କନକ ବ୍ୟୁରୋ : ପ୍ରଶ୍ନ ପତ୍ରରେ ବାରମ୍ବାର ତ୍ରୁଟି ସାମନାକୁ ଆସିବା ପରେ ବି ସୁଧୁରୁ ନାହାନ୍ତି ପରୀକ୍ଷା ଦାୟିତ୍ବରେ ଥିବା ସଂସ୍ଥା । ଆଜି ପୁଣି ସାମନାକୁ ଆସିଛି ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ବଡ ତ୍ରୁଟି । ଓପିଏସସି ମେନ୍ ପରୀକ୍ଷାର ଆନଥ୍ରୋପୋଲୋଜି ପେପର୍-୧ ସ୍ଥାନରେ ପେପର୍-୨ ପାଠ୍ୟକ୍ରମରୁ ପ୍ରଶ୍ନପତ୍ର ଆସିଥିଲା । ଯାହାକୁ ନେଇ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ପଡିଥିଲେ। ଏହି ତ୍ରୁଟିକୁ ଓପିଏସସି କର୍ତ୍ତୁପକ୍ଷ ମଧ୍ୟ ସ୍ବୀକାର କରିଛନ୍ତି। ସେହିପରି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ଦ୍ବାରା ହୋଇଥିବା ବିଭିନ୍ନ ପଦବୀର ମିଳିତ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି ଥିବା ସାମନାକୁ ଆସିଛି । ଆୟୋଗ ପକ୍ଷରୁ ମଧ୍ୟ ତ୍ରୁଟିକୁ ସ୍ବୀକାର କରାଯାଇଛି । ପ୍ରଶ୍ନପତ୍ରରେ ଏଭଳି ତ୍ରୁଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଶାୟୀ।
ପୂର୍ବରୁ ମାଟ୍ରିକ, ଯୁକ୍ତ ଦୁଇ ଠାରୁ ଆରମ୍ଭ କରି ଓପିଏସସି, ଓଏସଏସସି ଓ ଓଏସଏସଏସସି ଦ୍ବାରା ହୋଇଥିବା ପରୀକ୍ଷାରେ ତ୍ରୁଟି ସାମନାକୁ ଆସିଥିଲା। ନିକଟରେ ଶେଷ ହୋଇଥିବା ମାଟ୍ରିକ ପରୀକ୍ଷା ବିଜ୍ଞାନ ସି-ସେଟ୍ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲା । ୫୦ମାର୍କ ବଦଳରେ ୪୬ମାର୍କର ପ୍ରଶ୍ନ ଆସିଥିଲା । ସେହିପରି ଓଏସଏସଏସସି ଦ୍ବାର ହୋଇଥିବା ଆରଆଇ, ଏଆରଆଇ, ଅମିନ ପଦବୀ ପରୀକ୍ଷାରେ ତ୍ରୁଟିକୁ ନେଇ ତମ୍ବିତୋଫାନ ହୋଇଥିଲା । ପରୀକ୍ଷାର୍ଥୀମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ । ତଥାପି ଚେତି ନାହାନ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା। ଯାହା ଦାୟିତ୍ବରେ ଥିବା କର୍ତ୍ତୁପକ୍ଷଙ୍କ ଖାମଖିଆଲି ମନୋଭାବକୁ ପଦାରେ ପକାଇଛି ।
ଚାକିରି ନାହିଁ। ଲକ୍ଷ ଲକ୍ଷ ପିଲା ବେକାର ହୋଇ ବୁଲୁଛନ୍ତି। ଗୋଟିଏ ଛୋଟିଆ ପଦ ପାଇଁ ହଜାର ହଜାର ପିଲା ଆବେଦନ କରୁଛନ୍ତି। ସରକାରୀ ଖଣ୍ଡେ ଚାକିରି ଖଣ୍ଡେ ପାଇବା ଆଶାରେ ସଂଘର୍ଷ କରୁଛନ୍ତି। ଏଭଳି ସ୍ଥିତିରେ ପରୀକ୍ଷା ତ୍ରୁଟିପୂର୍ଣ୍ଣ ହେବା ପରୀକ୍ଷାର୍ଥୀଙ୍କ ଭାଗ୍ୟକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି।