କନକ ବ୍ୟୁରୋ: କେମିତି ଟ୍ରମ୍ପଙ୍କ ନିକଟତର ହେଲେ ମୁନିର୍, କଣ ଏମିତି ଷଡ୍‌ଯନ୍ତ୍ର କଲେ ଯେ, ଘୃଣା କରୁଥିବା ଆମେରିକା ପାକିସ୍ତାନକୁ କୋଳେଇନେଲା, ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଆସନ୍ତୁ ଜାଣିବା ମୁନିର୍ କେମିତି ଟ୍ରମ୍ପଙ୍କ ନିକଟତର ହେଲେ...
କଥାରେ ଅଛି ଜଣେ ଯେତେବେଳେ ଦୁର୍ବଳ ଥିବ ସେତେବେଳେ ତାର ଫାଇଦା ଉଠାଇବ, ଆଉ ଏହାକୁ ପ୍ରମାଣ କରି ଦେଖାଇଛି ପାକିସ୍ତାନ । ଅନେକ ପ୍ରତିରକ୍ଷା ବିଶେଷଜ୍ଞ ମୁନିରଙ୍କୁ ‘ବିଫଳ ମାର୍ଶାଲ’ କହୁଥିବା ବେଳେ, ଟ୍ରମ୍ପଙ୍କ ନିକଟତର ହେବାରେ ସଫଳ ହୋଇଛନ୍ତକି ମୁନିର୍ । ଏହା ସେତେବେଳେ ପ୍ରମାଣିତ ହୋଇଥିଲା ଯେତେବେଳେ ପାକିସ୍ତାନର ସ୍ୱାଧୀନତା ଦିବସରେ ସମା ଟିଭି ୧୪୦ରୁ ଅଧିକ ପାକିସ୍ତାନୀ ସୈନିକଙ୍କ ତାଲିକା ପ୍ରକାଶ କରିଥିଲା, ଯେଉଁମାନଙ୍କୁ ମରଣୋତ୍ତର ବୀରତା ପୁରସ୍କାର ଦିଆଯାଇଥିଲା । ଏହି ରିପୋର୍ଟ ଭାଇରାଲ ହେବା ପରେ ଏହାକୁ ଡିଲିଟ୍ କରି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ପରାଜୟ ସତ୍ତ୍ୱେ  ବି ମୁନିର ପାକିସ୍ତାନରେ ବିଜୟ ଉତ୍ସବ ପାଳନ କରିଥିଲେ, ଯେତେବେଳେ ପାକ୍‌ ସେନା ଭାରତ ଦ୍ୱାରା ବୋମା ମାଡ଼ ହୋଇଥିବା ଏୟାର୍‌ଷ୍ଟ୍ରିପ୍କୁ ସଜାଡ଼ିବାରେ ବ୍ୟସ୍ତ ଥିଲା ।

Advertisment

ପ୍ରତିଶ୍ରୁତି ଦେଇ ଟ୍ରମ୍ପଙ୍କୁ ଫସାଇଲେ
ମୁନିର, ଡୋନାଲ୍ଡ ଟ୍ରମ୍ପଙ୍କୁ ତୈଳ, ରାଷ୍ଟ୍ର-ସମର୍ଥିତ କ୍ରିପ୍ଟୋକରେନ୍ସି ପ୍ରକଳ୍ପ, ବିରଳ ମୃତ୍ତିକା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁନିର । ଏହା ସହ ସେ ଆମେରିକାକୁ ବଲୋଚ ସଂଗଠନକୁ ବିଦେମଜଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବାକୁ ବାଧ୍ୟ କରି ଏକ ଚର୍ଚ୍ଚିତ ସଫଳତା ହାସଲ କରିଛନ୍ତି ।  ଜୁନ୍ ମାସରେ ଇସ୍ରାଏଲ ଇରାନ ବିରୋଧରେ ଅପରେସନ୍ ରାଇଜିଂ ଲାଇନ୍ ଆରମ୍ଭ କରିବା ବେଳେ ମୁନିର ପ୍ରଥମେ ଆମେରିକା ଗସ୍ତ କରିଥିଲେ । ପାକିସ୍ତାନ ଭାରତଠାରୁ ପରାସ୍ତ ହେବାର ମାତ୍ର ଏକ ମାସ ପରେ ଏହା ଘଟିଥିଲା । ଇରାନ ସହ ପାକିସ୍ତାନର ସୀମା ରହିଛି ଏବଂ ଆମେରିକା ଖାମେନି ଶାସନ ବିରୋଧରେ ଏୟାର୍ ଷ୍ଟ୍ରାଇକ୍ କରିବାର ଥିଲା । ଇରାନର ପରମାଣୁ କେନ୍ଦ୍ର ଉପରେ ବୋମା ମାଡ଼ କରିବାର କିଛି ଦିନ ପୂର୍ବରୁ ଆମେରିକା ପାକିସ୍ତାନଠାରୁ ସହଯୋଗ ଲୋଡ଼ିଥିଲା । ଆମେରିକା କଥାରେ ମୁନିର ରାଜି ହୋଇଥିଲେ । 

ଅର୍ଥ ସଙ୍କଟରେ ଥିବା ପାକିସ୍ତାନ ଆନୁଷ୍ଠାନିକ ଭାବେ କ୍ରିପ୍ଟୋକରେନ୍ସି ପାଇଁ ନିଜର ଦ୍ୱାର ଖୋଲି ଟ୍ରମ୍ପଙ୍କ ପ୍ରିୟ ହୋଇଥିଲା । ଏହି କ୍ରିପ୍ଟୋ ପ୍ରୋଜେକ୍ଟ ପାଇଁ ୱାର୍ଲ୍ଡ ଲିବର୍ଟି ଫାଇନାନ୍ସିଆଲ କ୍ରିପ୍ଟୋକରେନ୍ସି ପ୍ରୋଜେକ୍ଟକୁ ଫାସିଲିଟେଟର ଭାବରେ ଚୟନ କରାଯାଇଥିଲା, ଯାହା ଟ୍ରମ୍ପ ପରିବାର ସହ ଜଡିତ, କିନ୍ତୁ ଆଇଏମ୍ଏଫ୍‌ର ବେଲ୍ଆଉଟ୍ ଓ ଋଣ ଅର୍ଥରେ ବଞ୍ଚିରହିଥିବା ପାକିସ୍ତାନର ଅର୍ଥନୀତିର ସ୍ଥିତିକୁ ଦେଖିଲେ ପାକିସ୍ତାନରେ ଟ୍ରମ୍ପଙ୍କ କ୍ରିପ୍ଟୋ ଆଗ୍ରହ ଓ ପୁଞ୍ଜିନିବେଶ ନିରର୍ଥକ ସାବ୍ୟସ୍ତ ହୋଇପାରେ। 

ନିଜର ତୈଳ ଓ ଗ୍ୟାସ୍ ନ ଥାଇ ଆମେରିକାକୁ  ତାହା ଦେବ ବୋଲି ପାକିସ୍ତାନ ପ୍ରତିଶ୍ରୁତି ଦେଇଛି । ପାକିସ୍ତାନର ପେଟ୍ରୋଲିୟମ ଇନଷ୍ଟିଚ୍ୟୁଟ୍ ଅନୁଯାୟୀ, ଦେଶର ଘରୋଇ ତୈଳ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି । ୨୦୧୯ରେ ଦୈନିକ ୮୯,୦୩୦ ବ୍ୟାରେଲ ଅଶୋଧିତ ତୈଳ ଉତ୍ପାଦନ ହୋଇଥିବା ବେଳେ ୨୦୨୫ରେ ଏହା ୬୪,୨୬୨ ବ୍ୟାରେଲକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ଏହାବ୍ୟତୀତ ପାକିସ୍ତାନରେ ବିରଳ ମୃତ୍ତିକାର ଉପସ୍ଥିତି ନେଇ ଯେଉଁ ଦାବି କରାଯାଉଛି ତାହା ପ୍ରମାଣିତ ହୋଇନାହିଁ । ବିରଳ ମୃତ୍ତିକା ଉତ୍ତୋଳନ ପାଇଁ ଆବଶ୍ୟକ ଜ୍ଞାନକୌଶଳ ଓ ଭିତ୍ତିଭୂମି ବି ପାକିସ୍ତାନ ପାଖରେ ନାହିଁ ।  ତୈଳ ଓ ବିରଳ ମୃତ୍ତିକାର ପ୍ରତିଶ୍ରୁତି ଦେଇ ପାକିସ୍ତାନ ଆମେରିକାର ସ୍ୱାର୍ଥକୁ ପ୍ରୋତ୍ସାହନ ଦେଉଥିବା ବେଳେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ଜରିଆରେ ଏହାର ପ୍ରମୁଖ ନିବେଶକ ଚୀନ୍ ସହ ସମ୍ପର୍କ ଖରାପ ହେବାର ଆଶଙ୍କା ରହିଛି ।