କନକ ବ୍ୟୁରୋ : ମାତ୍ର ୨୦ ମିନିଟ୍ର ଘୂର୍ଣ୍ଣିଝଡ଼ରେ ଉଡ଼ିଗଲା ଘରର ଆଜବେଷ୍ଟସ୍ । ନଷ୍ଟ ହୋଇଗଲା ଚାଉଳ ଓ ଅନ୍ୟ ଖାଦ୍ୟ ସାମଗ୍ରୀ । ମୁଣ୍ଡ ଗୁଞ୍ଜିବାକୁ ପରିବାର ସଜାଡୁଛନ୍ତି ପଲିଥିନ । ଆଖିରୁ ଲୁହ ଶୁଖୁନି , କ’ଣ କରିବେ ବୁଝିପାରୁ ନାହାନ୍ତି ବାଲେଶ୍ବର ଜିଲ୍ଲାର ଗୋଟିଏ ପରିବାର । ଆଶ୍ଚର୍ଯ୍ୟର କଥା, ଆଖପାଖର ସବୁ ଘର ସୁରକ୍ଷିତ ଥିବା ବେଳେ କେବଳ ଗୋଟିଏ ପରିବାରର ଘର ଭାଙ୍ଗିଛି ।
ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ଅନ୍ତର୍ଗତ କଣ୍ଟାବଣିଆ ଗାଁରେ ଗତକାଲି ଘୂର୍ଣ୍ଣିଝଡ଼ ଓ ବର୍ଷାରେ ପୀତାମ୍ବର ଦାସଙ୍କ ଘର ଭାଙ୍ଗିବା ସହ ସବୁ ଜିନିଷପତ୍ର ନଷ୍ଟ ହୋଇଯାଇଛି । ଅପରାହ୍ନ ପ୍ରାୟ ୨ଟା ୩୦ରେ ଘୂର୍ଣ୍ଣିଝଡ଼ ଆରମ୍ଭ ହୋଇଥିଲା । ମାତ୍ର ୨୦ ମିନିଟ୍ ଭିତରେ ପୀତାମ୍ବରଙ୍କ ଘର ଛାରଖାର ହୋଇଯାଇଛି । ଘୂର୍ଣ୍ଣିଝଡ଼ର ପ୍ରଭାବ ଏତେ ଥିଲା ଯେ, ୫୦୦ ମିଟର ଦୂରକୁ ଉଡ଼ି ଯାଇଥିଲା ଘରର ଆଜବେଷ୍ଟସ୍ ଛପର ଓ ଜିନିଷପତ୍ର । ପରେ ପରେ ହୋଇଥିବା ବର୍ଷାରେ କାନ୍ଥରୁ ଅତଡ଼ା ଖସି ନଷ୍ଟ ହୋଇଛି ।
କଣ୍ଟ୍ରୋଲ ଦୋକାନରୁ ପୀତାମ୍ବର ଆଣିଥିବା ମାସକର ସବୁ ଚାଉଳ ଭିଜି ନଷ୍ଟ ହୋଇଯାଇଛି । ହାଣ୍ଡି ଓ ବାସନ କୁସନ ଉପରେ ଅନ୍ୟ ଜିନିଷ ପଡ଼ି ସବୁ ଚେପା ହୋଇଯାଇଛି । ଘରପିଣ୍ଡାରେ ଜମିଯାଇଛି ପରସ୍ତ ପରସ୍ତ କାଦୁଅ । କେଉଁଠି ରହିବେ, କ’ଣ ଖାଇବେ, ସେଇ ଚିନ୍ତା ଘାରିଛି । ଆଶ୍ଚର୍ଯ୍ୟର କଥା, ଆଖପାଖରେ ଥିବା ଅନ୍ୟ କୌଣସି ଘର ଉପରେ ଘୂର୍ଣ୍ଣିଝଡ଼ର କିଛି ପ୍ରଭାବ ପଡ଼ିନାହିଁ । କେବଳ ପୀତାମ୍ବର ଦାସଙ୍କ ଘର ଭାଙ୍ଗି ଯାଇଛି । ଏ ସଂକ୍ରାନ୍ତରରେ ବିଧାୟକ ଗୋବିନ୍ଦ ଦାସଙ୍କୁ ଯୋଗାଯୋଗ କରିବାରୁ ସେ ତୁରନ୍ତ ସହାୟତା ପାଇଁ ବିଡିଓ ଓ ତହସିଲଦାରଙ୍କୁ କହିଥିବା କହିଛନ୍ତି ।