କନକ ବ୍ୟୁରୋ : ଜନ ସ୍ୱରାଜ ପାର୍ଟିର ସଂଯୋଜକ ପ୍ରଶାନ୍ତ କିଶୋର ଅନେକ ରାଜନୈତିକ ପାର୍ଟି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛନ୍ତି । ୨୦୧୪ ଲୋକସଭା ନିର୍ବାଚନ ବେଳେ ସେ ବିଜେପି ପାଇଁ ରଣନୀତି ପ୍ରସ୍ତୁତ କରିଥିବା ବେଳେ, ପରେ ନୀତିଶ କୁମାର ଓ କଂଗ୍ରେସ ପାଇଁ ମଧ୍ୟ କାମ କରିଛନ୍ତି । ହେଲେ ସେ ନିର୍ବାଚନୀ ପରାମର୍ଶ ପାଇଁ ଗୋଟିଏ ରାଜନୈତିକ ଦଳ ଠାରୁ କେତେ ଟଙ୍କା ନେଇଥାନ୍ତି ତାକୁ ନେଇ ସବୁବେଳେ ପ୍ରଶ୍ନ ଉଠିଥାଏ । ଆଜି ଏକ ସଭାରେ ଏହାର ଖୁଲାସା କରିଛନ୍ତି ପ୍ରଶାନ୍ତ କିଶୋର । ସେ କହିଛନ୍ତି କି, ନିର୍ବାଚନୀ ରଣନୀତି ପାଇଁ ସେ ରାଜନୈତିକ ଦଳଙ୍କ ଠାରୁ ୧୦୦ କୋଟି ଟଙ୍କା ଦାବି କରିଥାନ୍ତି । ଏହାସହ ତାଙ୍କ ରଣନୀତି ଫଳରେ ଏବେ ୧୦ ଟି ରାଜ୍ୟରେ ସରକାର ଗଠନ ହୋଇଛି ।
ବିହାରରେ ହେବାକୁ ଥିବା ଉପନିର୍ବାଚନ ପ୍ରଚାର ବେଳେ ସେ ଏହି ଖୁଲାସା କରିଛନ୍ତି । ବେଲଗଂଜ ସଭାରେ ସେ କହିଛନ୍ତି କି, ଲୋକେ ତାଙ୍କୁ ବାରମ୍ବାର ପ୍ରଶ୍ନ କରିଥାନ୍ତି କି, ରାଜନୈତିକ ଦଳ ଚଳାଇବା ପାଇଁ ତାଙ୍କ ପାଖକୁ ଟଙ୍କା କେଉଁଠୁ ଆସିବ । ହେଲେ ମୋ ପାଖରେ ଆବଶ୍ୟକ ମୁତାବକ ଟଙ୍କା ଥିବା କଥା ସେ କହିଛନ୍ତି ।
ଯଦି ସଫଳତା କଥା କହିବା ତେବେ ୨୦୧୭ ରେ ସେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ହେଲେ କଂଗ୍ରେସକୁ ସଫଳତା ମିଳିନଥିଲା । ଏହାପରେ ସେ ୨୦୧୯ ରେ ପଂଜାବ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରି ଦଳକୁ ବିଜୟୀ କରାଇଥିଲେ । ସେହିଭଳି ୨୦୧୯ ରେ ପ୍ରଶାନ୍ତ ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି ବା ବିଆରଏସ ପାଇଁ ରଣନୀତି ପ୍ରସ୍ତୁତ କରି ଦଳକୁ ବିଜୟୀ କରାଇଥିଲେ । ସେହିଭଳି ୨୦୨୧ ରେ ଟିଏମସି ଓ ୨୦୨୦ ରେ ଆମ୍ ଆଦମୀ ପାର୍ଟି ପାଇଁ ରଣନୀତି ପ୍ରସ୍ତୁତ କରି ଏହି ଦୁଇଦଳକୁ ସଫଳତା ଦେଇଥିଲେ ।