ଦୁନିଆ ଯେତେ ଆଗକୁ ବଢୁଛି ମଣିଷ ମଧ୍ୟ ସମାଜ ସହ ତାଳ ଦେଇ ଆଗକୁ ବଢିବାରେ ଲାଗିଛି । ପେଟ ଚାଖଣ୍ଡକ ପାଇଁ ପରିବାର ଛାଡ଼ି ଘରର ପୁଅ , ଝିଅ ବାହାରକୁ ଆସି ପାଠ ପଢି ଚାକିରି କରୁଛନ୍ତି , କିନ୍ତୁ ପ୍ରତିକ୍ଷଣ ପରିବାରକୁ ଝୁରି ହେଉଛନ୍ତି । ଘରର ମୁରବି ପରିବାର ଚଳାଇବା ପାଇଁ ଦିନରାତି ଖଟି ପିଲାଙ୍କ ଭବିଷ୍ୟତ ଗଢିବାର ଅସୁମାରୀ ସ୍ୱପ୍ନ ବୁଣୁଛନ୍ତି । ପ୍ରେମରେ ପଡ଼ିଥିବା ପ୍ରେମିକ,ପ୍ରେମିକା ବିବାହର ସୁନେଲୀ ସ୍ୱପ୍ନ ଦେଖୁଛନ୍ତି । କମ୍ପେଟିଟିଭ୍ ପରୀକ୍ଷାରେ ବାରମ୍ବାର ପ୍ରୟାସ କରି ଭଲ ଚାକିରିଟିଏ ପାଇ ବାପା,ମା’ଙ୍କୁ ଗୌରବ ଆଣିଦେବା ପାଇଁ ଆଶାୟୀଟିଏ କଠିନ ପରିଶ୍ରମ କରୁଛି । କିନ୍ତୁ ଥରେ ଭାବିଲେ ଏସବୁ ସ୍ୱପ୍ନ କେବଳ ସ୍ୱପ୍ନରେ ରହିଗଲେ କ’ଣ ହେବ ?

Advertisment

Depression

ହସୁଥିବା ମଣିଷଟି ଚୁପ୍ ହୋଇଯିବ , ଟିକେ ଟିକେ କଥାରେ ଚିଡଚିଡ୍ ହେବ , ଦୁଃଖୀ ରହିବ , କାହା ସହ କଥା ହେବା ପାଇଁ ଇଚ୍ଛା କରିବ ନାହିଁ , ସାଧାରଣଠାରୁ ଅଧିକ ଖାଇବ ନହେଲେ କମ୍ , ଆଖିରୁ ନିଦ ହଜିଯିବ ନହେଲେ ଅଧିକ ଶୋଇବ, କ୍ୟାରିୟର୍ ପ୍ରତି ସକ୍ରିୟଭାବ ଦେଖାଇବ ନାହିଁ । ଏହି ଲକ୍ଷଣକୁ ହିଁ ଡାକ୍ତରୀ ଭାଷାରେ ଅବସାଦ ବା ଡିପ୍ରେସନ୍ ବୋଲି କୁହାଯାଏ ଆଜ୍ଞା । ଏଭଳି ଜଟିଳ ସମୟରେ ନିଃସଙ୍ଗତା ମଣିଷର ତଣ୍ଟିକୁ ଏମିତି ଚିପେ ଯେ ଏକୁଟିଆପଣର ଭାର ଆତ୍ମହତ୍ୟା ଆଡକୁ ବି ବେଳେବେଳେ ଠେଲିଦିଏ । 

ଯଦି ଆପଣଙ୍କ ଆଖପାଖରେ ଏଭଳି ବ୍ୟକ୍ତିବିଶେଷକୁ ଦେଖୁଛନ୍ତି ତେବେ ତାଙ୍କୁ ଭୁଲ୍ ବୁଝିବାର ଭୁଲ୍ ଆଦୌ କରନ୍ତୁନାହିଁ । ଆପଣଙ୍କ ପଦିଏ ମିଠା କଥା କାହା ଜୀବନ ଉପରେ କେତେ ସକାରାତ୍ମକ ପ୍ରଭାବ ପକାଇପାରିବ ତାହା ଆପଣ ମଧ୍ୟ ଜାଣିନଥିବେ । ବର୍ତ୍ତମାନର ସମୟରେ ଅବସାଦ ଏକ ଜଟିଳ ସମସ୍ୟା । ଯୁବାବର୍ଗରୁ ଆରମ୍ଭ କରି ବୟସ୍କଙ୍କ ଭିତରେ ମଧ୍ୟ ଏହି ସମସ୍ୟା ଦେଖାଯାଏ । ତେବେ ଏଭଳି ବ୍ୟକ୍ତିବିଶେଷଙ୍କ ସହ ରୁକ୍ଷ ମନୋଭାବ ରଖି କଥା ନହୋଇ ମନ ଭିତରୁ ପ୍ରେମ , ସହାନୁଭୂତି , ଆଦରର ଭାବ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତୁ । ଯଦି ଉକ୍ତ ବ୍ୟକ୍ତିଜଣକ ରାଗ , ଚିଡଚିଡ୍ ହୋଇ କଥା ହେଉଛନ୍ତି ତେବେ ନିଜକୁ ଧର୍ଯ୍ୟବାନ ବନାନ୍ତୁ କାରଣ ଏହା ସେ ନୁହଁ ବରଂ ତାଙ୍କ ଭିତରେ ଥିବା ଅବସାଦ ହିଁ କରୁଛି । କଥା ହେବା ସମୟରେ ମୁଁ ତୁମ ସହ ଅଛି , ତୁମେ ଏକାକୀ ନୁହଁ , ମତେ କୁହ ମୁଁ ତୁମ ପାଇଁ କ’ଣ କରିପାରିବି , ମୁଁ ଶୁଣିବାକୁ ପ୍ରସ୍ତୁତ ତୁମେ କହିଚାଲ ଭଳି ଶବ୍ଦ ବ୍ୟବହାର କରନ୍ତୁ । ମନୋବିଜ୍ଞାନୀଙ୍କ ପରାମର୍ଶ ନିଅନ୍ତୁ , ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ ।

1234

ଅବସାଦଗ୍ରସ୍ତ ବ୍ୟକ୍ତିଙ୍କୁ ଏକୁଟିଆ ନଛାଡ଼ି ଭଲ ସମୟବେଳକୁ ମନେପକାଇ ଗପସପ କରନ୍ତୁ । ସକାରାତ୍ମକ ଉର୍ଜା ସୃଷ୍ଟି କରୁଥିବା ପରିବେଶରେ କିମ୍ବା ଲୋକଙ୍କ ଗହଣରେ ବ୍ୟକ୍ତିଜଣଙ୍କୁ ନେଇଯାଆନ୍ତୁ । ସକ୍ରିୟ ରହିଲେ ଅବସାଦରୁ ବାହାରକୁ ବାହାରିବା ପାଇଁ ଶକ୍ତି ମିଳେ । ଏଭଳି ବ୍ୟକ୍ତିବିଶେଷଙ୍କ ମୁଡ୍ ସ୍ୱିଙ୍ଗ୍ ବା ବ୍ୟବହାରରେ ଭଳି କି ଭଳି ପରିବର୍ତ୍ତନ ଦେଖାଯାଏ ଯାହାକୁ ପରିପକ୍ୱତାର ଦୃଷ୍ଟିରେ ଦେଖିବା ନିତାନ୍ତ ଜରୁରୀ । ଉପର ବ୍ୟବହାର ଦେଖି ମଣିଷକୁ ସେହିପ୍ରକାର ହିଁ ଭାବିଦେବା ସବୁଠୁ ବଡ଼ ଭୁଲ୍ । ଏଭଳି ସମୟରେ କଠୋର ନହୋଇ ମମତାର ଭାଷା ବ୍ୟବହାର କରନ୍ତୁ । ଆପଣଙ୍କର ସ୍ୱଳ୍ପ ଉଦ୍ୟମ କାହାର ଜୀବନକୁ ଅବସାଦର ଅନ୍ଧକାରରୁ ବାହାର କରି ସକାରାତ୍ମକ ଦିଗରେ ନେବା ପାଇଁ ସହାୟକ ହେବ ।