କନକ ବ୍ୟୁରୋ : ପୃଥିବୀର ଭୌଗୋଳିକ ପ୍ଲେଟ୍‌ଗୁଡିକର ଗତିବିଧି କାରଣରୁ ଭୂକମ୍ପ ହୋଇଥାଏ । ଯାହାକି ଅଚାନକ ଆସିଥାଏ ଏବଂ ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ । ମଣିଷ ପାଇଁ ଏହାର ପୂର୍ବାନୁମାନ କରିବା ପ୍ରାୟତଃ ଅସମ୍ଭବ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଭୂକମ୍ପ ଆସିବା କଥା ସର୍ବପ୍ରଥମେ କାହାକୁ ଓ କିପରି ଜଣାପଡ଼େ ? ଏବଂ ଏହାର ଶକ୍ତି ବା ତୀବ୍ରତାକୁ କିପରି ମପାଯାଏ ? ଜାଣିନ୍ତୁ , ଏହାର ବୈଜ୍ଞାନିକ କାରଣ ।

ପଶୁପକ୍ଷୀଙ୍କୁ ମିଳିଥାଏ ଆଗୁଆ ସଙ୍କେତ

Advertisment

ଅନେକ ସମୟରେ ଏହା ଦେଖାଯାଇଛି ଯେ ଭୂକମ୍ପ ଆସିବା ପୂର୍ବରୁ ପଶୁପକ୍ଷୀମାନେ ଅଜବ ବ୍ୟବହାର କରିବା ଆରମ୍ଭ କରନ୍ତି । ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ବୈଜ୍ଞାନିକମାନଙ୍କ ମତରେ, ଭୂକମ୍ପ ସମୟରେ ପୃଥିବୀ ଭିତରୁ ଦୁଇ ପ୍ରକାରର ତରଙ୍ଗ ବାହାରିଥାଏ - 'ପି-ୱେଭ୍' ଓ 'ଏସ୍-ୱେଭ୍' । 'ପି-ୱେଭ୍'ର ଗତି ଅଧିକ ଥିବାରୁ ଏହା ଭୂପୃଷ୍ଠରେ ଆଗ ପହଞ୍ଚେ, କିନ୍ତୁ ଏହା ଏତେ ସୂକ୍ଷ୍ମ ଯେ ମଣିଷ ତାକୁ ଅନୁଭବ କରିପାରେ ନାହିଁ । ଏହାର କିଛି ସମୟ ପରେ ଅଧିକ କ୍ଷତିକାରକ 'ଏସ୍-ୱେଭ୍' ଆସେ, ଯାହାକୁ ଆମେ ଭୂକମ୍ପ ଝଟକା ଭାବେ ଅନୁଭବ କରୁ । କିନ୍ତୁ କୁକୁର, ବିଲେଇ, ସାପ, ପକ୍ଷୀ ଭଳି ଜୀବଜନ୍ତୁଙ୍କର ଶ୍ରବଣ ଶକ୍ତି ଏବଂ ସମ୍ବେଦନଶୀଳତା ଅଧିକ ଥିବାରୁ ସେମାନେ ଏହି ସୂକ୍ଷ୍ମ 'ପି-ୱେଭ୍' କମ୍ପନକୁ ଅନୁଭବ କରିପାରନ୍ତି । ଏହି କାରଣରୁ ସେମାନେ ଭୟଭୀତ ହୋଇ ଅସ୍ୱାଭାବିକ ଆଚରଣ କରନ୍ତି । ତେଣୁ କହିବାକୁ ଗଲେ, ବୈଜ୍ଞାନିକ ଯନ୍ତ୍ରପାତି ପରେ ପଶୁପକ୍ଷୀମାନେ ହିଁ ଭୂକମ୍ପର ପ୍ରଥମ ସଙ୍କେତ ପାଇଥାନ୍ତି ।

ବୈଜ୍ଞାନିକ ପଦ୍ଧତି: କିପରି କାମ କରେ ସିସ୍ମୋଗ୍ରାଫ୍?

ବୈଜ୍ଞାନିକ ଦୃଷ୍ଟିକୋଣରୁ ଭୂକମ୍ପକୁ ସବୁଠାରୁ ପ୍ରଥମେ "ସିସ୍ମୋଗ୍ରାଫ୍" ନାମକ ଏକ ଯନ୍ତ୍ର ରେକର୍ଡ କରିଥାଏ । ଏହି ଯନ୍ତ୍ର ଭୂମିର ସାମାନ୍ୟତମ କମ୍ପନକୁ ମଧ୍ୟ ମାପିପାରେ । ଯେତେବେଳେ ଭୂକମ୍ପ ହୁଏ, ଏହି ଯନ୍ତ୍ରରେ ଥିବା ଏକ ପେନ୍ କାଗଜ ଉପରେ କମ୍ପନର ଏକ ଗ୍ରାଫ୍ ତିଆରି କରେ । ଯାହାକୁ "ସିସ୍ମୋଗ୍ରାମ୍" କୁହାଯାଏ । ଆଧୁନିକ ସିସ୍ମୋଗ୍ରାଫ୍ ବହୁତ ସମ୍ବେଦନଶୀଳ ଏବଂ ଡିଜିଟାଲ୍ ହୋଇଥାଏ, ଯାହା ତୁରନ୍ତ ତଥ୍ୟକୁ କମ୍ପ୍ୟୁଟରକୁ ପଠାଇଦିଏ ।

କିପରି ମପାଯାଏ ଭୂକମ୍ପର ତୀବ୍ରତା?

ଭୂକମ୍ପର ତୀବ୍ରତା ବା ଏହାର ଶକ୍ତିକୁ ମାପିବା ପାଇଁ ମୁଖ୍ୟତଃ "ରିକ୍ଟର ସ୍କେଲ୍" ବ୍ୟବହାର କରାଯାଏ । ଏହି ସ୍କେଲ୍ ମାଧ୍ୟମରେ ହିଁ ଆମେ ବୈଜ୍ଞାନିକମାନେ ଜାଣିପାରନ୍ତି ଯେ ଭୂକମ୍ପଟି କେତେ ଶକ୍ତିଶାଳୀ ଥିଲା ।