କନକବ୍ୟୁରୋ : ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା । ୫୩୩ବର୍ଗ କିଲୋମିଟର ବ୍ୟାପ୍ତ ହୀରାକୁଦ ଜଳଭଣ୍ଡାରର ଅଛନ୍ତି କେତେ ପକ୍ଷୀ । ଜାଣିବା ପାଇଁ ଗଣନା କାର୍ଯ୍ୟାରେ ନିୟୋଜିତ ହୋଇଛନ୍ତି ୭୦ଜଣ । ଚଳିତ ଥର ମଧ୍ୟ ଛତିଶଗଡ ସୀମାର ସୁଖାସୋଢା ଓ ଅନ୍ତରାଡି ଯାଏ ଯାଏଁ ଏହି ଗଣନା କରାଯାଉଛି। ୩୨ଟି ବୋଟ୍ ମାଧ୍ୟମରେ ୩୨ଟି ଗ୍ରୁପ ଏହି କାମରେ ଲାଗିଛନ୍ତି । ଚିଲିକାରେ ଚକର କାଟୁଛନ୍ତି ।
୨୧ଟି ଟିମ୍ରେ ଅଛନ୍ତି ଓୟୁଟି ଭୁବନେଶ୍ୱରର ପ୍ରାଣୀ ଚିକିତ୍ସକ, ବମ୍ବେ ନେଚର୍ ସୋସାଇଟ ସଦସ୍ୟ, ଛାତ୍ରଛାତ୍ରୀ, ବନ କର୍ମଚାରୀ ଏବଂ ସିଡିଏର କର୍ମଚାରୀ। ସେପଟେ ବ୍ରହ୍ମଗିରି ଢ଼ାବା ଛକ ଠାରୁ ଗୋଲରା, ସୁନାମୁହିଁ ଠାରୁ ବୋରକୁଦି, କାଠୁଆ-ଆରେଡି ଛକ ଠାରୁ ଖଜୁରିଆ ଓ କପିଳେଶ୍ଵରପୁର ଠାରୁ ପଥରପଦା ପର୍ଯ୍ୟନ୍ତ ପକ୍ଷୀ ଗଣା କରାଯାଇଛି। ବାଇନା କୁଲାର୍, ଜିପିଏସ୍ ଟ୍ରାକିଂ କରି ପକ୍ଷୀ ଗଣନା କରିଛନ୍ତି ।
ଭିତରକନିକାରେ ବି ପକ୍ଷୀ ଗଣା ହୋଇଛି। ରାଜନଗର ବନଖଣ୍ଡ ଅଧିନସ୍ଥ ୫ଟି ରେଞ୍ଜ ପକ୍ଷୀ ଗଣନା କରାଯାଇଛି। ପକ୍ଷୀ ବିଶାରଦଙ୍କ ତତ୍ୱାବଧାନରେ ବନବିଭାଗର ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି ।
ପ୍ରତ୍ୟେକ ଟିମ୍ରେ ୪ରୁ ୫ଜଣ ବନ କର୍ମଚାରୀ ନିୟୋଜିତ ଅଛନ୍ତି। ସେହିଭଳି ବାଲେଶ୍ୱରର କୁଳଡ଼ିହା ଓ ନୀଳଗିରି ରେଞ୍ଜରେ ଥିବା ୨୨ଟି ବିଟ୍ର ୪ଟି ସ୍ଥାନରେ ପକ୍ଷୀ ଗଣନା କରାଯାଇଛି । ନୀଳଗିରି ରେଞ୍ଜର ମିତ୍ରପୁର ବିଟ୍ ଅଧୀନ ପଦ୍ମତୋଳା ଓ କୁଳଡିହା ରେଞ୍ଜର ଋିଷିଆ, ଖମଖୁଟ ଓ ବୁଗାଳି ବନ୍ଧରେ ୪ଟି ଟିମରେ ୪୦ରୁ ଅଧିକ ବନକର୍ମଚାରୀ ରହିଛନ୍ତି । ମୟୂରଭଂଜ ଜିଲ୍ଲାରେ ମଧ୍ୟ ଚାଲିଛି ଏହି କାର୍ଯ୍ୟକ୍ରମ । ଶିମିଳିପାଳ ଉତ୍ତର, ଦକ୍ଷିଣ ଡିଭିଜନ ସହ ରାଇରଙ୍ଗପୁର, କରଞ୍ଜିଆ, କପ୍ତିପଦା ଓ ବାରିପଦା ଡିଭିଜନରେ ପକ୍ଷୀ ଗଣା ହୋଇଛି ।
ଜିଲ୍ଲାର ୨୦୯ ଟି ସ୍ଥାନରେ ଏହି ଗଣନା କାର୍ଯ୍ୟ ଚାଲିଥିଲା ବେଳେ ଏଥିରେ ୫୦୦ ବନକର୍ମଚାରୀ ଓ ଅଧିକାରୀ ନିୟୋଜିତ ହୋଇଛନ୍ତି। ପୁରୀ, ଗଂଜାମ ଓ କୋରାପୁଟ ଜିଲ୍ଲାରେ ବି ପକ୍ଷୀ ଗଣନା କରାଯାଇଛି । ଅସ୍ତରଙ୍ଗରେ ୫ଟି ଟିମରେ ୨୫ ଜଣ ବନ କର୍ମଚାରୀ ଓ ୨ ଜଣ ପରିବେଶବିତ୍ ନିଯୋଜିତ ହୋଇଛନ୍ତି। ଗଂଜାମର ଶେରଗଡ଼, ଧରାକୋଟ ଓ ଆସିକାରେ ମଧ୍ୟ ସମାନ କାର୍ଯ୍ୟକ୍ରମ ଜାରି ରହିଛି । ସେପଟେ ଜୟପୁର ବନଖଣ୍ଡ ତରଫରୁ ଜଗନ୍ନାଥ ସାଗର ସମେତ ପାତ୍ରପୁଟ, ୟେଲୋ ଡ୍ୟାମ ଓ ବାଲିଆରେ ପକ୍ଷୀ ଗଣନା ହୋଇଛି ।