କନକ ବ୍ୟୁରୋ : ଘରେ ରାସନ ସାମଗ୍ରୀ ଶେଷ ହୋଇଗଲା, ଘରେ ପନି ପରିବା ସରିଗଲା ତ ଏବେ ମାର୍କେଟ ଯିବାର ଆବଶ୍ୟକତା ନାହିଁ । ଅନଲାଇନ ଗ୍ରୋସରୀ ଆପ୍ ଜରିଆରେ କିଛି ମିନିଟରେ ଆପଣଙ୍କ ଘରେ ଜିନିଷ ପହଂଚିଯାଉଛି । ଅର୍ଡର କରିବା ପରେ ଯେତେବେଳେ ଡେଲିଭରି ବୟ ଆପଣଙ୍କ ଘରକୁ ଆସିଯାଏ ସେତେବେଳେ ଲୋକଙ୍କ ମନରେ ଧାରଣା ଆସେ କି ଆମେ ମାତ୍ର ଏତିକି ଟଙ୍କାରେ ଜିନିଷ ମଗାଇଲୁ, ଏହା ମଧ୍ୟରୁ ଡେଲିଭରି ବୟ ତାର ଚାର୍ଜ ନେବା ପରେ ଦୋକାନୀ  କେତେ ଟଙ୍କା ଲାଭ ପାଇବ ଓ ଡେଲିଭରି ବୟକୁ କେତେ ଟଙ୍କା ମିଳିବ ?
ଏହାର କୌଣସି ଡାଟା ଉପଭୋକ୍ତାଙ୍କ ପାଖରେ ନଥାଏ । ହେଲେ ଜଣେ ଡେଲିଭରି ଭୟର କହିବା ମୁତାବକ ଡେଲିଭରି ବୟର ରୋଜଗାର ଲୋକଙ୍କ ଭାବିବା ମୁତାବକ ସେତେଟା ନଥାଏ । ଦିନରେ ୩୫-୪୦ ଟି ରାଇଡ ମିଳିଥାଏ । ତାହା ବି ସବୁଦିନ ସମାନ ନଥାଏ । ପ୍ରତି କିଲୋମିଟର ରାଇଡ ଉପରେ ଡେଲିଭରି ବୟକୁ ୧୦-୧୫ ଟଙ୍କା ମିଳିଥାଏ । ଅନେକ କ୍ଷେତ୍ରରେ ଏହି ଦାମ ବଢିଥାଏ  ଓ କମିଥାଏ ମଧ୍ୟ । ହାରାହାରି ହିସାବ କଲେ ଡେଲିଭରି ବୟକୁ କିଲୋମିଟର ପ୍ରତି ୯ ଟଙ୍କା ମିିଳିଥାଏ । ୫୦ ଟଙ୍କାର ଅର୍ଡର ହେଉ କି ୫୦୦ ଟଙ୍କାର ଡେଲିଭରି ବୟକୁ କିଲୋମିଟର ହିସାବରେ ପାଉଣା ମିଳିଥାଏ ।

Advertisment

କେମିତି ମିଳିଥାଏ ଡେଲିଭରି ଜବ୍ ?
ଯଦି ଆପଣ ଅନଲାଇନ ଡେଲିଭରି ଆପ୍ ସହ ଯୋଡି ହୋଇ କାମ କରିବାକୁ ଚାହାଁନ୍ତି ତେବେ କମ୍ପାନୀ ଆପକୁ ଯାଇ ଆପଣଙ୍କୁ ଆକାଉଣ୍ଟ ଖୋଲିବାକୁ ପଡିବ । ଏଥିରେ ଆପଣଙ୍କୁ ଆଧାରକାର୍ଡ ଓ ଅନ୍ୟ ପରିଚୟପତ୍ର ଦେବାକୁ ପଡିବ । ଏହାପରେ ସମ୍ପୂର୍ଣ୍ଣ ତଥ୍ୟ ଭରି ତାହାକୁ ସଂପୃକ୍ତ ଆପରେ ଅପଲୋଡ କରିବାକୁ ପଡିବ । ଏହାସହ ଆପଣଙ୍କ ପାଖରେ ଦୁଇଚକିଆ ଗାଡି ସହ ଗାଡି ଚାଳନାର ଲାଇସେନ୍ସ ଓ ଗାଡିର ସମସ୍ତ କାଗଜପତ୍ର ଠିକ୍ ଥିବା ଆବଶ୍ୟକ । 

ପର୍ବ ପର୍ବାଣୀରେ ମିଳିଥାଏ କି ବୋନସ ?
ଡେଲିଭରି ବୟ ଜଣଙ୍କ କହିବା ମୁତାବକ ତାଙ୍କର ରୋଜଗାର କେବଳ ଅର୍ଡର ଉପରେ ନିର୍ଭର କରିଥାଏ । ଯେତେ ଅଧିକ ଅର୍ଡର ଡେଲିଭରି କରିବେ ସେମାନଙ୍କର ସେତେ ଅଧିକ ରୋଜଗାର ହେବ । ପର୍ବ ପର୍ବାଣୀରେ ସେମାନଙ୍କୁ କୌଣସି ପ୍ରକାର ବୋନସ  କି ଉପହାର ମିଳିନଥାଏ। ହେଲେ ପର୍ବ ପର୍ବାଣୀରେ ଅଧିକ ଅର୍ଡର ମିଳୁଥିବାରୁ ସେମାନଙ୍କର ଅଧିକ ରୋଜଗାର ହୋଇଥାଏ ।

ଟିପ୍ସ ଟଙ୍କା କାହା ଖାତାକୁ ଯାଏ ?
ଅନଲାଇନ ଗ୍ରୋସରୀ ଆପରେ ଆପଣ ଯେତେବେଳେ ଅର୍ଡର କରିଥାନ୍ତି ସେଥିରେ ଡେଲିଭରି ବୟଙ୍କ ପାଇଁ ଏକ ଟିପ୍ସ  ବିକଳ୍ପ ଥାଏ । ଯଦି ଗ୍ରାହକ ଟିପ୍ସ ଦିଅନ୍ତି ତେବେ ସେହି ଟଙ୍କା ଡେଲିଭରି ବୟ ଖାତାକୁ ଯାଇଥାଏ । ହେଲେ ଯଦି ଡେଲିଭରି କରିବା ବେଳେ କୌଣସି ଜିନିଷ ହଜିଯାଏ ତେବେ ତାହାର ଭରଣା ଡେଲିଭରି ବୟକୁ କରିବାକୁ ପଡିଥାଏ । ପୁଣି ଯଦି ଗ୍ରାହକ ଡେଲିଭରି ଅର୍ଡର ଗ୍ରହଣ ନକରନ୍ତି ତେବେ ବି ଡେଲିଭରି ବୟଙ୍କୁ ସେମାନଙ୍କ ଉପଯୁକ୍ତ ପାଉଣା ମିଳିଥାଏ ।

ଦୁର୍ଘଟଣା ହେଲେ କିଏ କରିବ ଭରଣା ?
ସାମଗ୍ରୀ ଡେଲିଭରି କରିବା ସମୟରେ କେବେ କେବେ ଦୁର୍ଘଟଣାରେ ଶିକାର ହୋଇଥାନ୍ତି ଡେଲିଭରି ବୟ । ହେଲେ କମ୍ପାନୀ ଏହା ଉପରେ ପୁରା ନଜର ରଖିଥାଏ । ସେଥିପାଇଁ କମ୍ପାନୀ ତରଫରୁ ଡେଲିଭରି ବୟଙ୍କ ପାଇଁ ବୀମାର ସୁବିଧା ରହିଛି । ହେଲେ ସେଥିପାଇଁ ଡେଲିଭରି ବୟକୁ ବୀମା ପାଇଁ ଟଙ୍କା ଦେବାକୁ ପଡିଥାଏ । ଫଳରେ ଦୁର୍ଘଟଣା ହେଲେ ସମ୍ପୂର୍ଣ୍ଣ ଖର୍ଚ୍ଚ ବୀମା କମ୍ପାନୀ ତରଫରୁ ଭରଣା କରାଯାଏ । 

ଯଦି ଡେଲିଭରି ବୟ ସହ ଗ୍ରାହକ ଖରାପ ବ୍ୟବହାର କରେ !
ଅନେକ ସମୟରେ ଦେଖାଦିଏ କି ଡେଲିଭରି ବୟ ଗ୍ରାହକ ସହିତ କଳି କରେ । ଯଦି ଏଭଳି ଘଟେ ତେବେଳ ଗ୍ରାହକଙ୍କ ପାଖରେ ଅଭିଯୋଗ କରିବା ପାଇଁ ସଂପୃକ୍ତ ଆପରେ ବିକଳ୍ପ ରହିଛି । ହେଲେ ଯଦି ଡେଲିଭରି ବୟ ସହ ଗ୍ରାହକ ଖରାପ ବ୍ୟବହାର କରେ ତେବେ ସଂପୃକ୍ତ ଆପରେ ଏକ ଜରୁରୀକାଳୀନ ବଟନ ରହିଛି । ଯାହାକୁ ଦବାଇ ଦେଲେ କମ୍ପାନୀ ତରଫରୁ ତୁରନ୍ତ ପାଖାପାଖି ପୋଲିସ ଷ୍ଟେସନକୁ କଲା କରାଯାଏ ।