କନକ ବ୍ୟୁରୋ : ରାଜଧାନୀର ଭିଆଇପି ଅଞ୍ଚଳରେ ବଡ ନେତାଙ୍କ ଘରୁ ବଡ ଲୁଟ୍ ପରେ ଉଠିଲା ପ୍ରଶ୍ନ । କେତେ ସୁରକ୍ଷିତ ରାଜଧାନୀ? ନୟାପଲ୍ଲୀ ଅଞ୍ଚଳର ଥିବା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇଛି ଚୋର । ଉପର ଘରୁ ଆଲମିରାର ଲକର ଭାଙ୍ଗି ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛି । କମିଶନରେଟ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋର ବୁଲାଇଛି କଳା କନା । ଗତକାଲି ଥିଲା ସାଧାରଣତନ୍ତ୍ର ଦିବସ । ଏଥିପାଇଁ ପୂର୍ବ ଦିନ ରାତିରୁ ସାରା ରାଜଧାନୀ କଡା ସୁରକ୍ଷା ବଳୟରେ ରହିଥିଲା । ଆସନ୍ତାକାଲିଠୁ ଉତ୍କର୍ଷ ଓଡିଶା ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ । ଏଭଳି ସମୟରେ  ନୟାପଲ୍ଲୀ ଭଳି ଭିଆଇପି ଅଞ୍ଚଳରେ ଥିବା ବଡ ନେତାଙ୍କ ଘରୁ ଚୋରି ହେବା ପୁଲିସର କାର୍ଯ୍ୟଦକ୍ଷତା ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି । ଡଗ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ ଟିମ ତନାଘନା କରିଛି । ଫରେନସିକ ଟିମ ପହଞ୍ଚି ତଦନ୍ତ କରୁଛି । 

Advertisment

ହେଲେ ଏଠି ପ୍ରଶ୍ନ ଚୋର ଧରପଡିବ କେବେ? କଡା ସୁରକ୍ଷା ସତ୍ତ୍ବେ ଭିଆଇପି ଅଞ୍ଚଳରେ ଚୋରି ହେଉଛି କେମିତି? ଭିଆଇପିଙ୍କ ସୁରକ୍ଷା ପାଇଁ ରାଜଧାନୀର ସୁରକ୍ଷା ଢିଲା ହେଉଛି କି? ୨୫ ତାରିଖ ରାତିରେ ପାଟ୍ରୋଲିଂ ଚାଲିଥିବା ବେଳେ ଚୋରି ହେଲା କେମିତି? ସେପଟେ ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶା ଊଏ ଏବଂ ଉଚଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖମନ୍ତ୍ରୀ । ନିରଞ୍ଜନ ପଟ୍ଟନାୟକଙ୍କ ସହ କଥା ହୋଇ ଆସ୍ବାସନା ଦେବା ସହ ଶୀଘ୍ର ଚୋରଙ୍କୁ ଧରିବା ନେଇ ସମସ୍ତ ପଦକ୍ଷେପ ନିଆଯିବା ନେଇ ପ୍ରତିଶୃତି ମଧ୍ୟ ଦେଇଥିବା କହିଛନ୍ତି ମୋହନ ମାଝୀ ।