କନକ ବ୍ୟୁରୋ: ଭୁବନେଶ୍ୱରରେ ଏବେ ଅପରାଧୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ସଞ୍ଜ ନଇଁଲେ ଏବେ ଡର ଲାଗୁଛି। କଥା କଥାରେ ଖଣ୍ଡା ବୁଲୁଛି। ଯୁକ୍ତି ତର୍କ କଲେ ଚୋଟ ପଡୁଛି। ଗଣ୍ଡମୁଣ୍ଡାରେ ବାନ୍ଧବୀଙ୍କ ଆଖି ଆଗରେ ୨ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୁତ୍ତ। ସେହିପରି ପାଞ୍ଚ ଗାଁରେ ଜଣେ ବ୍ୟକ୍ତିଙ୍କୁ ହାଣିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି।
- କେତେ ସୁରକ୍ଷିତ ରାଜଧାନୀ ରାତି?
- ଖଣ୍ଡା କାତି ଦେଖି ଥରୁଛି ଛାତି
ମୁଣ୍ଡ, ପିଠି ଆଉ ଗାଲରେ ପଡିଛି ଖଣ୍ଡା ଚୋଟ। ମୁଣ୍ଡ ଫାଟି ଆଁ କରିଛି। ତେବେ ଅଭିଯୋଗ ଅନୁସାରେ, ଦୁଇ ଜଣ ଯୁବକ ତାଙ୍କ ଦୁଇ ବାନ୍ଧିବୀଙ୍କ ସହ ଏକ କାରରେ ଘରକୁ ଫେରୁଥିଲେ।
ବୁଧବାର ସଂଧ୍ୟା ପ୍ରାୟ ୭ ଟା, ସ୍ଥାନ- ଗଣ୍ଡମୁଣ୍ଡା ଖେଳ ପଡିଆ । ନିକଟରେ ଗାଡି ସାଇଟ୍ ମରାକୁ କେନ୍ଦ୍ର କରି କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ହଠାତ୍ ଉଉୟଙ୍କ ଭିତରେ ହାତାହାତି ହୋଇଥିଲା। ଏପରିକି ଗାଡି ଭିତରେ ବସିଥିବା ଯୁବତୀ ମାନଙ୍କୁ ଗାଡି ଭିତରୁ ବାହାରକୁ ଟାଣି ଆଣିବାକୁ ଚେଷ୍ଟା କଲା ବେଳେ, ବିରୋଧ କରିଥିଲେ ଯୁବକ। ତାପରେ ଘଟଣାକ୍ରମ ନେଇଥିଲା ଉଗ୍ରରୂପ। ହାତରେ ଖଣ୍ଡା, କାତି ଧରି ଅତର୍କିତ ଆକ୍ରମଣ କରିଥଲେ। ଖଣ୍ଡା ବୁଲାଇ ସ୍ଥାନୀୟ ଅଞ୍ଚଳରେ ଅଧଘଣ୍ଟା ଧରି ଆତଙ୍କ ଖେଳାଇଥିଲେ। ସମସ୍ତେ ସବୁ କିଛି ଦେଖୁଥିଲେ, ଆଉ ବିଚ୍ ରାସ୍ତାରେ ଅଭିଯୁକ୍ତ ମାନେ ଗୋଡାଇ ଗୋଡାଇ ହାଣୁଥିଲେ।
- ଭୁବନେଶ୍ୱରରେ ବୁଲିଲେ ଏବେ ଭୟ ଲାଗୁଛି!
- ରାତିରେ ବୁଲିଲେ ଚୋଟ ପଡୁଛି!
ସେପଟେ ଏୟାରଫିଲ୍ଡ ଥାନା ଅଧିନ ପାଞ୍ଚ ଗାଁ ଠାରୁ ଡ୍ରାମା ସାରି ଫେରୁଥିବା ବେଳେ, ପ୍ରସନଜିତ୍ ସାମନ୍ତରାୟଙ୍କୁ ରାସ୍ତା ଅବରୋଧ କରି ଖଣ୍ଡା ଓ ଛୁରୀରେ ଆକ୍ରମଣ କରିଥିଲେ ୩ ଅଭିଯୁକ୍ତ। ପୁଲିସ ଏନେଇ ୩୨୮-୨୦୨୪ରେ ଏକ ମାମଲା ରୁଜି କରିବା ସହ ୩ ଦୁର୍ବୁତ୍ତଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ଅଫୁଟା ବୋମା, ଖଣ୍ଡା, ଛୁରୀ ଜବତ କରାଯାଇଥିବା କହିଛନ୍ତି ଏସିପି।