କନକ ବ୍ୟୁରୋ: ଆଖିରେ ଆଖିଏ ଲୁହ । ମନରେ ଅସରନ୍ତି କୋହ । ପ୍ରତୁଶୃତି ଆଉ ପ୍ରତାରଣା ଭିତରେ ଛନ୍ଦି ହୋଇଯାଇଛନ୍ତି କମଳା ମାଉସୀ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ପାଇଁ ନେହୁରା ହୋଇ ହୋଇ ଥକି ଯିବା ପରେ ଏବେ ଆଖିରୁ ଲୁହ ଶୁଖୁନି । ଆବାସ ଯୋଜନାରେ ସରକାର ଘର ବାଣ୍ଟି ବାଃ ବାଃ ନେଉଥିବା ବେଳେ କମଳା ମାଉସୀଙ୍କୁ ଦେଖିଲେ ଲାଗୁଛି ସରକାରଙ୍କ ଏ ଯୋଜନା କେତେ ସଫଳତା ପାଇଛି ।
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବାଙ୍କୋଇ ଗ୍ରାମର କମଳା ବେୱା । ବୟସ ୬୦ ଛୁଇଁଲାଣି । ସ୍ୱାମୀ କେବେଠୁ ଆରପାରିରେ । ପୁଅ ନାହିଁ ୩ ଝିଅଙ୍କୁ ନେଇ ସଂସାର । ଜରି ପକା ଭଙ୍ଗା ଦଦରା ଘରେ ବିତୁଛି କମଳାଙ୍କ ଜୀବନ । ପକା ଘର ଖଣ୍ଡେ ପାଇଁ ଗୁହାରି କରି ଥକି ପଡିଲେଣି କମଳା ।
ଚାଳ ଉପରେ ଜରି ପାଲ, କାନ୍ଥ ବି ଭଙ୍ଗା ଦଦରା, ପୁଣି ନୁଆଁଣିଆ ଚାଳ ଘରେ ନଇଁ ନଇଁ ଯିବାକୁ ପଡ଼ିବ । ଘର ଭିତରେ ରାତିରେ ଜହ୍ନ, ଦିନରେ ସୂର୍ଯ୍ୟ ଦେଖା ଯାଉଛି । ଏହି ଭଙ୍ଗା ଦଦରା ଘରେ ବିତୁଛି ଦୁଇ ପ୍ରାଣୀଙ୍କ ଜୀବନ । ଯେଉଁଠି ସରୀସୃପ ସେଇଠି ଏମାନଙ୍କ ଜୀବନ । ଦଦରା କାନ୍ଥ ତଳେ ଚଳୁଛନ୍ତି କମଳା । କେବେ ଦଦରା କାନ୍ଥ ଗଳି ନ ପଡିବ ତାହା କିଏ କହିବ। ତଥାପି ନାତୁଣୀ ପାଇଁ ରାତିରେ ପର ଦୁଆରେ ଆଶ୍ରୟ ନେଉଛନ୍ତି କମଳା ।
ଦୁଃଖ ଦୁର୍ଦ୍ଦଶାରେ ଜିଉଁ ଥିବା କମଳା ଘର ଖଣ୍ଡିଏ ପାଇଁ ପଞ୍ଚାୟତଠୁ ବ୍ଲକ ଆଉ ରାଜନେତା ମାନଙ୍କୁ ଗୁହାରି କରି ଥକି ଗଲେଣି । କେବେ ଘର ଖଣ୍ଡେ ମିଳିବ ତାକୁ ଚାହିଁ ରହିଛନ୍ତି । ଲଗାଣ ବର୍ଷାରେ ଭିଜି ଭିଜି ଥିବା ଘରର କାନ୍ଥ ଯେ କେବେ ମାଡି ନ ବସିବ ତାହା କିଏ କହିବ । ପ୍ରଶାସନ କମଳାଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ତେବେ ଏହାରି ଭିତରେ ଏଠି ପ୍ରଶ୍ନ ଉଠୁଛି-
ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ? ଘର ଘର ବୁଲି ସର୍ଭେ କରୁଥିବା ପ୍ରତିନିଧିଙ୍କ ଆଖି କି କଣ ଦେଖାଯାଉନି କମଳାଙ୍କ ଏ ଦୁର୍ଦ୍ଦଶା? ନା ଆଉ କିଛି ଅଭାବ ପାଇଁ ଅଟକୁଛି ସର୍ଭେ ରିପୋର୍ଟ ?
ଅଘଟଣ ପରେ ମାଳ ମାଳ ନେତା ପ୍ରଶାସନ ପହଞ୍ଚୁ ଥିବା ବେଳେ ଅଘଟଣ ଘଟାଇବା ପୂର୍ବରୁ କାହିଁକି ପହଞ୍ଚୁ ନାହାନ୍ତି?
କମଳା ଯଦି ଯୋଗ୍ୟ ନୁହନ୍ତି ତେବେ ଯୋଗ୍ୟ ହିତାଧିକାରୀ କାହାକୁ କହିବା?
କମଳାଙ୍କୁ ଅଯୋଗ୍ୟ କରାଇଥିବା ହିତାଧିକାରୀଙ୍କ ଉପରେ କଣ ନିଆଯିବ ପଦକ୍ଷେପ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/13/74-2025-09-13-14-05-01.jpg)