କନକ ବ୍ୟୁରୋ: ତଥ୍ୟ ଅନୁସାରେ ଭାରତରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ଢେର ଅଧିକ  । ସେପଟେ ରାଜ୍ୟରେ ମଧ୍ୟ ରୋଗୀଙ୍କ ସଂଖ୍ୟା ଚିନ୍ତାଜନକ।ଚଳିତ ବର୍ଷ ଜୁଲାଇ ସୁଦ୍ଧା ଓଡ଼ିଶାରେ ପ୍ରାୟ ୩୫ ହଜାର ଯକ୍ଷ୍ମା ରୋଗୀ ଚିହ୍ନଟ ହେଲେଣି  । ଓଡିଶାକୁ ଯକ୍ଷ୍ମା ମୁକ୍ତ ପାଇଁ ପ୍ରୟାସ ଚାଲିଛି  । ୨୦୨୩ ରେ ପ୍ରାୟ ୧୫ ଲକ୍ଷ ଟେଷ୍ଟିଙ୍ଗ ହୋଇଥିବା ବେଳେ ୬୨ ହଜାର ରୋଗୀ ଚି଼ହ୍ନଟ ହୋଇଥିଲେ  । ବାଲେଶ୍ଵର, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ଗଞ୍ଜାମ, ମୟୁରଭଞ୍ଜ ଓ କନ୍ଧମାଳ ଜିଲ୍ଲାରେ ଯକ୍ଷ୍ମା ରୋଗୀ ଙ୍କ ସଂଖ୍ୟା ଅଧିକ ରହିଛି  ।ତେବେ ଯକ୍ଷ୍ମା ରୋଗ ନିରୂପଣରେ ପୁଲମୋନାରି ଅପେକ୍ଷା ଏକ୍ସଟ୍ରାପୁଲମୋନାରି ଯକ୍ଷ୍ମା ଚିହ୍ନଟ ଅଧିକ କଷ୍ଟକର ହୋଇଥାଏ ।

ଶୁଭଶ୍ରୀ ଗିରି  ୨୦୨୨ ମସିହାରେ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିଲେ। ଦେହ ଯନ୍ତ୍ରଣା , ଓଜନ କମିବା ପରି ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥିଲା। ପ୍ରଥମେ ଏହାକୁ ଅନ୍ୟ କିଛି ରୋଗ ଭାବି ଚିନ୍ତାରେ ପଡ଼ିଥିଲେ ଶୁଭଶ୍ରୀ। ହେଲେ ୩ ମାସ ପରେ ଜଣାପଡ଼ିଥିଲା ଶୁଭଶ୍ରୀ ଏକ୍ସଟ୍ରାପୁଲମୋନାରି ଯକ୍ଷ୍ମାରେ ଆକ୍ରାନ୍ତ ହୋଇଛନ୍ତି।  ଏହା ପରେ ଲଗାତାର ଏକ ବର୍ଷ ୬ ମାସ ପର୍ୟ୍ୟନ୍ତ ଔଷଧ ସେବନ କରିଥିଲେ । ଏହି ସମୟରେ  ଯକ୍ଷ୍ମାକୁ ନେଇ ଓ ଲୋକଙ୍କ ଚିନ୍ତାଧାରକୁ ନେଇ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଥିଲେ। ଉପଯୁକ୍ତ ଖାଦ୍ୟ ଓ ଚିକିତ୍ସା ପରେ ୨୦୨୩ ମସିହାରେ ଏକ୍ସଟ୍ରାପୁଲମୋନାରି ଯକ୍ଷ୍ମାରୁ ମୁକ୍ତ ହୋଇଥିଲେ ଶୁଭଶ୍ରୀ  । ଆଉ ଏବେ ଟିବି ଚାମ୍ପିୟାନ ଭାବରେ ଲୋକଙ୍କୁ ବୁଲି ଏହି ସମସ୍ୟା ଓ ଏହାକୁ ନେଇ ଥିବା ଭୟ ଲୋକଙ୍କ ମନରୁ ଦୂର କରୁଛନ୍ତି  ।

ଶୁଭଶ୍ରୀ ସିନା ଏକ୍ସଟ୍ରାପୁଲମୋନାରି ଯକ୍ଷ୍ମା ରୋଗରୁ ରକ୍ଷା ପାଇଗଲେ  । ଏବେବି ଅନେକ ଲୋକ ଏହି ରୋଗ କଣ, ଏହାର ଲକ୍ଷଣ ଓ ପ୍ରତିକାର ବିଷୟରେ ଜାଣିନାହାନ୍ତି  ।ଏକ୍ସଟ୍ରାପୁଲମୋନାରି ଯକ୍ଷ୍ମା  । ହେଉଛି ଏକ ପ୍ରକାର ଯକ୍ଷ୍ମା ଯାହା ଫୁସଫୁସ ବ୍ୟତୀତ ଅନ୍ୟ ଅଙ୍ଗରେ ଦେଖାଯାଏ  ।

ପେଟ ଯକ୍ଷ୍ମା: ପେଟ ଫୁଲିବା, ଯନ୍ତ୍ରଣା, ଜ୍ୱର ଏବଂ ଓଜନ ହ୍ରାସ ହୋଇପାରେ  । 

ପେରିକାର୍ଡିଆଲ୍ ଯକ୍ଷ୍ମା: ଛାତିରେ ଯନ୍ତ୍ରଣା, ଜ୍ୱର ଏବଂ କେତେକ କ୍ଷେତ୍ରରେ, ଏହା ହୃଦଘାତର ଏକ ସାଧାରଣ କାରଣ । 
ତେବେ ଫୁସଫୁସ ଯକ୍ଷ୍ମା ଅପେକ୍ଷା ରୋଗ ନିର୍ଣ୍ଣୟ କରିବା ଅଧିକ କଷ୍ଟକର । 
ଏକ୍ସଟ୍ରାପୁଲମୋନାରୀ ଯକ୍ଷ୍ମା ରୋଗର ଲକ୍ଷଣ :
 

•ପରିସ୍ରାରେ ରକ୍ତ (କିଡନୀରେ ଯକ୍ଷ୍ମା ରୋଗ ସୂଚାଇପାରେ)
 •ମୁଣ୍ଡବିନ୍ଧା କିମ୍ବା ଦ୍ୱନ୍ଦ୍ବ (ଯକ୍ଷ୍ମା ମେନିଞ୍ଜାଇଟିସ୍ ସୂଚାଇପାରେ)
 •ପିଠି ଯନ୍ତ୍ରଣା (ମେରୁଦଣ୍ଡର ଯକ୍ଷ୍ମା ରୋଗ ସୂଚାଇପାରେ)
  •ଫୁଲିଥିବା ଗ୍ରନ୍ଥିଗୁଡିକ (ଲିମ୍ଫ ନୋଡର ଯକ୍ଷ୍ମା ରୋଗକୁ ସୂଚାଇପାରେ)

ଉପଯୁକ୍ତ ସମୟରେ ପରୀକ୍ଷା ସହ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କଲେ ଯକ୍ଷ୍ମା ରୋଗରୁ ମୁକ୍ତି ମିଳିପାରିବ  । ତେବେ ଲୁକାୟିତ ଭୁତାଣୁ ବିଭିନ୍ନ ସମୟରେ ସମସ୍ୟା ବଢ଼ାଉଛି  ।ରୋଗ ପ୍ରତିଷେଧକ ଶକ୍ତି କମିଲେ ଭୁତାଣୁ ସଂକ୍ରମଣ ବଢୁଛି । ଏହାର ଉପଯୁକ୍ତ ଚିକିତ୍ସା ଓ ଏହାକୁ ନେଇ ସଚେତନତା ଏଥିରୁ ମୁକ୍ତି ପାଇବାର ବାଟ ଫିଟାଇବ। 

(ରିପୋର୍ଟ - ମନୀଷା ଦାସ)