କନକ ବ୍ୟୁରୋ: କଳାହୀରାର କଳା ସାମ୍ରାଜ୍ୟ । ତେଲେନଡିହି ପରେ ରତନସରାରେ ବି ଚଢ଼ାଉ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉପଜିଲ୍ଲାପାଳ, ହେମଗିରି ତହସିଲଦାର ଓ ସ୍ଥାନୀୟ ପୋଲିସର ମିଳିତ ଚଢ଼ାଉ । କନକ ନ୍ୟୁଜ୍‌ରେ ଅପରେସନ୍ କଳାହୀରା ଖବର ପ୍ରସାରଣ ପରେ ତେଜିଛି ଜିଲ୍ଲା ପ୍ରଶାସନ । ଆଜି କନକ ନ୍ୟୁଜର ଅପରେସନ ପାର୍ଟ-୨ ପରେ ପୁଣି ଆକ୍ସନ ମୁଡରେ ପ୍ରଶାସନ । ରତନସରାରେ ଚଢ଼ାଉ କଲା ମିଳିତ ସ୍କ୍ୱାର୍ଡ ଟିମ୍‌ । ଉପଜିଲ୍ଲାପାଳ, ପୋଲିସ ଓ ତହସିଲ ଟିମ ମିଳିତ ଭାବରେ ଚଢ଼ାଉ କରିଛି ।

Advertisment

ରତନସରାରେ ବି ୧୦ରୁ ଅଧିକ ଖଣିରେ ଚଢ଼ାଉ କଲା ଟିମ୍‌ । ବିପୁଳ ଚୋରା କୋଇଲା ଜବତ ହୋଇଛି । କଳା ହୀରା କାରବାର ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ । ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଡେପୁଟି ଡାଇରେକ୍ଟର ମାଇନ୍ସ ଓ ହେମଗିରି ତହସିଲଦାରଙ୍କୁ ଚିଠି କରି ତିନି ଦିନ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେଲେନଡ଼ିହିର ବିଶାଳ ଚୋରା ମାଇନ୍ସରୁ କୋଇଲା ହେଉଥିଲା ଚାଲାଣ । କୋଲ ୱାସେରି ଓ କୋଲ ଡିପୋମାନଙ୍କୁ ଚୋରା କୋଇଲା ଯାଉଥିବା ସନ୍ଦେହନ। ଅଂଚଳର ସମସ୍ତ କୋଲ ୱାସେରି ଓ କୋଲ ଡିପୋକୁ ଯାଞ୍ଚ କରିବା ସହ ଷ୍ଟକ୍‌ର ହିସାବ ନେବା ପାଇଁ ଚିଠିରେ ନିର୍ଦ୍ଦେଶ ହୋଇଛି । ଯଦି ହିସାବରୁ ବେଶୀ କୋଇଲା ବାହାରିଲା ତାହା କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ । 

ସେପଟେ ତେଲେନଡିହି ପରେ ମାଫିଆଙ୍କ ରତନସରା ଠିକଣାରେ ପହଞ୍ଚିଥିଲା କନକ ନ୍ୟୁଜ୍‌ । ଗୋଟିଏ ପରେ ଗୋଟିଏ ଗାଁ ଡେଇଁ ବହୁ ଆଗକୁ ବଢିଛି ଏହି କଳାହୀରାର କଳା ବେପାର । ତେଲେନଡିହି ଜଙ୍ଗଲରୁ ପାଖାପାଖି ୧୦ କିଲୋମିଟର ଦୂରରେ ରହିଛି ରତନସରା ଗାଁ । ରତନସରା ଗାଁରେ ମଧ୍ୟ ରହିଛି ମାଫିଆଙ୍କ କୋଇଲା ଖଣି । ଏଠାରେ ଘଞ୍ଚ ଜଙ୍ଗଲ ନୁହଁ ବରଂ ଗାଁ ନିକଟ ଦେଇ ବହି ଯାଇଥିବା ଚତୁର୍ଭୁଜ ନାଳ କଡେ କଡେ ମାଫିଆ ଖୋଳିଛନ୍ତି ନିଜର କୋଇଲା ଖଣି । ଆଉ ଏହି ବେଆଇନ କୋଇଲା ଖଣିରୁ କୋଇଲା ଉତ୍ତୋଳନ କରି ଚୋରା ଚାଲାଣ କରାଯାଉଛି । ରାଷ୍ଟ୍ରର ସମ୍ପତ୍ତିକୁ ଖୁଲମ୍‌ଖୁଲା ବିକ୍ରି କରି ଟଙ୍କା ନିଜ ପକେଟ୍‌କୁ ନେଇଛନ୍ତି । 

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ରତନସରା ଗାଁରେ ଚାଲିଛି କଣ ? କେମିତି ବେଆଇନ କୋଇଲା ଚାଲାଣ କରୁଛନ୍ତି ମାଫିଆ ? ଶହ ଶହ କୋଇଲା ଚୋରି କାହା ଇଙ୍ଗିତରେ ହେଉଥିଲା । ଖଣି ବିଭାଗର ବରିଷ୍ଠ ଅଧିକାରୀଙ୍କ ବି ରହିଛି କି ହାତ କି? ପ୍ରଶାସନ ନାକ ତଳେ ଶହ ଶହ କୋଟିର କୋଇଲା ଚୋରି କେମିତି ହେଲା? ସବୁ ଜାଣି ବି କାହିଁକି ଚୁପ ଥିଲା ପ୍ରଶାସନ । ଅଭିଯୁକ୍ତ ବିରୋଧରେ ନିଆଯିବ ତ କଡ଼ା କାର୍ଯ୍ୟାନୁଷ୍ଠାନ ? ଏତଲା କେବଳ ଗଣମାଧ୍ୟମର ମୁହଁ ବନ୍ଦ କରିବାକୁ ନାଁକୁ ମାତ୍ର ନୁହେଁ ତ ? ଏନେଇ କେବେ ଉତ୍ତର ରଖିବେ କଣି ମନ୍ତ୍ରୀ ? କୋଟି କୋଟି ରାଜସ୍ୱହାନୀର ଭରଣ କେମିତି କରିବେ ସରକାର ?