କନକ ବ୍ୟୁରୋ: ୧୭ଦିନ ପରେ ମେଘାଳୟ ରାଜା ରଘୁବଂଶୀ ନିଖୋଜ ଓ ହତ୍ୟା ମାମଲା ଉପରୁ ପରଦା ଉଠିଛି । ପରକୀୟା ପ୍ରୀତିର କରୁଣ କାହାଣୀର ନୂଆ ମାମଲା ସାମ୍ନାକୁ ଆସୁଛି । ବୟଫ୍ରେଣ୍ଡ ରାଜ୍ ପାଇଁ କେମିତି ରାଜାଙ୍କୁ ହତ୍ୟାର ଷଡ଼୍ଯନ୍ତ୍ର କରିଥିଲା ସୋନମ ଜାଣନ୍ତୁ ଏହି ରିପୋର୍ଟରେ…
• ହୋଟେଲ୍, ହନିମୁନ୍ ଓ ହତ୍ୟା
• ଇନ୍ଦୋରରେ ବାହାଘର, ମେଘାଳୟରେ ହତ୍ୟା
• ପରକୀୟାପ୍ରୀତି ପାଇଁ ସ୍ବାମୀକୁ ମାରିଲା ସ୍ତ୍ରୀ
ପରିବାର,ପୁଲିସକୁ ୧୭ଦିନ ଧରି ଭୂଆଁ ବୁଲାଇ ଏ ରାଜ୍ୟରୁ ସେ ରାଜ୍ୟରେ ଲୁଚି ବୁଲୁଥିବା ଅଭିଯୁକ୍ତ ସୋନମ ରଘୁବଂଶୀ ଶେଷରେ ପୋଲିସ ହାତରେ ଧରାପଡିଛି । କାହିଁକି ମାରିଲା ସ୍ବାମୀ ରାଜାଙ୍କୁ ? କାହା ସହ ମିଶି ମାରିଲା ? କେମିତି ରଚିଥିଲା ହତ୍ୟା ଷଡ୍ଯନ୍ତ୍ର ? ଗିରଫ ପରେ ଏନେଇ ଟିକିନିକି ସବୁ କଥା ପୁଲିସ ଆଗରେ କହିଛି ଅଭିଯୁକ୍ତ । ସେପଟେ ହତ୍ୟାକାରୀ ବୋହୂକୁ ଜୀବନ୍ତ ଜାଳି ମାରିବାକୁ ଦାବି କରିଛି ମୃତ ରାଜାଙ୍କ ପରିବାର ।
ଇନ୍ଦୋରର ପ୍ଲାଏଉଡ୍ ବ୍ୟବସାୟୀଙ୍କ ଝିଅ ସହ ବିବାହ କରିଥିଲେ ରାଜା ରଘୁବଂଶୀ । ସୂଚନା ଅନୁସାରେ ମେ ୧୧ରେ ସୋନମ୍ ଓ ରାଜାଙ୍କ ବାହାଘର ହୋଇଥିଲା । ମେ ୨୦ରେ ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ । ମେ ୨୩ରେ ଉଭୟ ନିଖୋଜ ହୋଇଥିବା ଖବର ଆସିଥିଲା । ସୋନମ୍ ନିଖୋଜ ଥିବା ସହ ତାଙ୍କର କୌଣସି ପତ୍ତା ମିଳିନଥିଲା । ପରିବାର ଲୋକ ଅପହରଣ ମାମଲା ରୁଜୁ କରିଥିଲେ । ଜୁନ୍ ୨ରେ ଏକ ଖାଇ ନିକଟରୁ ରାଜାଙ୍କ ଗଳିତ ମୃତଦେହ ମିଳିଥିଲା ।
ମେଘାଳୟ ପୁଲିସ ସ୍ଥାନୀୟ ହୋଟେଲ ଓ ଟୁରିଷ୍ଟ ଗାଇଡ୍ଙ୍କଠୁ ପାଇଥିବା ସୂଚନା ଆଧାରରେ ଛାନଭିନ କରିଥିଲା । ନିଖୋଜ ଅଭିଯୋଗର ୮ଦିନ ପରେ ଏକ ଖାଇରୁ ମିଳିଥିଲା ରାଜାଙ୍କ ମୃତଦେହ । ଘଟଣାସ୍ଥଳରୁ ମିଳିଥିବା କିଛି ଜିନିଷ ସୋନମଙ୍କ ଉପରେ ସନ୍ଦେହ ବଢ଼ାଇଥିଲା । ଏସ୍ଆଇଟି ଟିମ୍ ଗଠନ କରାଯାଇ ତଦନ୍ତକୁ ତ୍ବରାନିତ୍ବ କରିଥିଲା ପୁଲିସ ।
ଗୌହ୍ବାଟୀ ଯାଇଥିଲେ ରାଜା ଓ ସୋନମ୍ । ସେପଟେ ସେମାନଙ୍କ ପଛରେ ପହଞ୍ଚିଲେ ରାଜ୍ ଓ ୨ ଅଭିଯୁକ୍ତ । ଡବଲଡେକର ଅଞ୍ଚଳରେ ରାଜାକୁ ହତ୍ୟା କରି ଫେରାର ହୋଇଥିଲେ ୪ଜଣ । ଟୁରିଷ୍ଟ ଗାଇଡ୍ ସୋନମ୍ ଓ ୩ ଜଣ ବ୍ୟକ୍ତିଙ୍କୁ ଏକାଠି ଦେଖିଥିବା ପୁଲିସକୁ ସୂଚନା ଦେଇଥିଲେ । ପରେ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା
ତେବେ ଘଟଣା ୧୭ଦିନ ପରେ ଗାଜିପୁରର ଏକ ଢାବାରୁ ଧରା ପଡିଛି ସୋନମ । ଗାଜିପୁର ଦେଇ ବାରଣାସୀରେ ପହଞ୍ଚିବା ପରେ ନେପାଳ ଯିବାକୁ ଯୋଜନା କରିଥିଲେ ଅଭିଯୁକ୍ତ । ତେବେ ଢାବାରେ ପହଞ୍ଚି ଘରକୁ ଫୋନ୍ କରିବା ଘଟଣା ମାମଲାରେ ନୂଆ ମୋଡ଼ ନେଇଥିଲା ।
କେମିତି ଗିରଫ ହୋଇଥିଲେ ସୋନମ୍?
ସିଲଂରୁ ଗାଜିପୁରରେ ପହଞ୍ଚିଥିଲେ ସୋନମ୍ । ଢାବା କର୍ମଚାରୀଙ୍କ ଫୋନ୍ରୁ ଭାଇ ସହ କଥା ହୋଇଥିଲେ । ସୋନମ୍ ନିଜ ଠିକଣା ଭାଇକୁ କହିଥିଲେ । ଇନ୍ଦୋର ପୁଲିସକୁ ସୂଚନା ଦେଇଥିଲେ ଭାଇ । ଇନ୍ଦୋର ପୁଲିସ ଗାଜିପୁର ପୁଲିସକୁ ସୂଚନା ଦେଇଥିଲେ । ଗିରଫ ହୋଇଥିଲେ ସୋନମ୍ ।
ସୋନମଙ୍କ ବାପା ଦେବୀ ସିଂ ରଘୁବଂଶୀଙ୍କ କମ୍ପାନିରେ କାମ କରୁଥିଲା ରାଜ୍ କୁଶୱାଙ୍କ ପ୍ରେମରେ ପଡ଼ି ସ୍ବାମୀକୁ ହତ୍ୟା କରିବାକୁ ପଛାଇନି ସୋନମ । ରାଜାଙ୍କୁ ମାରିବାକୁ ବୟଫ୍ରେଣ୍ଡ ରାଜ୍ ସହ ମିଶି ଏଭଳି ଏକ ସାଂଘାତିକ ଷଡ଼୍ଯନ୍ତ୍ର ରଚିଥିଲା । ସେପଟେ ହନିମୁନ ଟ୍ରିପ୍ ପାଇଁ କେବଳ ଯିବା ଟିକେଟ କରିଥିଲେ ସୋନମ ଓ ଫେରିବା ଟିକେଟ୍ ନକରିବା ରାଜାଙ୍କ ପରିବାର ମନରେ ସନ୍ଦେହ ସୃଷ୍ଟି କରିଥିଲା ।
ରାଜାଙ୍କ ପରିବାର କଳ୍ପନାର ସୁଦ୍ଧା ଚିନ୍ତା କରିନଥିବେ ଯେଉଁ ଝିଅକୁ ସାତଜନମର ସାଥୀ କରିଛି ପୁଅ ସେହି ତାଙ୍କ ପୁଅକୁ ହତ୍ୟା କରିବ । ତେବେ ସୋନମ ଗିରଫ ପରେ ମାମଲାକୁ ନେଇ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିବ । ବାହାଘର, ହନିମୁନ ଓ ହତ୍ୟା ପଛର କାରଣ ପରକୀୟା ପ୍ରୀତି ନାଁ ଆଉ କିଛି ଏହା ଉପରେ ସସପେନ୍ସ ଜାରି ରହିଛି ।