କନକ ବ୍ୟୁରୋ: ପୁଣି ଏକାଠି ହେବେ ଠାକରେ ବ୍ରଦର୍ସ । ଏକାଠି ହୋଇ ଲଢ଼ିବେ ନିର୍ବାଚନ । ମହାରାଷ୍ଟ୍ର ରାଜନୀତିରେ ଏବେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକରେ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି । ଆଉ ଦୁହେଁ ମିଶି ଆଗାମୀ ନଗର ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବେ । ତେବେ ଚଳିତବର୍ଷ ମୁମ୍ବାଇରେ ନଗର ପାଳିକା ନିର୍ବାଚନ ହେବାକୁ ଯାଉଛି, ଆଉ ଏହାପୂର୍ବରୁ ଠାକରେ ବ୍ରଦର୍ସ ନିର୍ବାଚନ ପାଇଁ ଏକାଠି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏମିତି କି ଉଦ୍ଧବ ଠାକରେ ଏନେଇ ଏକ ବଡ଼ ବୟାନ ମଧ୍ୟ ରଖିସାରିଛନ୍ତି ।
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗଣମାଧ୍ୟମକୁ କହିଛନ୍ତି ଯେ, ମୋର ଆଉ ମୋ ଶିବସୈନିକଙ୍କ ଭିତରେ କିଛି ବି କନଫ୍ୟୁଜନ୍ ନାହିଁ । ଏମିତି କି ମହାରାଷ୍ଟ୍ର ନବନିର୍ମାଣ ସେନାର କାର୍ଯ୍ୟକର୍ତ୍ତା ମଧ୍ୟ ଆମ ସମ୍ପର୍କରେ ଅଛନ୍ତି । ସେମାନଙ୍କ ମନରେ ମଧ୍ୟ କୌଣସି ପ୍ରକାର ଦ୍ୱନ୍ଦ୍ୱ ନାହିଁ । ତେବେ ଉଦ୍ଧବ ଠାକରେ ଏମିତି କହିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । କାହିଁକି ନା ଏହା ପୂର୍ବରୁ ରାଜ ଠାକରେଙ୍କ ପୁଅ ଅମିତ ଠାକରେ କହିଥିଲେ ଯେ, ଦୁଇ ଦଳ ଭିତରେ ସିଧା କଥାବାର୍ତ୍ତା ହେବା ଜରୁରୀ । ଆଉ ଏହାପରେ ଉଦ୍ଧବଙ୍କର ଏହି ବୟାନ ଭିନ୍ନ କିଛି ସଙ୍କେତ ଦେଉଛି ।
ଏହାରି ଭିତରେ ଶିବସେନା (ୟୁବିଟି)ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମଧ୍ୟ ଦୁଇ ଭାଇଙ୍କ ଏକାଠି ହେବା ଚର୍ଚ୍ଚାକୁ ବଳ ଦେଇଥିଲେ । ଶୁକ୍ରବାର ସଞ୍ଜୟ ରାଉତ ଏକ ବୟାନ ଦେଇ କହିଥିଲେ ଯେ, ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆମ ଶିବସୈନିକ ମଧ୍ୟ ସକରାତ୍ମକ ଅଛନ୍ତି, କାହିଁକି ନା ଆମର ନେତା ସକରାତ୍ମକ ଅଛନ୍ତି । ତାଙ୍କ କହିବା ମୁତାବକ, ଦୁଇ ନେତାଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହୋଇସାରିଛି । ଏମିତି କି ଉଦ୍ଧବ ଚା’ ପାଣି ପିଇବାକୁ ରାଜ ଠାକରେଙ୍କ ଘରକୁ ମଧ୍ୟ ଯାଇପାରନ୍ତି ବୋଲି ସଞ୍ଜୟ ସୂଚନା ଦେଇଥିଲେ ।
ଜାଣିରଖିବା ଉଚିତ ଯେ, ଉଦ୍ଧବ ଠାକରଙ୍କ ଶିବସେନା (ଅବିଭାଜିତ) ଲମ୍ବା ସମୟ ଧରି ମୁମ୍ବାଇ ନଗର ନିଗମରେ ରାଜ୍ କରିଛି । ୧୯୯୭ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଶିବସେନା ମୁମ୍ବାଇ ନଗର ନିର୍ବାଚନ ଜିତି ଆସିଛି । ହେଲେ ଶିବସେନା ଦୁଇଭାଗ ହେବା ପରେ, ଏବେ ଏହି ନିର୍ବାଚନ ଶିବସେନା (ୟୁବିଟି) ପାଇଁ ସମ୍ମାନର ପ୍ରଶ୍ନ ହେଇ ଛିଡ଼ାହୋଇଛି । ତେଣୁ ଯେନତେନ ପ୍ରକାରେ ଏହି ନିର୍ବାଚନ ଜିତିବାକୁ ଅଙ୍କ କଷିବା ଆରମ୍ଭ କରିଛନ୍ତି ଉଦ୍ଧବ ଠାକରେ । ଆଉ ଏଥିପାଇଁ ନିଜ ଭାଇ ରାଜ ଠାକରେଙ୍କ ସହ ହାତ ମିଳାଇବାକୁ ଯୋଜନା କରିଛନ୍ତି ।
ଯଦି ମହାରାଷ୍ଟ୍ର ନବନିର୍ମାଣ ସେନା, ଶିବସେନା(ୟୁବିଟି) ସହ ମିଶି ନିର୍ବାଚନୀ ମୈଦାନକୁ ଓହ୍ଲାଏ ତେବେ ନିଶ୍ଚୟ ଏହା ଉଦ୍ଧବଙ୍କୁ ବଳ ଦେବ । ଏମିତି ହେଲେ ମରାଠୀ ଭୋଟରମାନେ ଶିବସେନା (ୟୁବିଟି) ଏବଂ ଏମଏନଏସକୁ ଭୋଟ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗତଥର ବିଏମସି ନିର୍ବାଚନରେ ମହାରାଷ୍ଟ୍ର ନବନିର୍ମାଣ ସେନାକୁ ୭ ପ୍ରତିଶତରୁ ଅଧିକ ଭୋଟ୍ ମିଳିଥିଲା । ତେଣୁ ଏଥର ଯଦି ସେହି ଭୋଟ୍ ମେଣ୍ଟକୁ ଯାଏ, ତେବେ ଫଳ କିଛି ଭିନ୍ନ ହୋଇପାରେ ।