କନକ ବ୍ୟୁରୋ : ଧୋନୀଙ୍କ ବିଚକ୍ଷଣ ବୁଦ୍ଧି... ଗମ୍ଭୀରଙ୍କ ଦମଦାର ବ୍ୟାଟିଂ... ଯୁବରାଜଙ୍କ ୬ ବଲରେ ୬ ଛକା... ଇରଫାନଙ୍କ ଦୁର୍ଦ୍ଧର୍ଷ ବୋଲିଂ... ଆଉ ଶେଷରେ ଶ୍ରୀସାନ୍ଥଙ୍କ ଚମତ୍କାର କ୍ୟାଚ୍ । ଏ ସବୁ ମନେ ପକାଇଦିଏ ଟି-୨୦ ବିଶ୍ୱକପର କଥା । ଯେବେ ଭାରତ ହାତେଇଥିଲା ଟି-୨୦ ବିଶ୍ୱକପରେ ପ୍ରଥମ ଟାଇଟଲ୍ । ଅବାକ ହୋଇଯାଇଥିଲା ବିଶ୍ୱ, ଛାନିଆ ହୋଇଯାଇଥିଲା ପାକିସ୍ତାନ । ଆଉ ଖୁସିରେ ଝୁମି ଉଠିଥିଲା ଭାରତ । 

Advertisment

ନା ଥିଲେ ସିଚନ ନା ଥିଲେ ଗାଙ୍ଗୁଲି । ଧୋନୀଙ୍କ ନେତୃତ୍ୱରେ ଯୁବ ଖେଳାଳିରେ ଭରପୁର ଥିବା ଟିମ୍ ଇଣ୍ଡିଆ ଆଜିର ଦିନରେ ରଚିଥିଲା ଇତିହାସ । ପାକିସ୍ତାନକୁ ପାଣି ପିଆଇ ଟି-୨୦ ବିଶ୍ୱକପରେ ଭାରତ ଲେଖିଥିଲା ନୂଆ ଫର୍ଦ୍ଦ । ୨୦୦୭ରେ ଆରମ୍ଭ ହୋଇଥିଲା ଟି-୨୦ ବିଶ୍ୱ କପ୍ । ଏହି ଟୁର୍ଣ୍ଣାମେଣ୍ଟରେ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇ ସାରିଥାଆନ୍ତି ସବୁ ଟିମ୍ । ସବୁ ଦଳ ନିଜ ନିଜର ଦକ୍ଷ ଆଉ ଅଭିଜ୍ଞ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇଥାଆନ୍ତି । ହେଲେ ଭାରତ ନୂଆ ଅଧିନାୟକଙ୍କ ସହ ଯୁବ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା । ମହେନ୍ଦ୍ର ସିଂ ଧୋନୀ, ଯୁବରାଜ ସିଂ ଓ ଗୌତମ ଗମ୍ଭୀରଙ୍କ ଭଳି ଖେଳାଳି ଏହି ଦଳରେ ଥାଆନ୍ତି । ଟି-୨୦ ଅଧିନାୟକ ଭାବେ ଧୋନୀଙ୍କ ଅଭିଜ୍ଞତା ‘ଶୂନ’ । ତଥାପି ଆତ୍ମବିଶ୍ୱାସର ସହ ଦଳ ମୈଦାନକୁ ଓହ୍ଲାଇଥିଲା । 

ଭାରତର ପ୍ରଥମ ମ୍ୟାଚ୍ ସ୍କଟଲାଣ୍ଡ ସହ ଥିଲା ଯେଉଁ ମ୍ୟାଚ୍ ବାତିଲ ହୋଇଯାଇଥିଲା । ଏହାପରେ ଦ୍ବିତୀୟ ମ୍ୟାଚ୍  ପାକିସ୍ତାନ ସହ ଡ୍ର’ ହୋଇଯାଇଥିଲା । ତୃତୀୟ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା । ୩ଟି ମ୍ୟାଚ୍ ପରେ ବିଶ୍ୱକପରେ ଭାରତର ସ୍ଥିତି ଖରାପ ରହିଥିଲା । ଅନଅଭିଜ୍ଞ ଅଧିନାୟକ ଓ ଖେଳାଳିଙ୍କ ଉପରେ ଭରସା କରିପାରୁନଥିଲେ ଲୋକେ । ହେଲେ ଚତୁର୍ଥ ମ୍ୟାଚ୍‌ରେ କିଛି ଏମିତି ହୋଇଥିଲା ଯେ କେହି କେବେ ବିଶ୍ୱାସ କରିପାରିନଥିଲେ । 

ଇଂଲଣ୍ଡ ବିପକ୍ଷରେ ଯୁବରାଜ ଷ୍ଟୁଆର୍ଟ ବ୍ରଡଙ୍କୁ ୬ ବଲରେ ୬ ଛକା ମାରି ଇତିହାସ ରଚିଥିଲେ । ଏହାପରେ ଚତୁର୍ଥ ଓ ପଞ୍ଚମ ମ୍ୟାଚ ଜିତି ଭାରତ ସେମି ଫାଇନାଲରେ ପ୍ରବେଶ କରିଥିଲା । ସେମିଫାଇନାଲରେ ଦଳ ବିଶ୍ୱବିଜେତା ଟିମ୍ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଆଉ ୨୦୦୩ ମସିହା ପରେ ଭାରତ ପ୍ରଥମ ଥର ପାଇଁ କୌଣସି ଫାଇନାଲ ମ୍ୟାଚ ଖେଳୁଥାଏ । ଏହି ମ୍ୟାଚରେ ଭାରତ ପକ୍ଷରୁ ଗୌତମ ଗମ୍ଭୀର ୭୫ ଓ ରୋହିତ ଶର୍ମା ୩୦ ରନର ଦମଦାର ପାଳି ଖେଳିଥିଲେ । ଫଳରେ ଭାରତ ୧୫୭ ରନ କରିଥିଲା । 

୧୫୮ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ପାକିସ୍ତାନ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ବି ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲେ । ହେଲେ କଷ୍ଟେମଷ୍ଟେ ପାକିସ୍ତାନ ଶେଷ ଓଭର ଯାଏଁ ପହଞ୍ଚି ସାରିଥିଲା । ୬ ବଲରେ ପାକିସ୍ତାନକୁ ବିଜୟ ପାଇଁ ୧୩ ରନର ଆବଶ୍ୟକତା ଥାଏ । ଆଉ ଏହି ସମୟରେ ଯୋଗିନ୍ଦର ଶର୍ମାଙ୍କ ହାତକୁ ବଲ ବଢ଼ାଇଦେଇଥିଲେ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି । ଯୋଗିନ୍ଦର ୨ ବଲରେ ୭ ରନ ଦେଇ ସାରିଥିଲେ । ପାକିସ୍ତାନ ବିଜୟଠାରୁ ୬ ରନ ପଛରେ ଥିବାବେଳେ ଭାରତ ଗୋଟିଏ ଓ୍ୱିକେଟ ଅପେକ୍ଷାରେ ଥିଲା । କିଏ ଜିତିବ ବୋଲି ସସପେନ୍ସ ଲାଗି ରହିଥିଲା । ସେପଟେ ସାନଦାର ଫର୍ମରେ ଥାଆନ୍ତି ମିସବାହ ଉଲହକ । ତୃତୀୟ ବଲରେ ମିସବାହ ଉଲହକ ଛକା ମାରିବା ଚକ୍କରରେ ଶ୍ରୀସାନ୍ତଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ । ଏହି କ୍ୟାଚ ସହ ଭାରତ ଏହି ବିଶ୍ୱକପ ନିଜ ନାଁରେ କରିଥିଲା । କେହି କେବେ ଭାବିନଥିଲେ ନୂଆ ଅଧିନାୟକ ଆଉ ନବାଗତ ଖେଳାଳି ଭାରତକୁ ବିଶ୍ୱବିଜେତା କରିପାରିବେ । ହେଲେ ଏହି ଟିମ୍ ତାହା କରିଦେଖାଇଥିଲା ଯାହା କେହି କେବେ କଳ୍ପନା କରିନଥିଲେ ।