କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ଓଡିଆ ଅସ୍ମିତା ସାଜିଥିଲା ମୁଖ୍ୟ ପ୍ରସଙ୍ଗ। ନିର୍ବାଚନ ପରେ କିନ୍ତୁ ଏହାର ସେଭଳି ପ୍ରତିଫଳନ ଦେଖିବାକୁ ମିଳୁନି । ନା ପୂର୍ବ ସରକାର ନା ନୂଆ ସରକାର ଓଡିଆ ଭାଷା, ସାହିତ୍ୟ ପ୍ରତି ଦରଦ ନଥିବା ଜଳ ଜଳ କରି ଦେଖାଯାଉଛି । ଏହାର ଏକ ଜ୍ବଳନ୍ତ ଉଦାହରଣ କୋଣାର୍କ ପତ୍ରିକା । ସରକାରୀ ସ୍ତରରେ ଓଡିଆ ଭାଷା ସାହିତ୍ୟର ଟେକ ରଖୁଥିବା ଏହି ପତ୍ରିକା ନିଜ ପରିଚୟ ବଂଚାଇ ରଖିବାକୁ ଆଜି ବି କରୁଛି ସଂଘର୍ଷ । 

Advertisment

ଓଡିଆ ସାହିତ୍ୟର ପ୍ରଚାର ପ୍ରସାର ହେବ । ଲୋକଙ୍କ ପାଖରେ ଓଡିଆ ଭାଷା ପହଂଚିବ । ଏହି ଲକ୍ଷ୍ୟ ନେଇ  ରାଜ୍ୟ ସରକାର ଆରମ୍ଭ କରିଥିଲେ ତ୍ରୈମାସିକ ପତ୍ରିକା କୋଣାର୍କ। ପତ୍ରିକାରେ ପ୍ରକାଶ ପାଉଥିଲା ବଛା ବଛା ଲେଖା। ହେଲେ ବିଡମ୍ବନାର କଥା, ସମୟ ଗଡିବା ସହ ବଦଳିଯାଇଛି ପ୍ରକାଶନର ସମୟ । ଏବେ ତିନି ମାସ ନୁହଁ ବରଂ ଗୋଟିଏ ପତ୍ରିକା ପ୍ରକାଶ ପାଇବାକୁ ଲାଗିଯାଉଛି ଦୁଇ ବର୍ଷ। ଗତ ବର୍ଷ ଜୁଲାଇ ମାସରେ ଏକାଥରକେ ପ୍ରକାଶ ପାଇଥିଲା ୮ଟି ସଂସ୍କରଣ। ୨୧୩ତମ ସଂସ୍କରଣରେ କିଶୋରୀ ଚରଣ ଦାସ ଜନ୍ମ ଶତବାର୍ଷିକୀ ବିଶେଷାଙ୍କ ପ୍ରକାଶ ପାଇଛି। ଏହା ଭିତରେ ୬ମାସ ବିତିଗଲାଣି। ମାତ୍ର ପରବର୍ତ୍ତୀ ସଂସ୍କରଣ କେବେ ପ୍ରକାଶ ପାଇବ ତାର ଉତ୍ତର କାହା ପାଖରେ ନାହିଁ। 

ଶାସନକୁ ଆସିବା ପୂର୍ବରୁ ଓଡିଆ ଅସ୍ମିତା କଥା କହୁଥିଲା ବିଜେପି। ସରକାରକୁ ଆସିଲେ ଓଡିଆ ଭାଷା ଓ ସଂସ୍କୃତିର ଟେକ ରଖିବାକୁ ଅନେକ କାମ କରାଯିବ ବୋଲି ଡିଣ୍ଡିମ ପିଟୁଥଲେ ରାଜନେତା। କିନ୍ତୁ ଦୁର୍ଭାଗ୍ୟର କଥା,  ଓଡିଶା ସାହିତ୍ୟ ଏକାଡେମୀ ପ୍ରକାଶ କରୁଥିବା ପତ୍ରିକା "କୋଣାର୍କ" କଥା ଭୂଲିଯାଇଛନ୍ତି ସରକାର। କେବଳ ପତ୍ରିକା କଥା ଆଢୁଆଳରେ ରହିଯାଇଛି ତା ନୁହେଁ ବରଂ ଏକାଡେମୀର ବିଭିନ୍ନ ପଦ ପଦବୀ ଖାଲି ପଡିଛି। ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଏହି ପତ୍ରିକାର ମୁଖ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାନ୍ତି ,କିନ୍ତୁ ଏହି ପଦ ସମେତ ଅନେକ ପଦ ଫାଙ୍କା ପଡିଛି। ପୂର୍ବ ସରକାର ହୁଅନ୍ତୁ ବା ନୂଆ ଉଭୟଙ୍କର ଓଡିଆ ସାହିତ୍ୟ ପ୍ରତି ଭଲ ପାଇବା ନଥିବାରୁ ଏଭଳି ଅବସ୍ଥା ହୋଇଥିବା ସାହିତ୍ୟିକମାନେ ମତ ରଖିଛନ୍ତି । 

୧୯୫୮ରୁ ପଞ୍ଜିକୃତ ହୋଇଥିବା କୋଣାର୍କ ପତ୍ରିକା ଏବେ ତାର ଅସ୍ତିତ୍ବ ଖୋଜୁଛି । ବିଳମ୍ବରେ ପ୍ରକାଶ ପାଉଛି ସତ କିନ୍ତୁ ପାଠକଙ୍କ ପାଖରେ ପହଞ୍ଚିପାରୁନି । ଓଡିଶା ସାହିତ୍ୟ ଏକାଡେମୀର ବହି ଷ୍ଟୋରରେ ରହିଛି ଅନେକ କୋଣାର୍କ ପତ୍ରିକା। କିନ୍ତୁ ସମୟ ଥାଉ ଥାଉ ଯଦି ସରକାର ଏଥିପ୍ରତି ଆନ୍ତରିକତା ନ ଦେଖାନ୍ତି ତେବେ ପରପୀଢୀ ପାଇଁ କେବଳ ଏହା ଏକ ସ୍ମୃତି ହୋଇଯିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।