କନକ ବ୍ୟୁରୋ : ସରକାରୀ ଚାକିରି କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସ୍ଥାନ । ଏନେଇ ରହିଛି ନିଦ୍ଧିଷ୍ଟ ନିୟମ । ଭାରତୀୟ କ୍ରିକେଟ ଦଳର ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ତେଲେଙ୍ଗାନା ସରକାର ଏକ ବଡ ଦାୟିତ୍ୱ ଦେଇଛନ୍ତି । ସେ ତେଲେଙ୍ଗାନା ପୋଲିସ ବିଭାଗରେ ଡିଏସପି ଭାବେ ନିଯୁକ୍ତି ପାଇଛନ୍ତି । ଟି-୨୦ ବିଶ୍ୱକପରେ ସିରାଜଙ୍କ ଭଲ ପ୍ରଦର୍ଶନ ପରେ ତେଲେଙ୍ଗାନା ସରକାର ସିରାଜଙ୍କୁ ସରକାରୀ ଚାକିରି ଏବଂ ଜମି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଗତ କିଛି ଦିନ ତଳେ ସିରାଜ୍ ଡିଏସପି ଭାବେ ନିଯୁକ୍ତି ପାଇଛନ୍ତି । ତେବେ କେବଳ ସିରାଜ୍ ନୁହଁନ୍ତି ଭାରତୀୟ କ୍ରିକେଟଙ୍କ ମଧ୍ୟରେ ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କୁ ବଡ ବଡ ସରକାରୀ ପଦବୀ ମିଳିଛି । 

Advertisment

ଟିମ୍ ଇଣ୍ଡିଆର ପୂର୍ବତନ ଫାଷ୍ଟ୍ ବୋଲର ଯୋଗେନ୍ଦର ସରମାଙ୍କୁ କିଏ ବା ମନେ ରଖିନଥିବ । ଦକ୍ଷିଣ ଆଫ୍ରିକାରେ ୨୦୦୭ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ ବିପକ୍ଷରେ ଯୋଗେନ୍ଦରଙ୍କ ଚମକ୍ରାର ପ୍ରଦର୍ଶନ ଭାରତକୁ ୱାର୍ଲ୍ଡ ଚାମ୍ପିୟନ ବନାଇଥିଲା । ଖୁବ୍ ପ୍ରଶଂସା ସାଉଣ୍ଟିବା ପରେ ହରିଆଣା ସରକାର ଯୋଗେନ୍ଦରଙ୍କୁ ଡିଏସପି ଭାବେ ନିଯୁକ୍ତି ଦେଇଥିଲେ । 
ସେହିପରି ପୂର୍ବତନ ଖେଳାଳି ହରଭଜନ୍ ସିଂଙ୍କୁ ବି ପଞ୍ଜାବ ପୋଲିସରେ ଡେପୁଟି ଏସପି ଭାବେ ନିଯୁକ୍ତି ମିଳିସାରିଛି । ବର୍ତ୍ତମାନ ହରଭଜନ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଅଛନ୍ତି । 
ଟିମ୍ ଇଣ୍ଡାଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ବି ବଡ ପଦବୀ ମିଳିଛି । କ୍ରିକେଟ ଜଗତରେ ଅନେକ ଇତିହାସ ରଚିବା ପରେ ଧୋନୀଙ୍କୁ ପ୍ରାଦେଶୀକ ସେନା ଦ୍ୱାରା ଲେପ୍ଟନାଣ୍ଟ୍ କର୍ଣ୍ଣଲ ଭାବେ ସମ୍ମାନୀତ କରାଯାଇଥିଲା । ଧୋନୀଙ୍କୁ ଏହି ର୍ୟାଙ୍କରେ ନିଯୁକ୍ତି ମିଳିବା ପରେ ସେ ସମୟ ସମୟରେ ଆର୍ମୀ ଟ୍ରେନିଂ ନେଉଥିବାର ଦେଖିବାକୁ ମିଳିଛି । 

କ୍ରିକେଟ୍ ଦୁନିଆର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କୁ ବି ଭାରତୀୟ ବାୟୁସେନାରେ ବଡ ପଦବି ମିଳିସାରିଛି । ୨୦୧୦ ମସିହାରେ ସଚିନଙ୍କୁ ବାୟୁସେନା ଗ୍ରୁଫ୍ କ୍ୟାପ୍ଟେନ୍ ଭାବେ ସମ୍ମାନୀତ କରିଥିଲା । ଏହି ପଦବୀ ମିଳିବା ପରେ ଅନେକ ସମୟରେ ଭାରତୀୟ ବାୟୁସେନା ପୋଷାକ ପିନ୍ଧି ସଚିନ୍ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । 

ଭାରତୀୟ କ୍ରିକେଟ୍ ଟିମର ଅଲରାଉଣ୍ଡର କୁହାଯାଉ କପିଲ ଦେବଙ୍କୁ ଲେପ୍ଟନାଣ୍ଟ କର୍ଣ୍ଣଲ ଭାବେ ସମ୍ମାନୀତ କରିଥିଲା ଭାରତୀୟ ସେନା । 
ପୂର୍ବତନ ଖେଳାଳି ଉମେଶ ଯାଦବଙ୍କ ସ୍ୱପ୍ନ ଥିଲା ପୋଲିସ କିମ୍ବା ସେନାରେ ଭର୍ତ୍ତି ହୋଇ ଦେଶ ସେବା କରିବେ । କିନ୍ତୁ ସେନା କିମ୍ବା ପୋଲିସରେ ଭର୍ତ୍ତି ହେବାର ସୁଯୋଗ ନମିଳିବାରୁ ସେ କ୍ରିକେଟର ହୋଇ ଦେଶ ସେବା କରିବାକୁ ଚାହିଁଥିଲେ । କ୍ରିକେଟରୁ ଅବସର ପରେ ସେ ଏବେ ରିଜର୍ଭ ବ୍ୟାଙ୍କରେ ଆସିଷ୍ଟାଣ୍ଟ୍ ମ୍ୟାନେଜର୍ ଭାବେ କାର୍ଯ୍ୟ କରୁଛନ୍ତି । 

ସେହିପରି ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ସଂଘର୍ଷ କରୁଥିଲା ସ୍ପିନ୍ ବୋଲର ଚହଲ ମଧ୍ୟ ଆୟକର ବିଭାଗର ଜଣେ ଇନ୍ସପେକ୍ଟର ଅଟନ୍ତି । ୨୦୧୮ରେ ସେ ହରିୟାଣା ସରକାରରେ ଏହି ପଦବୀ ପାଇଥିଲେ । 

କେଏଲ୍ ରାହୁଲ ଭାରତୀୟ କ୍ରିକେଟ୍ ଟିମର ଜଣେ ଭଲ ବ୍ୟାଟ୍ସମ୍ୟାନ୍ ହେବା ସହ ରିଜର୍ଭ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର୍ ପଦବୀରେ ନିଯୁକ୍ତ ଅଛନ୍ତି । 

କେମିତି ମିଳେ ସରକାରୀ ଚାକିରି
 ସରକାରୀ ଚାକିରିରେ ନିଯୁକ୍ତି ପାଇଁ ଏକ ସ୍ପୋର୍ଟସ୍ କୋଟା ରହିଛି । ଯାହା ଅଧିନରେ ବିଶ୍ୱବିଦ୍ୟାଳୟ ସ୍ତରରୁ ନେଇ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ଖେଳାଳିଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ଦିଆଯାଇଥାଏ । ଏହା ବ୍ୟତୀତ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ କୌଣସିବି ଦକ୍ଷ ଖେଳାଳିଙ୍କୁ ସିଧାସଳଖ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇପାରିବାର ସୁବିଧା ରହିଛି । ଅର୍ଥାତ୍ ଖେଳାଳିଙ୍କୁ ସରକାରୀ ଚାକିରି ପାଇଁ କୌଣସି ଆବେଦନ କରିବାକୁ ପଡିନଥାଏ କିମ୍ବା ପଦବୀ ଖାଲି ହେବା ଯାଏଁ ଅପେକ୍ଷା କରିବାକୁ ପଡିନଥାଏ ।