କିଚିରି ମିଚିରି ଚଟିଆ , ଧାନ ଜଗିଥିଲା ନଟିଆ । ନଟିଆ ଧରିଲା ବାଡି , ଚଟିଆ ଗଲା ଉଡି .. ଜଲଦି ଖାଇଦେ ପୁଅ ନହେଲେ ଘରଚଟିଆ ତୋ ଖାଇବା ଖାଇଦେବ .. ପିଲାବେଳେ ମା’ ଯେତେବେଳେ କାଖେଇ ଦୁଧ,ଭାତ ଖୁଆଇ ଦେଉଥିଲେ ଆଉ ନ ଖାଇଲେ ଘରଚଟିଆ ଖାଇଦେବ ବୋଲି ଡ଼ରାଉଥିଲେ ସେତେବେଳେ କ’ଣ କିଏ ଜାଣିଥିଲା ଏ କୁନିଚଢେଇର ଭବିଷ୍ୟତ କ’ଣ ହେବ? ପିଲାବେଳର ସାଙ୍ଗ ସାଜିଥିବା ଏ ଘରଚଟିଆ ଏବେ କୁଆଡ଼େ ଗଲେ? ସହରରେ ତ ଘରଚଟିଆ ଦେଖିବା ସ୍ୱପ୍ନ , କାଁ ଭାଁ କେଉଁ ଗାଁରେ ଘରଚଟିଆଟିଏ ଦେଖିଦେଲେ ଏତେ ଖୁସି ଲାଗେ ଯେ ସଙ୍ଗେ ସଙ୍ଗେ ପିଲାବେଳଟା ଯେମିତି ଆଖି ଆଗରେ ନାଚିଯାଏ । ଘର ଅଗଣା , ବାଡ଼ି , ଦାଣ୍ଡରେ ଖୁଦଟିକେ ଢାଳିଦେଲେ କୁନି ଚଢେଇଟି ଯେମିତି ଡେଇଁ ଡେଇଁ ଖାଏ ଦେଖିଲେ ଭାରି ଆନନ୍ଦ ଲାଗେ ।
ହେଲେ ଏବେ ମଣିଷ ସମାଜ ତଥା ଚାଷୀର ପରମ ବନ୍ଧୁ ଭାବେ ବେଶ ଜଣାଶୁଣା ଏହି ଘରଚଟିଆ ଗାଁ ଗହଳିରେ ଆଉ ଦେଖିବାକୁ ମିଳୁନାହାନ୍ତି । ଗାଁରେ ଥିବା ଚାଳିଆ ଘରେ ଘରଚଟିଆ ବାସ କରି ରହୁଥିଲେ। ବର୍ତ୍ତମାନ ଗାଁ ଗହଳିରେ ପ୍ରାୟ ଚାଳିଆ ଘର ନଥିବା ଯୋଗୁଁ ଏହି ପକ୍ଷୀ ଆଉ ଦେଖା ଯାଉନାହାନ୍ତି। ଏହା ମଧ୍ୟ ଘରଚଟିଆ ବିଲୁପ୍ତ ହେବାର ଏକ ମୁଖ୍ୟ କାରଣ ବୋଲି କୁହାଯାଇପାରେ। ପ୍ରାୟ ଚାଳଘର ପକ୍କାଘରରେ ପରିବର୍ତ୍ତନ ହେବା ପରେ ଘରଚଟିଆଙ୍କ ସଂଖ୍ୟା କମିଯାଉଛି। ଖାଲି ସେତିକି ନୁହଁ ବହୁଳ ମାତ୍ରାରେ ମୋବାଇଲ ବ୍ୟବହାର ଯୋଗୁଁ ଟାୱାରରୁ ବାହାରୁଥିବା ତରଙ୍ଗ ଘରଚଟିଆଙ୍କ ସଂଖ୍ୟା ବିଶେଷ ଭାବରେ କମି ଯାଉଥିବା ମଧ୍ୟ କୁହାଯାଉଛି।
ପୂର୍ବରୁ ଅଖାରେ ଧାନ , ଚାଉଳ ଭଳି ଶସ୍ୟର ଅଧିକ ସପ୍ଲାଇ ହେଉଥିଲା । ଏବେ ବି କ୍ୱଚିତ ହେଉଛି କିନ୍ତୁ ସୁପରମାର୍କେଟର ପ୍ୟାକେଟ୍ ଫୁଡ୍ କଲ୍ଚରର ଯୁଗରେ ଅଖାରୁ ଶସ୍ୟ ବୁଣିହେବା ଧାରାଟି କିଂଚିତ କମିଛି । ପୂର୍ବରୁ ବୁଣିହେଉଥିବା ଶସ୍ୟକୁ କୁନି ଥଣ୍ଟରେ ଖାଉଥିବା ଘରଚଟିଆ ଏବେ ଆଉ ଖାଇବା ପାଇଁ ଶସ୍ୟ ପାଉନାହାନ୍ତି ।
ବୈଜ୍ଞାନିକମାନେ ମୋବାଇଲ୍ ରେଡିଏସନକୁ ଘରଚଟିଆ ଲୁପ୍ତ ହେବାର ମୁଖ୍ୟ କାରଣ ବୋଲି ମନେକରନ୍ତି । ପକ୍ଷୀମାନେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ଅନୁଭବ କରି ନିଜ ମାର୍ଗ ନିର୍ଦ୍ଧାରିତ କରନ୍ତି ଏବଂ ମୋବାଇଲ୍ ରେଡିଏସନ୍ ପକ୍ଷୀମାନଙ୍କୁ ଅସୁବିଧାରେ ପକାଇଥାଏ । ପକ୍ଷୀମାନଙ୍କ ବିଚରଣ କରିବାର କ୍ଷମତାରେ ବାଧା ସୃଷ୍ଟି କରେ ମୋବାଇଲ୍ ରେଡିଏସନ୍ ।
ବିଲରେ ଦେଖାଯାଉଥିବା ଛୋଟ ଛୋଟ କୀଟ ନବଜାତକ ଘରଚଟିଆଙ୍କ ଖାଦ୍ୟ ହୋଇଥାଏ । ହେଲେ କୀଟନାଶକର ଅତ୍ୟଧିକ ପ୍ରୟୋଗ ଦ୍ୱାରା ଘରଚଟିଆ ଛୁଆମାନଙ୍କୁ ଆଧାର ଦେଇପାରନ୍ତି ନାହିଁ । ଏହାର ପରିମାଣସ୍ୱରୂପ ଘରଚଟିଆ ଶିଶୁ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି । ତେବେ ଏହି କୁନି ଚଢେଇର ବଂଶବିସ୍ତାର ପ୍ରତି ଯଦି ବିଶେଷ ଧ୍ୟାନ ନ ଦିଆଯାଏ ତାହେଲେ ପରବର୍ତ୍ତୀ ପିଢି ବାସ୍ତବରେ ନୁହଁ ବହିରେ ଦେଖିବେ ଘରଚଟିଆ । ଆଉ ଆପଣଙ୍କ ସନ୍ତାନ ଆପଣଙ୍କୁ ପ୍ରଶ୍ନ କରିବେ , ପାପା ଏ ପକ୍ଷୀର ନାଁ କ’ଣ?