କନକ ବ୍ୟୁରୋ: ଯାହା ଅନୁମାନ ଥିଲା, ତାହା ହିଁ ହେଲା। ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ହଲାପଟା କରିଛନ୍ତି ବିରୋଧି। ଚାଷୀ,କଟନୀ ଛଟନୀ, ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗରେ ଶାସକ ଦଳକୁ ତୀର ମାରିଛନ୍ତି ବିରୋଧୀ। ଅନ୍ୟପଟେ ଲୋକଙ୍କ ପ୍ରସଙ୍ଗରେ ଆଲୋଚନା ନକରି ବିରୋଧୀ ପଳାୟନପନ୍ଥୀ ସାଜିଛନ୍ତି ବୋଲି କହିଛି ଶାସକ ଦଳ। 

Advertisment

ଗତକାଲି ବଜେଟ ଅଧିବେଶନ ପାଇଁ ରାଜ୍ୟପାଳ ଅଭିଭାଷଣ ରଖିବା ପରେ ସରକାରଙ୍କୁ ଘେରିବାକୁ ସୁଯୋଗ ପାଇନଥିଲେ ବିରୋଧୀ । କିନ୍ତୁ ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଗୃହରେ ସରକାରଙ୍କୁ ନାକେଦମ କରିଛନ୍ତି । ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ପୁରୁଣା ଅନ୍ଦାଜରେ ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ। ତାରାଙ୍କର ସେହି ଚିରାଚରିତ ଷ୍ଟାଇଲ । ପୋଡିୟମକୁ ବାଡେଇବା ସହ ଚଢିବାକୁ ଉଦ୍ୟମ। କଂଗ୍ରେସର ବିରୋଧ ଭିତରେ ପଛରେ ପଡିଯିବ ଭାବି ବିଜେଡି ସଦସ୍ୟ ମଧ୍ୟ ଗୃହରେ ନାରାବାଜି ଆରମ୍ଭ କରିଥିଲେ । ଆଇନଶୃଙ୍ଖଳା ଓ ଚାଷୀ ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିଥିଲେ ଉଭୟ କଂଗ୍ରେସ ଓ ବିଜେଡି । ବାଚସ୍ପତି ବାରମ୍ବାର ବୁଝାଇବାକୁ ଉଦ୍ୟମ କରି ବିଫଳ ହେବା ପରେ ଗୃହକୁ ମୁଲତବୀ କରିଥିଲେ। ଏହାସହ ଚାଲିପାରିନଥିଲା ପ୍ରଥମାର୍ଦ୍ଧ ଓ ଧୋଇଯାଇଥିଲା ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ। 

ବିରୋଧୀଙ୍କ ହୋ ହଲ୍ଲା, ନାରାବାଜି ଓ ହଟ୍ଟଗୋଳ ଭିତରେ ବାରମ୍ବାର ମୁଲତବି ହୋଇଥିଲା ଗୃହ। ଏଥିପାଇଁ ବିରୋଧୀ ଦଳକୁ ଦାୟୀ କରିଛି ଶାସକ ଦଳ। ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିରୋଧୀ କାହିଁକି ପଳାତକ ସାଜୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ୟ୍ୟ। 

ପ୍ରଥମାର୍ଦ୍ଧରେ ୨ ଥର ଗୃହ ମୁଲତବୀ ପରେ ଦ୍ବିତୀୟାର୍ଦ୍ଧରେ ସ୍ବାଭାବିକ ହୋଇଛି ବିଧାନସଭା। କିନ୍ତୁ ପ୍ରଶ୍ନ ଉଠୁଛି, 
ବିଧାନସଭା ପାଇଁ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଲୋକଙ୍କ ପ୍ରସଙ୍ଗରେ ଆଲୋଚନା କାହିଁକି ହୋଇପାରୁନି?
ବିରୋଧୀଙ୍କ ପ୍ରସ୍ତାବ ଗ୍ରହଣ କରି ଆଲୋଚନା କରିବାରେ ଅସୁବିଧା କେଉଁଠି?