କନକ ବ୍ୟୁରୋ : ବିପଦରେ ପଡିଛି ଭାରତର ଧନୀ ରାଷ୍ଟ୍ର ହେବାର ସ୍ୱପ୍ନ । ଭାରତକୁ ଉଚ୍ଚ ଆୟ ସମ୍ପର୍ଣ୍ଣ ଦେଶ ହେବାକୁ ହେଲେ ୨୦୪୭ ସୁଦ୍ଧା ୭.୮ ପ୍ରତିଶତ ଦ୍ରୁତ ଗତିରେ ବିକାଶ କରିବାକୁ ପଡିବ । ନଚେତ୍ ଭାରତର ଧନୀ ହେବାର ସ୍ୱପ୍ନ ସ୍ୱପ୍ନରେ ରହିଯିବ । ଏକଥା ଆମେ କହୁନୁ । ବିଶ୍ୱ ବ୍ୟାଙ୍କର ତାଜା ରିପୋର୍ଟରେ ଏହା ପ୍ରକାଶ ପାଇଛି । ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

Advertisment

ଆଜିର ପରିସ୍ଥିତିରେ ଏହା ସମ୍ଭବ କି? ଆମେ କ’ଣ ପ୍ରକୃତରେ ଏତେ ଶୀଘ୍ର ବିକାଶ କରିପାରିବୁ? କ’ଣ ଆମର ସରକାର, ଆମର ନେତା ଏବଂ ଆମେ ନିଜେ ଏହି ଦ୍ରୁତ ଗତିରେ ପରିବର୍ତ୍ତିତ ବିଶ୍ୱ ସହିତ ତାଳ ଦେଇ ଚାଲିପାରୁଛୁ? ରିପୋର୍ଟ ଆସିବା ପରେ ଏଭଳି ପ୍ରଶ୍ନ ସାମ୍ନାକୁ ଆସିଛି...

ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ପରିସ୍ଥିତି ଯେପରି ଅଛି ସେହିପରି ଜାରି ରଖିଲେ ଦେଶ କେବେବି ଆଗକୁ ବଢିପାରିବ ନାହିଁ । ଆମକୁ ବିଜୁଳି ବେଗରେ ଉନ୍ନତି ଆଣିବାକୁ ପଡିବ । ତଥାପି, ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ, ଆମର ଅର୍ଥନୀତି ଯଥେଷ୍ଟ ବୃଦ୍ଧି ପାଇଛି । ଏହା ପ୍ରକୃତରେ ଚାରିଗୁଣ ବୃଦ୍ଧି ପାଇଛି, ଏବଂ ପ୍ରତି ବ୍ୟକ୍ତିର ହାରାହାରି ଆୟ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି । ଆଜି ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ।

'ଧନୀ' ଦେଶ ହେବା ପାଇଁ କ'ଣ କରିବାକୁ ପଡିବ?
ଭାରତ ପ୍ରଗତିର ପଥରେ ଦ୍ରୁତ ଗତିରେ ଆଗକୁ ବଢୁଛି ସତ, କିନ୍ତୁ ଆଗକୁ ଅନେକ ଚ୍ୟାଲେଞ୍ଜ ରାସ୍ତାରେ ଅପେକ୍ଷା କରି ରହିଛି । ୨୦୦୭-୦୮ ମସିହାରେ ଭାରତ ଏକ 'ନିମ୍ନ ମଧ୍ୟମ ଆୟକାରୀ ଦେଶ' ଥିଲା, ଏବଂ ୨୦୩୨ ସୁଦ୍ଧା ଏହା ଏକ 'ଉଚ୍ଚ ମଧ୍ୟମ ଆୟକାରୀ ଦେଶ' ହେବାର ଆଶା ରଖିଛି । ଗତ ୨୦ ବର୍ଷ ମଧ୍ୟରେ, ଭାରତ ପ୍ରତିବର୍ଷ ହାରାହାରି ୬.୭ ପ୍ରତିଶତ ହାରରେ ବିକାଶ କରୁଛି, ଯାହା ଚୀନ୍ ବ୍ୟତୀତ ଅନ୍ୟ ସମସ୍ତ ପ୍ରମୁଖ ଦେଶ ତୁଳନାରେ ଦ୍ରୁତ । ଆଉ ଏହା ଏକ ଭଲ ଖବର । 

ରିପୋର୍ଟରେ କୁହାଯାଇଛି ଯେ ୨୦୪୭ ସୁଦ୍ଧା ଏକ ଧନୀ ଦେଶ ହେବା ପାଇଁ, ଭାରତର ଆୟ ଆଜି ତୁଳନାରେ ୮ ଗୁଣ ବୃଦ୍ଧି କରିବାକୁ ପଡିବ । ଏଥିପାଇଁ, ଆଗାମୀ ୨୦ ବର୍ଷ ପାଇଁ ବିକାଶର ଗତିକୁ ତ୍ୱରାନ୍ୱିତ ଏବଂ ବଜାୟ ରଖିବାକୁ ପଡିବ । କିନ୍ତୁ ଏହା କରିବା ବହୁତ କଷ୍ଟକର ଏବଂ କେବଳ କିଛି ଦେଶ ଏହା କରିପାରିଛନ୍ତି । ଏହା କରିବା ସହଜ ନୁହେଁ ସତ, କିନ୍ତୁ ଅସମ୍ଭବ ବି ନୁହେଁ । କେବଳ କିଛି ଦେଶ ଅଛନ୍ତି ଯେଉଁମାନେ ୨୦ ବର୍ଷରୁ କମ୍ ସମୟ ମଧ୍ୟରେ 'ମଧ୍ୟମ ଆୟ'ରୁ 'ଉଚ୍ଚ ଆୟ' ଦେଶରେ ପରିଣତ ହୋଇପାରିଛନ୍ତି । ଠିକ୍ ସେହିପରି ବ୍ରାଜିଲ, ମାଲେସିଆ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା ଏବଂ ତୁର୍କୀ ପରି ଅନେକ ଦେଶ ୨୦ ବର୍ଷରୁ ଅଧିକ ସମୟ ଧରି 'ଉଚ୍ଚ ମଧ୍ୟମ ଆୟ' ଦେଶ ମଧ୍ୟରେ ଫସି ରହିଛନ୍ତି । ସେମାନେ ଧନୀ ଦେଶ ହୋଇପାରି ନାହାଁନ୍ତି ।

ଭାରତରେ ନିବେଶ କମିଛି କି?
ଯେକୌଣସି ଦେଶର ପ୍ରଗତି ପାଇଁ ସେଠାକାର ଲୋକମାନଙ୍କ ବଡ ଭୂମୀକା ରହିଥାଏ । ଲୋକେ ନୂତନ ଜିନିଷରେ ଟଙ୍କା ନିବେଶ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହାକୁ ନିବେଶ କୁହାଯାଏ । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଭାରତରେ ନିବେଶ ହ୍ରାସ ପାଇଛି । ୨୦୦୦ ମସିହା ପାଖାପାଖି ନିବେଶ ଯଥେଷ୍ଟ ବୃଦ୍ଧି ପାଇଥିଲା, କିନ୍ତୁ ପରେ ନିବେଶ ହ୍ରାସ ହୋଇଛି । ବିଶ୍ୱର ଧନୀ ଦେଶମାନେ ନିରନ୍ତର ନିବେଶ ବୃଦ୍ଧି କଲେ ଏବଂ ଯେତେବେଳେ ସେମାନଙ୍କର ଆୟ ଏକ ନିର୍ଦ୍ଦିଷ୍ଟ ସ୍ତରକୁ ପହଞ୍ଚିଲା, ନିବେଶ ଆପେ ଆପେ ହ୍ରାସ ପାଇଲା । କିନ୍ତୁ ଭାରତରେ ଏହା ଘଟିଲା ନାହିଁ । ଏଠାରେ ନିବେଶ ହ୍ରାସ ପାଇଛି, ଯେତେବେଳେ ଆୟ ଏବେ ବି କମ୍ ଅଛି । ୧୯୯୦ ଦଶକରେ, ଯେତେବେଳେ ଭାରତରେ ଅନେକ ଆର୍ଥିକ ସଂସ୍କାର ହୋଇଥିଲା, ନିବେଶ ଯଥେଷ୍ଟ ବୃଦ୍ଧି ପାଇଥିଲା । କିନ୍ତୁ ତା’ପରେ, ବିଶେଷକରି ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଆସିବା ପରଠାରୁ, ନିବେଶ ହ୍ରାସ ପାଇବାରେ ଲାଗିଛି । ପୂର୍ବରୁ କମ୍ପାନୀଗୁଡ଼ିକୁ ଋଣ ପାଇବାରେ ବହୁତ ଅସୁବିଧା ହେଉଥିଲା, କିନ୍ତୁ ଏବେ ତାହା ନାହିଁ । ଏବେ କମ୍ପାନୀଗୁଡ଼ିକ ପାଇଁ ପୂର୍ବ ଅପେକ୍ଷା ଋଣ ପାଇବା ସହଜ ହୋଇଯାଇଛି । ତେଣୁ, ବର୍ତ୍ତମାନ ଋଣର ଅଭାବ ନିବେଶ ବୃଦ୍ଧି କରିବାରେ ଏକ ପ୍ରମୁଖ ପ୍ରତିବନ୍ଧକ ନୁହେଁ । ତଥାବି ନିବେଶ ହ୍ରାସ ପାଇଛି । 

'ଯୁବ ଶକ୍ତି'ର ଭଣ୍ଡାର, କିନ୍ତୁ କାମରେ ଲାଗୁନି!
ଭାରତରେ ଯୁବପିଢ଼ିଙ୍କ ସଂଖ୍ୟା ବହୁତ ଅଧିକ, କିନ୍ତୁ ଭାରତ ଏହାର ଫାଇଦା ଉଠାଇ ପାରୁନି । ୨୦୦୦ ରୁ ୨୦୧୯ ମଧ୍ୟରେ, କାମ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା, କିନ୍ତୁ କାମ କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଥିଲା । ପୂର୍ବରୁ ୫୮ପ୍ରତିଶତ ଲୋକ କାମକୁ ଯାଉଥିଲେ, ଏବେ କେବଳ ୪୯ପ୍ରତିଶତ ଲୋକ କାମକୁ ଯାଉଛନ୍ତି । ଆଗାମୀ ୩୦ ବର୍ଷ ମଧ୍ୟରେ ଯୁବପିଢ଼ିଙ୍କ ସଂଖ୍ୟାରେ ଧିରେ ଧିରେ ବୃଦ୍ଧି ଘଟିବ । ବୟସ୍କ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ, ଏହା କର୍ମଜୀବୀ ଲୋକଙ୍କ ଉପରେ ବୋଝ ବୃଦ୍ଧି କରିବ । ଅର୍ଥାତ୍, ଏହି 'ଯୁବ ଶକ୍ତି'ର ଫାଇଦା ଉଠାଇବା ପାଇଁ ଭାରତ ପାଖରେ ଅଧିକ ସମୟ ନାହିଁ । ଯଦି ଆମେ ଏବେ ପଦକ୍ଷେପ ନନେବା, ତେବେ ଆମେ ଏହି ସୁଯୋଗ ହରାଇବସିବା ।

ଆମେ କେବଳ ଚାକିରି ନୁହେଁ, ଭଲ ଚାକିରି ଚାହୁଁଛୁ!
ଭାରତରେ ଚାକିରି ବୃଦ୍ଧି ପାଉଛି କିନ୍ତୁ ସେଥିମଧ୍ୟରୁ ଅଧିକାଂଶ ହେଉଛି କମ୍ ଦରମା ଏବଂ ଖରାପ କାର୍ଯ୍ୟ ପରିସ୍ଥିତି । ବ୍ୟାଙ୍କ, ଆଇଟି କମ୍ପାନୀ ଏବଂ ବଡ଼ ଶିଳ୍ପରେ ନିଯୁକ୍ତି ବୃଦ୍ଧି ଧିମା ରହିଛି । ଆଜି ମଧ୍ୟ, ୪୫ପ୍ରତିଶତରୁ ଅଧିକ ଲୋକ ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଯେଉଁଠାରେ ଆୟ କମ୍ । ଛୋଟ କମ୍ପାନୀଗୁଡ଼ିକରେ ଅଧିକାଂଶ ଚାକିରି ଅନୌପଚାରିକ, ଚାକିରି ସୁରକ୍ଷା ନାହିଁ ଏବଂ ଦରମା ମଧ୍ୟ କମ୍ । 
ଯଦି ଭାରତରେ ଭଲ ଚାକିରି ବୃଦ୍ଧି ପାଏ, ଲୋକଙ୍କ ଆୟ ବୃଦ୍ଧି ପାଏ, ଦାରିଦ୍ର୍ୟ ହ୍ରାସ ପାଏ ତେବେ ଯାଇଁ ଦେଶ ଦ୍ରୁତ ଗତିରେ ବିକାଶ କରିପାରିବ ।