କନକ ବ୍ୟୁରୋ : ଦିନ ଗଡୁଛି ହେଲେ ସରୁନି ଇ-କେୱାଇସି ପ୍ରକ୍ରିୟା । ଟିପ ଚିହ୍ନ ଠାରୁ ଆଧାର ଲିଙ୍କ ସମସ୍ୟା ତ ଖୁନ୍ଦି ହୋଇଛି । କିନ୍ତୁ ଏସବୁରୁ ବଳି ଯାଇଛି ନେଟୱର୍କ ସମସ୍ୟା । ଯାହା ଇ-କେୱାଇସି ସରି ନ ପାରିବା ପଛର ଏକ ବଡ଼ କାରଣ ହୋଇଛି । ତାରିଖ ପରେ ତାରିଖ ଗଡୁଛି ହେଲେ ଶେଷ ହୋଇପାରୁନି ଇ-କେୱାଇସି ପ୍ରକ୍ରିୟା । ଯାହା ରାସନ କାର୍ଡ ହିତାଧିକାରୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହାରି ଭିତରେ ସାମ୍ନାକୁ ଆସିଛି ବିଧାନସଭା ତଥ୍ୟ ।

Advertisment

ରାଜ୍ୟରେ ୫୧ ହଜାର ୧୭୬ ଗାଁରୁ ୨୬୦୩ ଗାଁରେ ନାହିଁ ମୋବାଇଲ ନେଟୱର୍କ । ଏମିତିକି ଆଦିବାସୀ ପ୍ରବଣ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୩୭୫ ଗାଁରେ ନେଟୱର୍କ ନାହିଁ । ରାୟଗଡ଼ା, କୋରାପୁଟ, ମାଲକାନଗିରି ଭଳି ଜିଲ୍ଲାର ବହୁ ଗାଁରେ ଆଜି ବି ପାଇପାରୁନି ନେଟୱର୍କ । ଯାହା ରାସନକାର୍ଡ ଇ-କେୱାଇସିରେ ବଡ଼ ସମସ୍ୟା ସୃଷ୍ଟି କରିଛି । 

ଭୂତ ହିତାଧିକାରୀ ଚିହ୍ନଟ ପାଇଁ ଆରମ୍ଭ ହୋଇଥିବା ଇ-କେୱାଇସି ପ୍ରକ୍ରିୟା ଏବେ ସରକାରଙ୍କ ତଣ୍ଟିରେ କଣ୍ଟା ସାଜିଛି । ଏବେ ସୁଦ୍ଧା ରାଜ୍ୟରେ ୨୩ ଲକ୍ଷ ୪୨ ହଜାରରୁ ଅଧିକ ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ଗଞ୍ଜାମରେ ୨ ଲକ୍ଷ ୮ ହଜାର , ମୟୂରଭଞ୍ଜରେ ୧ ଲକ୍ଷ ୪୦ ହଜାର , କଳାହାଣ୍ଡିରେ ୧ ଲକ୍ଷ ୩୪ ହଜାର ଓ କୋରାପୁଟରେ ୧ ଲକ୍ଷ ୪ ହଜାର ହିତାଧିକାରୀ ଇ-କେୱାଇସି କରି ନାହାନ୍ତି । ସେପଟେ ମନ୍ତ୍ରୀ କଣ୍ଟ ବଢ଼ାଇବା ସହ ନେଟୱର୍କ ସମସ୍ୟା ଥିଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କହିଛନ୍ତି । ଯାହାକୁ କାଉଣ୍ଟର କରିଛି ବିଜେଡି । ଖାଲି ନେଟୱର୍କ ସମସ୍ୟା ନୁହେଁ, ହିତାଧିକାରୀଙ୍କ ଟିପ ଚିହ୍ନ ଓ ଆଧାର ଲିଙ୍କ୍‌ ବି ଇ-କେୱାସିରେ ସାଜିଛି ବାଧକ ।