କନକ ବ୍ୟୁରୋ: ଜାନୁଆରୀ ମାସରେ ଦୟା ନଦୀର ପାଣିକୁ ନେଇ ଜୋରସୋରରେ ହୋହଲ୍ଲା ହେଲା । ଏବେ ଦୁଇମାସ ପରେ ସ୍ଥିତି  ଯେମିତିକୁ ସେମିତି । ଦୟା ନଦୀର ଜଳ ଜହର ଜାଣି ବି ବାଧ୍ୟ ହୋଇ ପୁଣି ସେହି ପାଣିକୁ ବ୍ୟବହାର କରୁଛନ୍ତି କଣାସ ନୁଆଁ ଗାଁର ମହିଳା  । କଣାସର ଯେଉଁ  ନୂଆ ଗାଁରେ ପ୍ରଥମେ ଆରମ୍ଭ ହୋଇଥିଲା ଝାଡା ବାନ୍ତି ସେହି ଗାଁରେ ଦୀର୍ଘ ୨ ମାସ ପରେ ସ୍ଥିତି ପରଖୁଛି କନକ ନ୍ୟୁଜ । 

Advertisment

ସାମ୍ନାକୁ ଆସିଥିଲା କଣାସ ନୂଆଁ ଗାଁ ରେ ଝାଡାବାନ୍ତି ଘଟଣା ।  ଧୀରେ ଧୀରେ ଏହା ୫ ପଞ୍ଚାୟତକୁ ମାଡି ଚାଲିଲା ଓ ଅନେକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିଲେ । କଣାସ, ପୁରୀ, ଭୁବନେଶ୍ୱର ମେଡିକାଲ ରେ ଅନେକ ଗୁରୁତରଙ୍କ ହୋଇଥିଲା ଚିକିତ୍ସା ।  ପ୍ରଶାସନ ତରଫରୁ ଗାଁ ଗାଁରେ ପଡିଲା ମେଡିକାଲ କ୍ୟାମ୍ପ, ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ସହ ଗାଁ ଗାଁ ରେ ନିୟୋଜିତ ହେଲେ ଡାକ୍ତର ଓ ଆମ୍ବୁଲାନ୍ସ।  

ଦୟା ନଦୀ କଣାସ ଅଞ୍ଚଳର ଜୀବନ ଜୀବିକା ସହ ଜଡିତ। ହଜାର ହଜାର ମସ୍ୟଜୀବୀଙ୍କ ସହ ଚାଷ ଓ ଚାଷୀ ନିର୍ଭର ର ପ୍ରାଣ କେନ୍ଦ୍ର ଦୟା ନଦୀ ।  ଦୀର୍ଘ ୨ ମାସ ପରେ ସ୍ଥିତି ବଦଳିଛି ସତ ହେଲେ ବଦଳିନାହିଁ ଦୟା ନଦୀର ପାଣି । ଗ୍ରାଉଣ୍ଡ ସ୍ଥିତି ପରଖିବାବେଳେ ଦେଖିବାକୁ ମିଳିଥିଲା ଏବେ ବି ଲୋକେ ସେହି ଦୂଷିତ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।

କଣାସ ଅଂଚଳରେ ଦଳରେ ପୁରା ଭର୍ତ୍ତି ହୋଇ ରହିଛି ଦୟା ନଦୀ!  ପ୍ରଶାସନ ଦଳ ସଫା କରିବାକୁ  ଧ୍ୟାନ ଦେଉନାହିଁ । ଏପଟେ ଚିଲିକାକୁ ଜଳ ନିଷ୍କାସନରେ ବ୍ୟାଘାତ ହେତୁ କିଲୋମିଟର କିଲୋମିଟର ପର୍ୟ୍ୟନ୍ତ ଦଳ ଲାଗି ରହିଅଛି । ଦୟାନଦୀ ପାଣି ଯେଭଳି ଭାବେ ଅପରିଷ୍କାର ଥିଲା ସେଭଳି ଅପରିଷ୍କାର ରହିଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ସରକାର କହୁଛନ୍ତି  ଦୟା ନଦୀ ପାଣି ଦୂଷିତ ।  କିନ୍ତୁ ଲୋକେ ଦୂଷିତ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।