ରୋଷେଇ ଘର ମାନେ ପ୍ରତିଟି ଘରର କେନ୍ଦ୍ରବିନ୍ଦୁ । କିନ୍ତୁ ଏହି କେନ୍ଦ୍ରବିନ୍ଦୁରେ ମୂଷାମାନଙ୍କ ପ୍ରାଦୂର୍ଭାବ ବଢିଲେ କେତେ ମୁସ୍କିଲ୍ ତାହା ଗୃହିଣୀଙ୍କ ଠାରୁ ଅଧିକ ଆଉ କିଏ ଜାଣିଥିବେ । ପରିବା ତାଟରୁ ଟମାଟ,ଆଳୁ କଣା କରି ଖାଇଲେ ତ କ୍ଷମା କରିହେବ କିନ୍ତୁ ଦାମିକିଆ ଡ୍ରେସ୍ ଟେ କଣା କରିଦେଲେ , ଓଃ କି ଦୁଃଖ ! ଘରେ ଉତ୍ପାତ ମଚାଉଥିବା ଏହି ମୂଷାଙ୍କୁ ସାବାଡ୍ କରିବା ପାଇଁ ବାଧ୍ୟ ହୋଇ ଲୋକ ମୂଷାଅଠା , ଜନ୍ତା ପକାଇ ମାରିବାକୁ ଚେଷ୍ଟା କରନ୍ତି । କିନ୍ତୁ ନିରୀହ ମୂଷାଟିକୁ ମାରିଦେଲା ପରେ ସାରା ଦିନ ମନଟା କେମିତି ଅଶାନ୍ତିରେ ହିଁ ବିତିଯାଏ । ତେବେ ମୂଷାଙ୍କୁ ନ ମାରି କେମିତି ଘରୁ ବାହାର କରିହେବ ଏହା ପ୍ରାୟତଃ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବ । ଆଜି ଆସନ୍ତୁ ସେ ବିଷୟରେ ଟିକେ ଜାଣିବା ।
ଠାକୁର ଘରେ ପୂଜା ବେଳେ ବ୍ୟବହାର ହେଉଥିବା କର୍ପୁର ମୂଷାମାନଙ୍କର ଭାରି ଶତ୍ରୁ । ମୂଷା ବାହାର କରିବାକୁ ହେଲେ ଘରର ପ୍ରତିକୋଣରେ ଗୋଟିଏ ଗୋଟିଏ କର୍ପୁର ରଖିଦିଅନ୍ତୁ । ସଂପୂର୍ଣ୍ଣ ଘରୁ ନ ବାହାରିଲେ ବି ଦୂରେଇ ରହିବାକୁ ତ ଚେଷ୍ଟା କରିବେ । ଯନ୍ତା ପକାଉଛନ୍ତି ଯଦି ରୁଟିରେ ଦହି ଟିକେ ଲଗାଇଦିଅନ୍ତୁ । ଦହି ତ ମଣିଷଙ୍କର ବି ପ୍ରିୟ , ମୂଷା କେମିତି ବଂଚିଯିବେ । ଦହି ବାସ୍ନାରେ ମୂଷା ଯନ୍ତା ପାଖକୁ ଦୌଡିଆସିବେ । ପୁଦିନା ପତ୍ର ମଣିଷ ପାଇଁ ୱାହଃ , କିନ୍ତୁ ମୂଷାଙ୍କ ପାଇଁ ଛି .. । ପୁଦିନା ବାସ୍ନା ନାକରେ ବାଜିବା କ୍ଷଣି ମୂଷା ସେ ଜାଗା ଛାଡ଼ି ଛୁ’ ମାରନ୍ତି । ଫିଟିକିରିକୁ ଗୁଣ୍ଡ କରି ପାଉଡର ଟିଏ ପ୍ରସ୍ତୁତ କରନ୍ତୁ । ଏହାକୁ ପାଣିରେ ମିଶାଇ ଗୋଟିଏ ଘୋଳ ତିଆରି କରନ୍ତୁ । ଘରେ ତ ପୁରୁଣା ବୋତଲ ପଡ଼ିଥିବ ଏହି ପାଣିକୁ ସେଥିରେ ଢାଳି ଘର ସାରା ସ୍ପ୍ରେ କରିଦିଅନ୍ତୁ । ମୂଷା ଘର ବାଟ ଭୂଲିଯିବେ ।
ତମ୍ବାଖୁ ମଣିଷ ସ୍ୱାସ୍ଥ୍ୟ ପାଇଁ ଯେମିତି କ୍ଷତିକାରକ , ମୂଷାଙ୍କ ପାଇଁ ମଧ୍ୟ ସେମିତି କ୍ଷତିକାରକ । ତମ୍ବାଖୁରେ କିଛି ବେସନ ମିଶାଇ ମୂଷା ଯିବାଆସିବା କରିବା ବାଟରେ ରଖିଦିଅନ୍ତୁ । ମୂଷା ଘରେ ପ୍ରବେଶ କରିବେନି । ଲଙ୍କାଗୁଣ୍ଡ ଆଖିରେ ପଡ଼ିଲେ କେମିତି ଲାଗେ? ପ୍ରଶ୍ନଟି ଶୁଣି ଆପଣ ଓଲଟା ପ୍ରଶ୍ନ ପଚାରିପାରନ୍ତି ନିଜେ ଲଙ୍କାଗୁଣ୍ଡ ଆଖିରେ ପକାଇ ପରୀକ୍ଷା କର ଜାଣିପାରିବ .. ଆଜ୍ଞା ଏ ପ୍ରଶ୍ନ କେବଳ ବୁଝାଇବା ପାଇଁ । ଆଖିରେ ଲଙ୍କାଗୁଣ୍ଡ ଛିଟକି ପଡ଼ିଗଲେ ମଣିଷ ଛଟପଟ ହୋଇଯାଏ , ମୂଷାଙ୍କୁ କେମିତି ଭଲ ଲାଗିବ । ଯେଉଁ ବାଟରୁ ମୂଷା ଆସୁଛନ୍ତି ସେଇଠି ଟିକେ ଲଙ୍କାଗୁଣ୍ଡ ଛିଞ୍ଚି ଦିଅନ୍ତୁ । ମୂଷା ନିଜେ ତ ଆସିବେନି , ତାଙ୍କ ଭାଇ,ବନ୍ଧୁ,କୁଟୁମ୍ବକୁ ବି କହିବେ ନାହିଁରେ ସେଠାକୁ ଯାଅନି .. । ନିରୀହ ଜୀବକୁ ମାରନ୍ତୁନି , ଏହି ଉପାୟ ଆପଣାଇ ମୂଷାଙ୍କ ଗୃହପ୍ରବେଶକୁ ହିଁ ବନ୍ଦ କରିଦିଅନ୍ତୁ । ନା ଆପଣଙ୍କ ଦାମିକିଆ ଡ୍ରେସ୍ କଣା ହେବ , ନା ମୂଷାଙ୍କୁ ମାରି ମନ ଅଶାନ୍ତି ହେବ ।