କନକବ୍ୟୁରୋ : ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ବିଶ୍ୱର ଚତୁର୍ଥ ସର୍ବବୃହତ ଅର୍ଥନୀତି ହୋଇପାରେ । ଏନେଇ ଆଇଏମଏଫ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି । ଯଦି ଏହା ସତ୍ୟରେ ପରିଣତ ହୁଏ ତେବେ ଚଳିତବର୍ଷ ଶେଷ ସୁଦ୍ଧା ଭାରତର ଅର୍ଥନୀତି ୪ ଟ୍ରିଲିୟନ ଡଲାରରେ ପହଂଚିପାରେ ।
ରିପୋର୍ଟରେ ଆକଳନ କରାଯାଉଛି ୨୦୨୭ ସୁଦ୍ଧା ଭାରତ ଦ୍ରୁତ ଅଭିବୃଦ୍ଧି ହାର ହାସଲ କରିବ । ତାସହ ବିଶ୍ୱର ତୃତୀୟ ଅର୍ଥନୀତି ଜର୍ମାନୀକୁ ଟପିଯିବ । ସରକାରଙ୍କ ମେକ୍ ଇନ ଇଣ୍ଡିଆ ଯୋଜନାରେ ୨୦୪୭ ସୁଦ୍ଧା ବିକଶିତ ଭାରତର ପ୍ରତିଶୃତି ପୂରଣ ହୋଇପାରେ । କିନ୍ତୁ ପ୍ରସିଦ୍ଧ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏବିଷୟରେ ଭିନ୍ନ ମତ ରଖିଛନ୍ତି । ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି , ଭାରତକୁ ବିକଶିତ ହେବାକୁ ହେଲେ ଅଭିବୃଦ୍ଧି ହାର ୮.୫ ରୁ ୯ ପ୍ରତିଶତ ହାରରେ ଆଗକୁ ବଢ଼ିବାକୁ ପଡିବ । କାରଣ ଦେଖିବାକୁ ଗଲେ ଭାରତ ତୁଳନାତ୍ମକ ଭାବେ ଗରିବ ଏବଂ ବିକାଶମୁଖୀ ଦେଶ ।
ରାଜନଙ୍କ ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ବିଶ୍ୱ ଅନିଶ୍ଚିତତା ସତ୍ତ୍ୱେ ଭାରତର ଜିଡିପି ଦୃଢ଼ ରହିଛି । ୨୦୨୪-୨୫ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୭.୪ ପ୍ରତିଶତ ଅଛି । ଅର୍ଥନୀତିଜ୍ଞଙ୍କ ଗବେଷଣାରୁ ଏବର୍ଷ ଏହା ୬. ୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଛି । ଏହା ବିଶ୍ୱର ଅନେକ ଶକ୍ତିଶାଳୀ ଅର୍ଥନୀତି ତୁଳନାରେ ଭାରତର ଭଲ ପ୍ରଦର୍ଶନ ବୋଲି ରାଜନଙ୍କ ମତ ।
ଅଭିବୃଦ୍ଧି ହାରକୁ ଦ୍ରୁତ ରଖିବାକୁ ପଡିବ
ରଘୁରାମ ରାଜନଙ୍କ ଅନୁଯାଇ ଭାରତର ବର୍ତ୍ତମାନର ୬.୫ ପ୍ରତିଶତ ଅଭିବୃଦ୍ଧି ହାର ବିଶ୍ୱ ଅର୍ଥନୀତିରେ ଏକ ପ୍ରଭାବଶାଳୀ ଅଭିବୃଦ୍ଧି । ତାର କାରଣ ସରକାର ନିର୍ବାଚନ ସମୟରେ ବହୁଖର୍ଚ୍ଚ ହ୍ରାସ କରିଥିଲେ । ଏବେ ଭାରତର ସମୟ କିନ୍ତୁ ସରକାରଙ୍କୁ ସୁଯୋଗର ଖୋଲା ହାତରେ ନେବାକୁ ପଡିବ, ଭବିଷ୍ୟତ କଥା ଭାବିବାକୁ ପଡ଼ିବ ।
ଅର୍ଥନୀତିଜ୍ଞଙ୍କ ମତରେ ଦେଶକୁ ସ୍ଥାୟୀ ବିକଶିତ କରିବା ପାଇଁ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ହେବ । ନିବେଶ ଠାରୁ ଆରମ୍ଭ କରି ବ୍ୟବହାର ବୃଦ୍ଧି ପର୍ଯ୍ୟନ୍ତ , ଘରୋଇକରଣ ଏବଂ ବିଦେଶୀ ସ୍ତରରେ ସଂସ୍କାର କରିବାକୁ ହେବ ।