କନକ ବ୍ୟୁରୋ: ଅକ୍ଷୟ କୁମାରଙ୍କ ଅଭିନୀତ ‘ହାଉସ୍ଫୁଲ୍-୫‘ ଗତ ଜୁନ୍ ୬ ତାରିଖରେ ରିଲିଜ୍ ହୋଇଛି । ଫିଲ୍ମକୁ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଏହାସତ୍ତ୍ୱେ ବକ୍ସ ଅଫିସ୍ରେ ଜବରଦସ୍ତ ଆୟ କରୁଛି ଏହି କମେଡି ଫିଲ୍ମ । ଫିଲ୍ମକୁ ଦେଖିବା ପରେ ସୋସିଆଲ ମିଡିଆରେ ନିଜ ନିଜ ପ୍ରତିକ୍ରିୟା ରଖୁଛନ୍ତି ୟୁଜର୍ସ । କିଛି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ କିଛି ଦର୍ଶକ ଫିଲ୍ମକୁ ଦେଖି ନିରାଶ ହୋଇଛନ୍ତି । ଚଳିତ ବର୍ଷ ରିଲିଜ୍ ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା ଫିଲ୍ମ ତାଲିକାରେ ସ୍ଥାନ ପାଇଛି ହାଉସଫୁଲ୍-୫ । ରିଲିଜ୍ର ପ୍ରଥମ ଦିନରେ ୨୪ କୋଟି ଟଙ୍କା ଆୟ କରିଥିଲା ଏହି କମେଡି ଫିଲ୍ମ । ଏଥର ଫିଲ୍ମଟି ବଡ଼ ବଜେଟ୍ରେ ପ୍ରସ୍ତୁତ ହୋଇଛି, ଏଣୁ ଅଧିକ ଇନ୍କମ୍ ଆଶା କରୁଛନ୍ତି ଫିଲ୍ମ ନିର୍ମାତା ।
ମାତ୍ର ୫ ଦିନ ମଧ୍ୟରେ ହାଉସଫୁଲ୍-୫ ୧୦୦ କୋଟି କ୍ଲବ୍ରେ ସାମିଲ ହୋଇଛି । ସାକ୍ନିକ୍ର ରିପୋର୍ଟ ଫିଲ୍ମଟି ପ୍ରଥମ ଦିନରେ ୨୪ କୋଟି ଆୟ କରିଥିଲା । ଏହାପରେ ଦ୍ୱିତୀୟ ଦିନରେ ୩୧ କୋଟି ଟଙ୍କା ଇନ୍କମ୍ କରିଥିବା ବେଳେ ତୃତୀୟ ଦିନରେ ୩୨ କୋଟି ଟଙ୍କା ଆୟ କରିଥିଲା । ତେବେ ତୃତୀୟ ଦିନରେ ଅବିଶ୍ୱସନୀୟ ଭାବରେ ଫିଲ୍ମର ଆୟ କରିଥିଲା । ଜୁନ୍ ୯ ତାରିଖରେ ମାତ୍ର ୧୩ କୋଟି ଆୟ କରିଥିଲା । ଜୁନ୍ ୧୦ ତାରିଖ ମଧ୍ୟାହ୍ନ ସୁଦ୍ଧା ୨.୯ କୋଟି ଟଙ୍କା ଆୟ କରିଛି । ଏହିଭଳି ଭାବରେ ଅକ୍ଷୟ କୁମାରଙ୍କ ଫିଲ୍ମ ମୋଟ ୧୦୩ କୋଟିରୁ ଅଧିକ ଆୟ କରିଛି ।
ଏହାକୁ ନେଇ ଏବେ ଖୁସି ଜାହିର କରିଛନ୍ତି ଖିଲାଡି ଅକ୍ଷୟ କୁମାର । ଲଗାତାର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେବାପରେ ବକ୍ସ ଅଫିସ୍ରେ ହାଉସଫୁଲ-୫ ସଫଳ ସାବ୍ୟସ୍ତ ହୋଇଛି । ଏହାକୁ ନେଇ ଅକ୍ଷୟ କୁମାର କହିଛନ୍ତି, “ଫିଲ୍ମର ସଫଳତା ପରେ ମୋ ମନ ଏବେ ନାଚୁଛି । ଫିଲ୍ମକୁ ଏତେସାରା ଭଲ ପାଇବା ଦେଇଥିବାରୁ ହୃଦୟରୁ ଧନ୍ୟବାଦ ।”
ହାଉସ୍ଫୁଲ୍-୫ ଫିଲ୍ମରେ ଅକ୍ଷୟକୁମାରଙ୍କ ସହ ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ଫର୍ଦିନ୍ ଖାନ୍, ଡିନୋ ମୋରିଆ, ସଞ୍ଜୟ ଦତ୍ତ, ଜାକି ଶ୍ରଫ୍ ପ୍ରମୁଖ ଅଭିନୟ କରିଛନ୍ତି । ସେହିଭଳି ଏହି ଫିଲ୍ମରେ ଜ୍ୟାକ୍ଲିନ୍ ଫର୍ଣ୍ଣାଡିଜ୍, ସୌନ୍ଦର୍ଯ୍ୟା ଶର୍ମା, ସୋନମ୍ ବାଜ୍ୱା, ଓ ନରଗିସ ଫାକ୍ରି ପ୍ରମୁଖ ନଜର ଆସିଛନ୍ତି ।