କନକ ବ୍ୟୁରୋ: ରାଜ୍ୟରେ ଗହମ ଓ ଗହମ ଜାତୀୟ ଦ୍ରବ୍ୟର ବାର୍ଷିକ ଆବଶ୍ୟକତା ୮ ଲକ୍ଷ ୮୬ ହଜାର ମେଟ୍ରିକ ଟନ ରହିଛି । ଓଡ଼ିଆ ବ୍ୟବସାୟୀମାନେ ଗହମ ଓ ଗହମ ଜାତୀୟ ଦ୍ରବ୍ୟର ବିକ୍ରୟ କରୁଛନ୍ତି । ଏଥିସହ ପଞ୍ଜାବ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଓ ଝାଡ଼ଖଣ୍ଡରୁ ଗହମ ଓ ଗହମ ଜାତୀୟ ଦ୍ରବ୍ୟ ଆମଦାନୀ କରି ଆବଶ୍ୟକତା ପୂରଣ କରାଯାଉଛି । କେନ୍ଦ୍ର ସରକାର ଗହମର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୧୫୦ ଟଙ୍କା କରିଛନ୍ତି । ଯେଉଁଥିପାଇଁ ଖୋଲା ବଜାରରେ ଦର ସାମାନ୍ୟ ବୃଦ୍ଧି ପାଇଛି । ବିଧାନସଭାରେ ଆଜି ଏମିତି କିଛି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ତାଙ୍କ କହିବା ମୁତାବକ, କଳାବଜାରୀ ରୋକିବା ପାଇଁ ଉଭୟ ଓ କେନ୍ଦ୍ର ସରକାରଙ୍କ ଏନଫୋର୍ସମେଣ୍ଟ ଟିମ ଯାଞ୍ଚ କରୁଛନ୍ତି । ଜାନୁଆରୀ ଶେଷ ସୁଦ୍ଧା ୪୪ ମିଲ ଉପରେ ଯାଞ୍ଚ କରାଯାଇଛି । ଅନ୍ୟପଟେ ଗତବର୍ଷ ଅପେକ୍ଷା ୨୬ ଲକ୍ଷ ମେଟ୍ରିକ ଅଧିକ ଧାନ କିଣିଛନ୍ତି ସରକାର । ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର । ପ୍ରତ୍ୟେକ ବର୍ଷ ୨୬ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ ନିଏ, ଏଥର କିନ୍ତୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଆଉ ଅଧିକ ୨୦ ଲକ୍ଷ ମେଟ୍ରିକ ଟନ ଧାନ ଉଠାଇବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି । ଅର୍ଥାତ ଚଳିତ ବର୍ଷ ୪୬ ଲକ୍ଷ ମେଟ୍ରିକ ଟନ ଚାଉଳ ନେବ ଏଫସିଆଇ । ତା ପରେ ବି ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ବଳକା ରହୁଛି । ତେଣୁ ୧୦ ଲକ୍ଷ ମେଟ୍ରିକ ଟନ ଚାଉଳ ରଖିବାକୁ ସରକାର ଗୋଦାମ କରୁଛନ୍ତି । ବଳକା ଚାଉଳକୁ ମଧ୍ୟ ଫ୍ରି ସେଲ୍ କରିବାକୁ ବ୍ୟବସ୍ଥା କରାଯାଉଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।