କନକ ବ୍ୟୁରୋ: ଆଜି ଘୋଷଯାତ୍ରାରେ ଉଛୁଳୁଛି ଶ୍ରୀକ୍ଷେତ୍ର । ୯ ଦିନର ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂରତି । ବାଟରେ ଭକ୍ତଙ୍କୁ ମନଭରି ଦର୍ଶନ ଦେବେ, ଗଣ୍ଡିଚା ମା’ଙ୍କ କୋଳକୁ ଯିବେ, ପୁଣି ଆସିଲା ବେଳକୁ ମାଉସୀ ମା’ ଘରେ ଟିକେ ମୁହଁ ମାରି ଆସିବେ । ଯାତ୍ରାରେ ଯାତ୍ରାରେ ସମସ୍ତଙ୍କ ବାଞ୍ଛା ପୂରଣ କରିବେ ।

Advertisment

1000ଶୁକ୍ଳ ଫୁଲରେ ସୁସଜ୍ଜିତ ଟାହିଆ ମସ୍ତକରେ ଧାରଣ କରି ବିଶ୍ବନିୟନ୍ତା ଯେବେ ଝୁଲିଝୁଲି ରଥ ଉପରକୁ ଆସନ୍ତି, ଏ ଅଲୌକିକ ଦୃଶ୍ୟ ଦେଖି ଲୋକେ ବିଭୋର ହୁଅନ୍ତି । ଜ୍ବରରୁ ଉଠିଥିବା ମହାପ୍ରଭୁଙ୍କୁ ଦେଖି ଭକ୍ତ ଆଖି ଛଳଛଳ ହୋଇଯାଏ । ପହଣ୍ଡି ଶବ୍ଦ ପାଦ ହୁଣ୍ଡନ ବା ପାଦ ହୁଣ୍ଡ ଶବ୍ଦରୁ ସୃଷ୍ଟି ବୋଲି ଗବେଷକ କୁହନ୍ତି । କେତେକ ଗବେଷକଙ୍କ ମତରେ ଏହା ‘ପାହୁଣ୍ଡ’ ଶବ୍ଦର ଅପଭ୍ରଂଶ  ।

BD-4

ସ୍ନାନ ଯାତ୍ରା ଓ ଘୋଷଯାତ୍ରାରେ ଚତୁର୍ଦ୍ଧା ବିଗ୍ରହଙ୍କର ୬ଥର ପହଣ୍ଡି ନୀତି ଅନୁଷ୍ଠିତ ହୁଏ । ଶ୍ରୀସୁଦର୍ଶନ ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଅନନ୍ୟ । ଦଇତାପତିମାନଙ୍କ କାନ୍ଧରେ ପହଣ୍ଡି ହୋଇ ସ୍ନାନମଣ୍ଡପ ଓ ରଥାରୂଢ଼ ହୁଅନ୍ତି । କିନ୍ତୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ଦଇତାପତି ଓ ଅନ୍ୟ ସେବକମାନେ ପାଟଡୋରିରେ ଆଗକୁ ପଛକୁ ଧୀରେଧୀରେ ଟାଣି ପହଣ୍ଡି କରାଇଥାଆନ୍ତି । ମହାପ୍ରଭୁ ଝୁଲିଝୁଲି ଆସିବା ବେଳେ ଟାହିଆର ସେଇ ଦୋଳାୟମାନ ଦୃଶ୍ୟ ଭକ୍ତ ପ୍ରାଣକୁ ବିଭୋର କରେ । ବିଜେ କାହାଳୀ ବାଜିବା ପରେ ଘଣ୍ଟୁଆ, କାହାଳିଆ, ବଜନ୍ତରୀ, ଓଲାର ଓ ଛତାର ସେବକମାନଙ୍କ ଉପସ୍ଥିତିରେ ଘଣ୍ଟ ଓ ବାଦ୍ୟ ତାଳରେ ମହାପ୍ରଭୁଙ୍କ ପହଣ୍ଡି ଆହୁରି ଆକର୍ଷଣୀୟ ହୁଏ । ପହଣ୍ଡି ବିଜେ ପୂର୍ବରୁ ପୂଜାପଣ୍ଡା ଜଗନ୍ନାଥଙ୍କ ବାଡ଼ରେ, ମୁଦିରସ୍ତ ବଳଭଦ୍ରଙ୍କ ବାଡ଼ରେ ଏବଂ ପତିମହାପାତ୍ର ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରିଥାଆନ୍ତି । ଗରାବଡ଼ୁ ସେବକ ମଙ୍ଗଳାର୍ପଣର ସମସ୍ତ ଜିନିଷ ସେବକଙ୍କ ହାତକୁ ବଢ଼ାଇ ଦିଅନ୍ତି । ସୁଦ୍ଧସୁଆର, ଭଣ୍ଡାର ମେକାପ, ବାଡ଼ଗ୍ରାହୀ ଦଇତାପତି ଓ ଅନ୍ୟ ଦଇତା ସେବକମାନେ ଉପସ୍ଥିତ ରୁହନ୍ତି । ପହଣ୍ଡି ସମୟରେ ପଣ୍ଡା, ପୁଷ୍ପାଳକ ଓ ଅନ୍ୟ ସେବକମାନେ ଡୋର ଧରିଥାଆନ୍ତି । ଛାମୁଖୁଣ୍ଟିଆ, ବେହେରାଖୁଣ୍ଟିଆ, ସେବକ ପହଣ୍ଡି ହେଉଥିବା ଶ୍ରୀବିଗ୍ରହଙ୍କ ଆଗେ ଆଗେ ‘ମଣିମା ଶ୍ରୀଅଙ୍ଗକୁ ସାବଧାନ’ ଉଚ୍ଚାରଣ କରି ଯୋଡ଼ି ବେତ ବାଡ଼େଇ ଚାଲନ୍ତି । ପହଣ୍ଡିରେ ସାମିଲ ହେଉଥିବା ସେବକମାନେ କେତେକ ନିର୍ଦ୍ଦିଷ୍ଟ ନିୟମ ପାଳନ କରିବା ବିଧେୟ ରହିଛି ।
ମହାପ୍ରଭୁଙ୍କ ପହଣ୍ଡି ଦୁଇ ପ୍ରକାର । ଗୋଟି ପହଣ୍ଡି ଓ ଧାଡ଼ି ପହଣ୍ଡି ।

Su-2

ଗୋଟି ପହଣ୍ଡିରେ ମହାପ୍ରଭୁ ଜଣ ଜଣ ହୋଇ ପହଣ୍ଡି ହୋଇ ଆସନ୍ତି । ଧାଡ଼ି ପହଣ୍ଡିରେ ମହାପ୍ରଭୁ ଜଣଙ୍କ ପରେ ଜଣେ ପହଣ୍ଡି ହୋଇଆସନ୍ତି । ଶ୍ରୀବିଗ୍ରହମାନେ ବିଜେ ସମୟରେ ଧାଡ଼ି ପହଣ୍ଡି ହୋଇଥାଏ । ବାହୁଡ଼ା ବିଜେ ବେଳେ ଗୋଟି ପହଣ୍ଡି କରାଯାଏ । ୬ଥର ପହଣ୍ଡି ମଧ୍ୟରୁ ୩ ଥର ଗୋଟି ପହଣ୍ଡି ଓ ଅନ୍ୟ ୩ ଥର ଧାଡ଼ି ପହଣ୍ଡି ହୁଏ । ସ୍ନାନ ପୂର୍ଣ୍ଣିମାରେ ଯିବା ଓ ଆସିବାରେ ଦୁଇଥର, ଗୁଣ୍ଡିଚା ଯାତ୍ରାରେ ରତ୍ନ ସିଂହାସନରୁ ରଥକୁ ଆସିବାରେ ଥରେ, ଆଡ଼ପ ମଣ୍ଡପକୁ ବିଜେ ସମୟରେ ଥରେ, ବାହୁଡ଼ା ଦଶମୀରେ ଥରେ ଏବଂ ନୀଳାଦ୍ରି ବିଜେରେ ଥର ପହଣ୍ଡି ଦୃଶ୍ୟ ଦେଖିବାକୁ ମିଳିଥାଏ । 

J-2

କିନ୍ତୁ ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଦଇତା, ପତି ଓ ଅନ୍ୟ ସେବକମାନଙ୍କର କାନ୍ଧରେ ବିଜେହୋଇ ସେମାନେ ସ୍ନାନବେଦିକୁ ବା ରଥକୁ ଆସିଥାଆନ୍ତି ଏବଂ ସ୍ନାନବେଦିରୁ ବା ରଥରୁ ମନ୍ଦିରକୁ ମଧ୍ୟ ସେହିପରି ଭାବରେ ସେବକଙ୍କ କାନ୍ଧରେ ବିଜେ ହୋଇ ଯାଇଥାଆନ୍ତି । ଶ୍ରୀସୁଦର୍ଶନ ବା ଦେବୀ ସୁଭଦ୍ରା ସେବକଙ୍କ କାନ୍ଧ ଉପରେ ଶାୟିତ ଅବସ୍ଥାରେ ବିଜେ କରନ୍ତି। ଏହି ସମୟରେ ଦେବୀ ସୁଭଦ୍ରା ସେବକଙ୍କ କାନ୍ଧ ଉପରେ ଆକାଶକୁ ମୁହଁ କରି ରହିଥାଆନ୍ତି । ତେଣୁ ଏହି ପହଣ୍ଡିକୁ ଲୋକାଚାରରେ ‘ଶୂନ୍ୟ ପହଣ୍ଡି’ କୁହାଯାଏ ।