂ ୪୫ ଦିନ ପର୍ଯ୍ୟନ୍ତ ଚାଲିବ କୁମ୍ଭମେଳା । ତେଣୁ ଲୋକଙ୍କ ଉପରେ ଡ୍ରୋନ ନଜର ରଖି କହୁଛି କେଉଁଠାରେ କେତେ ସଂଖ୍ୟାରେ ଲୋକ ଅଛନ୍ତି । କେବଳ ଏତିକି ନୁହେଁ ବରଂ ଯେଉଁମାନେ ମୋବାଇଲ ବ୍ୟବହାର କରୁଛନ୍ତି ସେମାନେ ପ୍ରୟାଗରାଜର ଏକ ସ୍କାନରରେ ନିଜ ମୋବାଇଲ ସ୍କାନ କରୁଛନ୍ତି । ଯାହା ଶ୍ରଦ୍ଧାଳୁଙ୍କୁ ଗଣିବାରେ ସାହାଯ୍ୟ କରୁଛି । କୁମ୍ଭମେଳାର ଦାୟିତ୍ବରେ ଥିବା ଜଣେ ପ୍ରଶାସନିକ ଅଧିକାରୀଙ୍କ କହିବା ଅନୁସାରେ, ଡ୍ରୋନ ଏବଂ ସ୍ବତନ୍ତ୍ର ଟିମ୍‌ ଲୋକ ଗଣିବା ସଂଖ୍ୟାରେ ନିୟୋଜିତ ଅଛନ୍ତି । ପ୍ରତିଟି ଅପଡେଟ୍‌ ସେମାନେ ଦେଉଛନ୍ତି, ସେହି ଆଧାରରେ ଶ୍ରଦ୍ଧାଳୁଙ୍କୁ ଗଣାଯାଉଛି ।

ଏଥର କୁମ୍ଭମେଳା କାହିଁକି ନିଆରା

୧୪୪ ବର୍ଷର ପ୍ରତୀକ୍ଷା ପରେ ଗଙ୍ଗା-ଯମୁନା ଓ ସରସ୍ବତୀ ନଦୀଙ୍କ ମିଳନ ସ୍ଥଳୀରେ ପୌଷ ବୁଡ଼ । ପୂର୍ଣ୍ଣମୀର ବ୍ରାହ୍ମ ମୁହୂର୍ତ୍ତ ଭୋର ୫ଟା ୩ ମିନିଟରୁ ଆରମ୍ଭ ହୋଇଥିଲା ମହାବୁଡ଼ । ରାତି ପାହିଲା ବେଳକୁ ଆକାଶ ମାର୍ଗରୁ ଉତ୍ତୋଳିତ ଚିତ୍ର ସ୍ପଷ୍ଟ ବଖାଣୁଥିଲା ସଂଗମରେ ସ୍ନାନ ପାଇଁ କେମିତି ଆତୁର ଥିଲେ କୋଟିକୋଟି ସାଧୁ-ସନ୍ଥ । ଖାଲି ସାଧୁ ସନ୍ଥ ନୁହଁନ୍ତି ବରଂ କୋଟି କୋଟି ଶ୍ରଦ୍ଧାଳୁ ବି ବୁଡ଼ ପକାଇଥିଲେ । ପୁଣ୍ୟୋତ୍ବୟା ଗଙ୍ଗା, ଯମୁନା ଓ ସରସ୍ବତୀଙ୍କ ମିଳନ ସ୍ଥଳୀରେ ବୁଡ଼ ପକାଇ ସମସ୍ତେ କୃତ୍ୟକୃତ୍ୟ । ବୁଡ଼ ପକାଇଲା ବେଳେ ଖାତିର ନଥିଲା ହାଡ଼ଭଙ୍ଗା ଶୀତ ରାତିକୁ, ଖାତିର ନଥିଲା ମାଇଲ ମାଇଲ ବାଟ ଚାଲିବାର ଯନ୍ତ୍ରଣାକୁ । ମହାକୁମ୍ଭର ପ୍ରଥମ ସ୍ନାନ ଯୋଗରେ ସାମିଲ ହେବାକୁ ରବିବାର ରାତିରୁ ସଂଗମ ତଟ୍ଟ ମୁହାଁ ହୋଇଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ଏଣେ ହୋମ ଯଜ୍ଞ ଓ ଆଳତୀ ସାଙ୍ଗକୁ ବେଦ ମନ୍ତ୍ରରେ ପ୍ରକମ୍ପିତ ହେଉଛି ପ୍ରୟାଗତୀର୍ଥର ପରିସୀମା । ଯେହେତୁ ୧୪୪ ବର୍ଷ ପରେ ଏଥର ମହାକୁମ୍ଭ ପଡୁଛି ତେଣୁ ସାଧୁ,ସନ୍ୟାସୀଙ୍କ ଭିଡ଼ ବି ଜୋର ହୋଇଛି । ହେଲେ ମହାକୁମ୍ଭରେ ଏଥର ଯେଉଁପରି ଭାବରେ ଶ୍ରଦ୍ଧାଳୁଙ୍କୁ ଗଣାଗଲା ତାହା ଇତିହାସ ମନେ ରଖିବ ବୋଲି ଲୋକେ କହିଲେଣି ।