କନକ ବ୍ୟୁରୋ: ନଦୀରେ ବଢ଼ିବେ ମାଛ । ତେଣୁ ମତ୍ସ୍ୟଜୀବୀଙ୍କୁ ମାଛ ଧରିବା ମନା । କୂଳରେ ଲାଗିଛି ଡଙ୍ଗା । କଟକଣାରେ ଛନ୍ଦି ହୋଇଛି ଜାଲ । ରୋଜଗାରରେ ପଡ଼ିଛି ତାଲା । ହେଲେ ଦଲାଲଙ୍କ ପାଇଁ ସବୁ ଖୋଲା । ଖୁଲମ୍‌ଖୁଲା ଦେବୀରୁ ଛାଣି ନେଇଛନ୍ତି ଯାଆଁଳ । ଯାହାକୁ ଦେଖି ଚିନ୍ତାରେ ମତ୍ସ୍ୟଜୀବୀ । କେମିତି ବଢ଼ିବ ମାଛ ବଂଶ? କୁଆଡ଼େ ଗଲା ବିଭାଗ? କେବେ ହେବ କାର୍ଯ୍ୟାନୁଷ୍ଠାନ? ଦେବୀ ନଦୀରେ ମାଛ ଜାଆଁଳ ମାଫିଆଙ୍କ ଅବାଧ ପ୍ରବେଶ ଦେଖି ଏମିତି ପ୍ରଶ୍ନ କରିଛନ୍ତି ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳର ମତ୍ସ୍ୟଜୀବୀ । 
 
ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ୨୦ ହଜାର ମତ୍ସ୍ୟଜୀବୀ ଦେବୀ, କାଦୁଆ, ପ୍ରାଚୀ ନଦୀ ଏବଂ ସମୁଦ୍ରରୁ ମାଛ ଧରି ଜୀବିକା ନିର୍ବାହ କରିଥାନ୍ତି । ହେଲେ ପ୍ରଶାସନିକ କଟକଣା ଏବଂ ମାଛ ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁଁ ଏବେ ସେମାନଙ୍କ କୁଳବେଉସା ବୁଡ଼ିବାକୁ ବସିଛି। ମାଛ ବଂଶ ବୃଦ୍ଧି ନେଇ ଏପ୍ରିଲ ୧୫ରୁ ଜୁନ୍ ୧୫ ଯାଏଁ ୨ ମାସ ଧରି ମାଛଧରା ଉପରେ କଟକଣା ଲଗାଯାଇଛି । ମତ୍ସ୍ୟଜୀବୀ ଡଙ୍ଗାକୁ ନଦୀ କୂଳରେ ଲଗେଇ ହାତ ବାନ୍ଧି ବସିଛନ୍ତି । ସେପଟେ ଦଲାଲ କୌଣସି କଟକଣାକୁ ନମାଲି ବେଧଡ଼କ ନଦୀରେ ପଶୁଛନ୍ତି । ମଟର ଡଙ୍ଗାରେ ଜାଲ ବାନ୍ଧି ନଦୀରୁ ଚିଙ୍ଗୁଡି ଏବଂ ଖଇଙ୍ଗା ଜାଆଁଳ ଧରୁଥିବା ଦେଖିବାକୁ ମିଳିଛି । ମାଫିଆ ମାନେ ଦିନ ଦି-ପହରରେ ଏଭଳି  କରୁଥିବା ସମୟରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ଏବଂ ସାମୁଦ୍ରିକ ପୁଲିସ ଦେଖି ନଦେଖିଲା ଭଳି ଆଖି ବନ୍ଦ କରିଦେଉଥିବା ଅଭିଯୋଗ ହୋଇଛି ।