କନକ ବ୍ୟୁରୋ: ପହଲଗାମ୍ ଆତଙ୍କୀ ଆକ୍ରମଣର ଭାରତ ପ୍ରତିଶୋଧ ନେଲା ପରେ ରାଗରେ ବାଉଳା ହୋଇଯାଇଥିଲା ପାକିସ୍ତାନ । ଆଉ ଭାରତର ଅନେକ ସହରକୁ ଲକ୍ଷ୍ୟ କରି ଡ୍ରୋନ୍ ଓ ମିସାଇଲ ମାଡ଼ କରିଥିଲା । ହେଲେ ଭାରତର ମଜଭୁତ ଏୟାର ଡିଫେନ୍ସ ଏହାକୁ ବିଫଳ କରିଥିଲେ । ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ଅମୃତସରର ସ୍ୱର୍ଣ୍ଣମନ୍ଦିର ପାକିସ୍ତାନର ଟାର୍ଗେଟରେ ଥିଲା । ହେଲେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା କବଚ ପାଲଟି ଏହାକୁ ସୁରକ୍ଷା ଦେଇଥିଲା । ଆକାଶ ମିସାଇଲ ଓ ଏଲ-୭୦ ଏୟାର ଡିଫେନ୍ସ ଗନ୍ ପାକିସ୍ତାନ ପଟୁ ଆସିଥିବା ମିସାଇଲ ଓ ଡ୍ରୋନକୁ ଅକାମୀ କରିଦେଇଥିଲା ।
ହେଲେ କେମିତି କାମ କରିଥିଲେ ଆକାଶ ମିସାଇଲ ଓ ଏଲ-୭୦ ଏୟାର ଡିଫେନ୍ସ ଗନ୍ । ଏହାର ଡେମୋ ଦେଖାଇଛି ସେନା । ପାକିସ୍ତାନ ପଟୁ ଆକ୍ରମଣର ଆଶଙ୍କା କରି ସେନା ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା । ବିଶେଷକରି ସୀମାବର୍ତ୍ତୀ ସହରରେ ଏୟାର ଡିଫେନ୍ସ ବ୍ୟବସ୍ଥାକୁ ସକ୍ରିୟ କରାଯାଇଥିଲା । ଆଉ ଯେତେବେଳେ ୮ ତାରିଖ ଭୋରରୁ ପାକିସ୍ତାନର ଡ୍ରୋନ୍ ଓ ମିସାଇଲ୍ ଭାରତର ବିଭିନ୍ନ ସହର ଅଭିମୁଖେ ବଢ଼ିଥିଲେ କମାଲ ଦେଖାଇଥିଲେ ଆକାଶ ଓ ଏୟାର ଡିଫେନ୍ସ ଗନ୍ । ଆକାଶ ମିସାଇଲ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ଅପରେସନ ସିନ୍ଦୂରରେ ଭାରତ ସଫଳତା ପାଇଥିବା ବେଳେ ଅନ୍ୟ ଏକ ଜିନିଷ ଦୃଷ୍ଟି ଆକର୍ଷଣ କରିଛି । ତାହା ହେଲା ଭାରତରେ ସ୍ବଦେଶୀ କୌଶଳରେ ନିର୍ମତ ଯୁଦ୍ଧାସ୍ତ୍ର ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି ।