କନକ ବ୍ୟୁରୋ : ଚିଟ୍ପଣ୍ଡକୁ ନେଇ ପୁଣି ସରଗରମ ରାଜନୀତି । ଗତକାଲି ମୁଖ୍ୟମନ୍ତ୍ରୀ ନିଜେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ହୋଇଥିବା କହିବା ପରେ ଆଜି ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ରାଜ୍ୟ ବିଜେପି ସଭାପତି କହିଛନ୍ତି, ଖୁବଶୀଘ୍ର କ୍ଷତିଗ୍ରସ୍ତଙ୍କୁ ଫେରସ୍ତ ହେବ ଟଙ୍କା । କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ସରକାର ଚିନ୍ତା କରୁଛନ୍ତି । ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯାଇ ପୂରା ପ୍ରକ୍ରିୟାକୁ ଶେଷ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ଏହାସହ କମିଶନର ରିପୋର୍ଟ ସାର୍ବଜନୀନ ନେଇ ସରକାର ଅନୁଧ୍ୟାନ କରୁଛନ୍ତି । କେଉଁଭଳି ଢଙ୍ଗରେ ଏହାକୁ ଉପସ୍ଥାପନ କରାଯିବ ସେନେଇ ମାନସମନ୍ଥନ ଚାଲିଛି । ପୂର୍ବ ସରକାରଙ୍କୁ ଟାର୍ଗେଟ କରି ମନମୋହେନ କହିଛନ୍ତି, ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାୟିତ୍ୱ ପୂର୍ବ ସରକାରଙ୍କର ଥିଲା । କିନ୍ତୁ ତାହା ସେମାନେ କଲେ ନାହିଁ । ନୂଆ ସରକାର ଟଙ୍କା ଫେରସ୍ତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ ।
ସେପଟେ ଚିଟ୍ ଫଣ୍ଡ୍ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମୋହନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରସନ୍ନ କହିଛନ୍ତି, ଚିଟ୍ଫଣ୍ଡ କଥା ବିଚାର କରୁ କରୁ ସରକାର ସରିଯାଇଥିବ। ସରକାର ବହୁତ କଥା ବିଚାର କରୁଛନ୍ତି, ପଦକ୍ଷେପ କାହିଁକି ନେଉନାହାନ୍ତି । ସରକାର ଆଇନର ପ୍ରୟୋଗ କରନ୍ତୁ । କେବଳ ମାଇକ୍ ଲଗେଇ ଭାଷଣ ଦେଲେ ଦାୟିତ୍ଵ ସରିଯାଏ ନାହିଁ ବୋଲି କଟାକ୍ଷ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।
ସେହିପରି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ । ବିଜେପି କହିଥିଲା ଜିତିଲେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଟଙ୍କା ଫେରି ପାଇବେ ? ହେଲେ କେବେ ପାଇବେ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ ।